ରଥଯାତ୍ରା ଶୃଙ୍ଖଳା ଚିନ୍ତା : ଏସ୍‌ପିଙ୍କ ସହିତ ଦଇତା ନିଯୋଗର ବୈଠକ

Advertisment
ରଥଯାତ୍ରା ଶୃଙ୍ଖଳା ଚିନ୍ତା : ଏସ୍‌ପିଙ୍କ ସହିତ ଦଇତା ନିଯୋଗର ବୈଠକ

ପୁରୀ : ମହାପ୍ରଭୁଙ୍କ ରଥଯାତ୍ରାରେ ପ୍ରମୁଖ ଭୂମିକା ରଖୁଥିବା ଦଇତାମାନେ ଆସନ୍ତା ୧୫ ତାରିଖରେ ଶ୍ରୀମନ୍ଦିର ପ୍ରବେଶ କରିବେ। ଏହା ପୂର୍ବରୁ ଆଜି ଦଇତାପତି ନିଯୋଗ ଓ ପୁରୀ ଏସ୍‌ପି ଉମାଶଙ୍କର ମିଶ୍ରଙ୍କ ସହିତ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରାକୁ କିଭଳି ଶାନ୍ତିଶୃଙ୍ଖଳାର ସହିତ ସଂପନ୍ନ କରାଯିବ, ପୁଲିସ-ପ୍ରଶାସନ ଓ ଦଇତା ସେବକଙ୍କ ମଧ୍ୟରେ କିଭଳି ଉତ୍ତମ ସମନ୍ବୟ ରହିପାରିବ ‌‌ସେ ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଦଇତା ନିଯୋଗ ପକ୍ଷରୁ ଏସ୍‌ପିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନିଯୋଗ ପକ୍ଷରୁ ଭକ୍ତଙ୍କୁ ରଥ ଛୁଇଁବାରୁ ବଞ୍ଚିତ ନକରିବାକୁ ଦାବି ‌ହୋଇଥିଲା। ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ଓ ଶ୍ରୀଜିଉ ଜନ୍ମବେଦିକୁ ଯିବା ପରେ ଭକ୍ତଙ୍କୁ ରଥ ଛୁଇଁବାକୁ ସୁଯୋଗ ଦିଆଯାଉ। ବ୍ୟାରିକେଡ୍‌ ଗୁଡିକ ରଥ ନିକଟରେ ରଖାଯାଉ ବୋଲି ନିଯୋଗ ପକ୍ଷରୁ ଦାବି କରାଯାଇଥିଲା। ସେହିଭଳି ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଟାହିଆ ସୁରକ୍ଷ‌ା ଓ ରଥଯାତ୍ରା ପହଣ୍ଡି ପରେ ଟାହିଆ ଅକ୍ଷୁଣ୍ଣ ରଖିବାକୁ ଆଲୋଚନା ହୋଇଥିଲା। ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପ ସାହାଣମେଲାକୁ ଶୃଙ୍ଖଳିତ କରିବା ଉପରେ ନିଯୋଗ କର୍ମକର୍ତ୍ତା ଗୁରୁତ୍ବାରୋପ କରିଥିଲେ। ରଥଯାତ୍ରା ସମୟରେ ମନ୍ଦିର ଓ ଏହାର ଆଖପାଖ ସାହିର ଲୋକେ ଅଣନିଶ୍ବାସୀ ହୋଇ ପଡୁଛନ୍ତି। ସେମାନେ ରଥଯାତ୍ରା ଦେଖିବାରୁ ବଞ୍ଚିତ ହେଉଛନ୍ତି। ସବୁଆଡେ ପୁଲିସ ବ୍ୟାରିକେଡ୍‌ ପକାଯାଉଛି। ଦାୟିତ୍ବରେ ଥିବା ପୁଲିସ ‌ସ୍ଥାନୀୟ ଲୋକ ଓ ସେବାୟତଙ୍କୁ ମଧ୍ୟ ଛାଡୁନାହାନ୍ତି। ପ୍ରତିବର୍ଷ ଏ ନେଇ ସମସ୍ୟା ଉପୁଜୁଛି। ଦୋଳମଣ୍ଡପ ସାହି ଓ ବାଲିସାହିର ଲୋକମାନେ ରଥ ଦେଖିବାକୁ ମଧ୍ୟ ଆ‌ସିପାରୁନାହାନ୍ତି। ଏଥି ପାଇଁ ସ୍ଥାନୀୟ ଜେଟିପିଙ୍କୁ ବ୍ୟାରିକେଡ୍‌ ନିକଟରେ ନିଯୁକ୍ତି ଦେଲେ ସେମାନେ ସେବାୟତ ଓ ସ୍ଥାନୀୟ ଲୋକଙ୍କୁ ଚିହ୍ନଟ କରି ଛାଡିବେ ବୋଲି ବୈଠକରେ କୁହାଯାଇଥିଲା। ସମନ୍ବୟ ବୈଠକରେ ଦଇତାପତି ନିଯୋଗର ସଭାପତି ରବୀନ୍ଦ୍ର ଦାସ ମହାପାତ୍ର, ସଂପାଦକ ଦୁର୍ଗାଦାସ ମହାପାତ୍ର, ରାମକୃଷ୍ଣ ଦାସ ମହାପାତ୍ର, ପରିଚଳାନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ବିଶ୍ବାବସୁ ବିନାୟକ ଦାସ ମହାପାତ୍ର, ପ୍ରେମାନନ୍ଦ ଦାସ ମହାପାତ୍ର, ‌ଚନ୍ଦ୍ରଶେଖର ଦାସ ମହାପାତ୍ର, ନାଗରାଜ ଦାସ ମହାପାତ୍ର, ସଂଜୟ ସ୍ବାଇଁ ମହାପାତ୍ର ଓ ଅମିତ ଦାସ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe