ବ୍ରହ୍ମଗିରି: ଚତୁର୍ଦ୍ଧାମୂର୍ତ୍ତି ଦେବ ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା କଳସ ପାଣିରେ ସ୍ନାନ କରି ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି। ଆଜିଠାରୁ ଭକ୍ତ ମହାବାହୁଙ୍କ ଦର୍ଶନରୁ ବଞ୍ଚିତ ହୋଇ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି। ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି। ଭୋର ୪ଟାରେ ଦ୍ୱାର ଫିଟାଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ୱାରପାଳ ପୂଜା, ସୂର୍ଯ୍ୟ ପୂଜା, ରୋଷ ହୋମ ପରେ ସକାଳ ୫ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ଜୟ ବିଜୟ ଦ୍ୱାର ପାଖରୁ ବ୍ୟାରିକେଡ଼ ଚନ୍ଦନ ଚକଡା ପର୍ଯ୍ୟନ୍ତ ଲାଗିଛି। ଏହି ବ୍ୟାରିକେଡ଼ ଦେଇ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି। ସୁରକ୍ଷା ପାଇଁ ୬ ପ୍ଲାଟୁନ ପୁଲିସ ଫୋର୍ସ, ୨୦ ଜଣ ଅଫିସର, ୨ ପ୍ଲାଟନ ମହିଳା ପୁଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି, ୨ ଜଣ ଡିସପି, ୫୦ ହୋମଗାର୍ଡ ନିୟୋଜିତ ରହିଛନ୍ତି। ଟ୍ରଫିକ ବ୍ୟବସ୍ଥା ମଧ୍ୟ ସ୍ୱତନ୍ତ୍ର ହୋଇଛି। ୨ ବର୍ଷ କରୋନା କଟକଣା ଯୋଗୁ ଦର୍ଶନ ବନ୍ଦ ରହିଥିଲା। କଟକଣା ହଟିବା ପରେ ଚଳିତବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଆଶଙ୍କା ରହିଛି। ୧୪ ଦିନ ଧରି ଶ୍ରୀଜୀଉଙ୍କ ଅଣସର ଦର୍ଶନ ଚାଲିବ।
ଅଣସର ପିଣ୍ଡିକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି; ୧୪ ଦିନ ଧରି ଚାଲିବ ଅଲାରନାଥଙ୍କ ଅଣସର ଦର୍ଶନ
Advertisment
Follow Us