ପୁରୀ: ମେ ୩ ତାରିଖ ବାତ୍ୟା ଫନି ପ୍ରଭାବରେ ପୁରୀ ଜିଲ୍ଲାରେ ୧ ଲକ୍ଷ ୨୦ ହଜାର କଚ୍ଚା ଘର ଭାଙ୍ଗିଛି। ପୁରୀ ସହର, ସଦର ବ୍ଳକ, ବ୍ରହ୍ମଗିରି, କଣାସ, ସତ୍ୟବାଦୀ, ନିମାପଡା, ଗୋପ, ପିପିଲିରେ ସର୍ବାଧିକ ଘର ଭାଙ୍ଗିଥିବା ବେଳେ ୯୦ ପ୍ରତିଶତ ଘର ସଂପୂର୍ଣ୍ଣ ଏବଂ ୧୦ ପ୍ରତିଶତ ଘର ଆଂଶିକ ଭାଙ୍ଗିଥିବା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ତଥ୍ୟ ଆସିଛି। ପୁରୀ ଜିଲ୍ଲାପାଳ ଭବତାରଣ ସାହୁଙ୍କ କହିବା କଥା, ଏ ତଥ୍ୟ ସଂପୂର୍ଣ୍ଣ ନୁହେଁ। ଏ ସଂପର୍କରେ ତର୍ଜମା ଚାଲିଛି। ତେବେ ଉପଜିଲ୍ଲାପାଳଙ୍କ କଥାକୁ ଯଦି ସତ ବୋଲି ଧରାଯାଏ ତେବେ ପୁରୀ ଜିଲ୍ଲାରେ ୧ ଲକ୍ଷ କଚ୍ଚା ଘର (ଚାଳଘର) ଥିଲା, ଯାହା ଫନିରେ ମାଟିରେ ମିଶିଯାଇଛି। ତେବେ ପ୍ରଶାସନର ଏ ପ୍ରକାର ଆକଳନରୁ ଏକ ବଡ଼ ମିଛ ମଧ୍ୟ ସାମ୍ନାକୁ ଆସିଛି। ସରକାରଙ୍କ ପକ୍କା ଘର ଯୋଜନା (ବିଜୁ ପକ୍କା ଘର), ମୋ କୁଡ଼ିଆ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସବୁ କିଛି ଜିଲ୍ଲାରେ ବାଟବଣା ଥିବା କଥା ଏହି ଆକଳନରୁ ସ୍ପଷ୍ଟ ହେଉଛି। ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଥିବାର ସତକୁ ମଧ୍ୟ ଫନି ସାମ୍ନାକୁ ଆଣିଛି।
୨୦୧୧ ଜନଗଣନା ମୁତାବକ ପୁରୀ ଜିଲ୍ଲାର ସମୁଦାୟ ଲୋକ ସଂଖ୍ୟା ୧୬ ଲକ୍ଷ ୯୮ ହଜାର ୭୩୦। ସେଥିରୁ ଗ୍ରାମାଞ୍ଚଳର ଲୋକ ସଂଖ୍ୟା ୧୪ ଲକ୍ଷ ୩୩ ହଜାର ୮୦୦ ଥିବା ବେଳେ ସହରାଞ୍ଚଳରେ ଲୋକ ସଂଖ୍ୟା ୧ ଲକ୍ଷ ୬୯ ହଜାର ୯୩୦। ଜିଲ୍ଲାରେ ୧୧ଟି ବ୍ଲକ ସହିତ ପୁରୀ ପୌରାଞ୍ଚଳ, କୋଣାର୍କ, ନିମାପଡା ଓ ପିପିଲି ଏନ୍ଏସିରେ ମୋଟ ୪ ଲକ୍ଷ ଘର ରହିଛି। ସେହି ହାରକୁ ଦେଖିଲେ ପୁରୀରେ ଲକ୍ଷାଧିକ କଚା ଘରକୁ ନେଇ ଏବେ ପ୍ରଶ୍ନ ଉଠିଛି। ଗ୍ରାମାଞ୍ଚଳରେ ଆରଆଇମାନେ କରିଥିବା ସର୍ଭେ ଓ ସରକାରଙ୍କୁ ଦିଆଯିବା ପାଇଁ ପ୍ରସ୍ତୁତ ହୋଇଥିବା ସର୍ଭେରେ ମେଳ ହୋଇନାହିଁ। ରାତାରାତି ବ୍ଲକ୍, ତହସିଲସ୍ତରରେ ରିପୋର୍ଟ ବଦଳାଇବାକୁ ଅଧିକାରୀମାନଙ୍କୁ ବାଧ୍ୟ କରାଯାଇଛି। ଗତ ୨୭ ତାରିଖ ଓ ୨୮ ତାରିଖରେ ପ୍ରତି ବ୍ଲକରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ତଥ୍ୟ ବଦଳାଯାଇଛି। ଆଂଶିକ ଭାଙ୍ଗିଥିବା ଘରକୁ ମଧ୍ୟ ସଂପୂର୍ଣ୍ଣ ଦର୍ଶାଇବାକୁ ଅଧିକାରୀଙ୍କୁ ତାଗିଦ କରାଯାଇଛି। ଫନି ପାଇଁ କିଭଳି ଅଧିକ ସହାୟତା ମିଳିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ଜିଲ୍ଲା ପ୍ରଶାସନ ଅତି ଖାମଖିଆଲି ଢଙ୍ଗରେ ରିପୋର୍ଟ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଛି।
ଧରାପଡ଼ିଲା ପକ୍କା ଘର ମିଛ
Advertisment
Follow Us