ପୁରୀ: ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟକ ମହିଳା ଭକ୍ତ ନିଜ ଛୋଟ ଶିଶୁଙ୍କୁ ନେଇ ଆସିଥାନ୍ତି l ବିଶେଷ କରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଏବଂ ମାଆମାନଙ୍କ ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପରିସରରେ ଏକ ସ୍ବତନ୍ତ୍ର ସ୍ତନ୍ୟପାନ ଗୃହ କରାଯିବାକୁ ଯୋଜନା ହୋଇଛି l ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ବିଦାୟୀ ଆରକ୍ଷୀ ଅଧୀକ୍ଷକ ପୀନାକ୍ ମିଶ୍ର, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ବରିଷ୍ଠ ସୁପରଭାଇଜର୍ ବକ୍ସି ପ୍ରତିହାରୀ, ସହକାରୀ ପ୍ରଶାସିକା ଶୁଭଶ୍ରୀ ସୁଚୀସ୍ମିତା ଓ ଅନ୍ଯ ଅଧିକାରୀ ଏ ସମ୍ବନ୍ଧରେ ଆଲୋଚନା କରି ଏହି ସ୍ବତନ୍ତ୍ର ଗୃହ ପାଇଁ ସ୍ଥାନ ନିରୂପଣ କରିଛନ୍ତି।
ଶ୍ରୀମନ୍ଦିର ପରିସରରେ ପ୍ରଶାସନର ଶାଖା କାର୍ଯ୍ଯାଳୟ ନିକଟରେ ଏହା କାର୍ଯ୍ୟକ୍ଷମ ହେବାକୁ ନିଷ୍ପତ୍ତି ହୋଇଛି l ସମ୍ପୃକ୍ତ ଗୃହର ଗୋପନୀୟତା, ପରିମଳ ଓ ମା' ତଥା ଶିଶୁଙ୍କ ସ୍ବାଛନ୍ଦ୍ୟ ଉପରେ ଦୃଷ୍ଟି ରଖିବା ପାଇଁ ଜଣେ ସ୍ୱତନ୍ତ୍ର ମହିଳା ସହାୟିକା ମଧ୍ଯ ରହିବେ। ଦୀର୍ଘ ଦିନ ଧରି ଏନେଇ ଦାବି ହୋଇ ଆସୁଥିଲା। ମହିଳା ଭକ୍ତଙ୍କ ପ୍ରତି ଉତ୍ତରଦାୟିତ୍ବ ନିର୍ବାହ ପାଇଁ ଏହି ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ପାଢ଼ୀ।
Follow Us