Jagannath Dham
ପୁରୀ: ସରି ଆସୁଛି ମହାକାର୍ତ୍ତିକ ବ୍ରତ। ଆସନ୍ତାକାଲିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ପଞ୍ଚୁକ ବ୍ରତ। ପଞ୍ଚୁକ ପାଞ୍ଚଦିନ ଧରି ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳିକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନପାଇଁ ବ୍ୟାରିକେଡ଼ର ବ୍ୟବସ୍ଥା କରାଯିବା ସହ ପଞ୍ଚତୀର୍ଥ ଓ ମହଦଧୀରେ ହବିଷ୍ୟାଳୀଙ୍କ ବୁଡ଼ ପକାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ପଞ୍ଚକର ପ୍ରଥମ ଦିବସ ବଡ଼ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ। ତେବେ ଆଜି ଠାରୁ ଶ୍ରୀକ୍ଷେତ୍ରକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବା ଆରମ୍ଭ ହୋଇଥିବା ବେଳେ ସମଗ୍ର ଶ୍ରୀକ୍ଷେତ୍ର ସମ୍ପୂର୍ଣ ଚଳଚଞ୍ଚଳ। କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ। ଯେଉଁମାନେ ମାସକଯାକ କାର୍ତ୍ତିକ ବ୍ରତ କରି ନ ଥାନ୍ତି ସେହିମାନେ ଏହି ପଞ୍ଚୁକ ପାଞ୍ଚଦିନ ନିଷ୍ଠାର ସହ ବ୍ରତ ପାଳନ କଲେ ସମପରିମାଣର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।
ପଞ୍ଚୁକ ପାଞ୍ଚ ଦିନରେ ଦାରୁ ଦେବତାଙ୍କର ୫ଟି ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ଏହି ପାଞ୍ଚଦିନ ମହାପ୍ରଭୁଙ୍କ ଅବକାଶ ନୀତି ପରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ। ମୂଲ୍ୟବାନ ସ୍ଵର୍ଣ୍ଣ ଅଳଙ୍କାର, ପାଟ ବସ୍ତ୍ର ଏବଂ ପୁଷ୍ପମାଲ୍ୟ ପରିଧାନ କରିବେ ଶ୍ରୀବିଗ୍ରହ। ପଞ୍ଚକର ପ୍ରଥମ ଦିନ ଏକାଦଶୀ ତିଥିରେ ଲକ୍ଷ୍ମୀ ନାରାୟଣ ବେଶ, ଦ୍ଵାଦଶୀରେ ବାଙ୍କଚୁଡ଼ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ରାଜ ରାଜେଶ୍ୱର ଵା ସୁନାବେଶ ଅନୁଷ୍ଠିତ ହେବ। ଅନ୍ୟପଟେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ର ବ୍ୟବସ୍ଥା କରାଯାଇଛି। ସମସ୍ତ ପଞ୍ଚ ପୁଷ୍କରିଣୀ ଓ ମହୋଦଧିରେ ଅଗ୍ନିଶମ ବାହିନୀ ଓ ଲାଇଫ ଗାର୍ଡ ମୁତୟନ କରାଯାଇଛି। ମେଡିକାଲ ଟିମ, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ସମସ୍ତ ସୁରକ୍ଷା ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି।
Follow Us