ମା ଲକ୍ଷ୍ମୀଙ୍କ ଅଭିମାନ : ଚାହାଣି ମଣ୍ଡପରେ କଣେଇ ଚାହିଁଲେ

Advertisment

ଜୟବିଜୟ ଦ୍ଵାରରେ ବଚନିକା, ମାନଭଂଜନ

ଜୟବିଜୟ ଦ୍ଵାରରେ ବଚନିକା, ମାନଭଂଜନ

ମା ଲକ୍ଷ୍ମୀଙ୍କ ଅଭିମାନ : ଚାହାଣି ମଣ୍ଡପରେ କଣେଇ ଚାହିଁଲେ

ପୁରୀ : ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇଗଲେ, ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ମନ୍ଦିରରେ ଛାଡିଗଲେ। ଅଭିମାନରେ ମା ଲକ୍ଷ୍ମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ କୋପ କରିଥିଲେ। ମାନବୀୟ ଲୀଳା କରୁଥିବା ମହାବାହୁ ଆଜି ମଧ୍ୟ ଜଣେ ସାଧାରଣ ପତି-ପତ୍ନୀଙ୍କ ମଧ୍ୟରେ ଘଟୁଥିବା ରାଗରୁଷାକୁ ପ୍ରତିଫଳିତ କରିଛନ୍ତି। ମହାପ୍ରଭୁ ମା’ଙ୍କୁ ବୁଝାଇଛନ୍ତି, ତାଙ୍କ ମାନଭଂଜନ କରିଛନ୍ତି। ରସଗୋଲା ଖୁଆଇ ମାନଭଂଜନ କରିବା ପରେ ଶ୍ରୀଜଗନ୍ନାଥ ରତ୍ନ ସିଂହାସନକୁ ବିଜେ କରିଛନ୍ତି। ପରମ୍ପରା ମୁତାବକ, ଲକ୍ଷ୍ମୀ-ନାରାୟଣ ବଚନିକା ନୀତି ହୋଇଥିଲା। ମହାପ୍ରଭୁଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡ଼ିଥିଲେ ମଧ୍ୟ ଭକ୍ତଙ୍କ ଗହଳିରେ ମା ପ୍ରଭୁଙ୍କୁ ଅପମାନ କରିବାକୁ ଚାହିଁନଥିଲେ। କେବଳ ଚାହାଣି ମଣ୍ଡପରେ ଟିକେ କଣେଇ ଚାହିଁ ଦେଇ ମା ଲକ୍ଷ୍ମୀ ଠାକୁରାଣୀ ମନ୍ଦିର ଭିତରକୁ ଚାଲି ଆସି ରାଗରେ ଜୟ ବିଜୟ ଦ୍ଵାର ନିକଟରେ ଅପେକ୍ଷା କରିଥିଲେ।

ଅଭିମାନରେ ଥିବା ମା’ ସବୁତକ ରାଗ ମହାପ୍ରଭୁଙ୍କ ଉପରେ ଅଜାଡ଼ି ଦେଇଥିଲେ। ଏ ନେଇ ବଚନିକା ହୋଇଥିଲା। ଏତେ ଦିନ ବାହାରେ ରହିଲ, ଆଉ ଏ ବିରହିଣୀ କୁଟୀରରେ କାମ କ’ଣ। ମହାଲକ୍ଷ୍ମୀ କବାଟ ଆରପାଖେ ଥାଇ ଏହି ପ୍ରଶ୍ନ କରିଥିଲେ। ମହାପ୍ରଭୁ ଜଗତର ନାଥ। ପୂର୍ବରୁ ପ୍ରସ୍ତୁତ ଥିବା ମହାପ୍ରଭୁ କାଳବିଳମ୍ବ ନ କରି କହିଥିଲେ ଦେବୀ, ଅଭିମାନ କରନାହିଁ। ଭକ୍ତମାନଙ୍କୁ ଆଲିଙ୍ଗନ କରିବାକୁ ମୁଁ ପରା ଘୋଷଯାତ୍ରା କରିଥିଲି। ତୁମେ କଣ ଜାଣ ନାହିଁ, ରତ୍ନ ସିଂହାସନରେ ମୋତେ ଭକ୍ତଗଣ ସ୍ପର୍ଶ କରନ୍ତି ନାହିଁ। ମୋ ଭକ୍ତମାନଙ୍କ କଥା ତୁମେ କଣ ବୁଝିବନି। ତମେ ପରା ଉଦାର ହୃଦୟ। ତଥାପି ତୁମ କଥା ଭୁଲିନାହିଁ। ନୂଆ ପାଟ ଆଣିଛି, ଗହଣା ବି ଆଣିଛି। ଏବେ ମାନଭଞ୍ଜନ କର ହେ ଦେବୀ କହି ଶ୍ରୀଜଗନ୍ନାଥ ବୁଝାଇଛନ୍ତି। ହେଲେ ଯିଏ ସକଳ ଐଶ୍ୱର୍ଯ୍ୟାର ଦେବୀ ତାଙ୍କ ପାଇଁ ପୁଣି ଗହଣା ଆଉ ଶାଢ଼ୀ! ଲକ୍ଷ୍ମୀ ଏହା ଶୁଣି ଆହୁରି ରାଗି ଯାଇଛନ୍ତି। ମହାପ୍ରଭୁ ପୁଣି ତାଙ୍କୁ ବୁଝାଇବାକୁ ଉଦ୍ୟମ କରୁଛନ୍ତି। ଅନେକ ସମୟ ପରେ ମା ଲକ୍ଷ୍ମୀଙ୍କର କ୍ରୋଧ ଶାନ୍ତ ହେଉଛି। ଆଉ ସେ ଜୟବିଜୟ ଦ୍ଵାର ଖୋଲି ମହାବାହୁଙ୍କୁ ରତ୍ନ ସିଂହାସନକୁ ବିଜେ କରିବାକୁ ଅନୁମତି ଦେଉଛନ୍ତିି।

ଏଭଳି ଏକ ପାରିବାରିକ ମାନ-ଅଭିମାନ, ରାଗରୁଷା ଆଉ ଭାବପ୍ରବଣତାର ଭାବାବେଗ ସୃଷ୍ଟି ହୋଇଥିଲା ଆଜି ଜୟବିଜୟ ଦ୍ଵାର ନିକଟରେ। ମହାପ୍ରଭୁ ପହଣ୍ଡିରେ ଜୟ ବିଜୟ ଦ୍ଵାର ନିକଟରେ ପହଞ୍ଚିବା ପରେ ଲକ୍ଷ୍ମୀ ନାରାୟଣ ବଚନିକା ହୋଇଥିଲା। ମହାପ୍ରଭୁଙ୍କ ବାଡ଼ରୁ ଏହି ସେବାକୁ ଜଣେ ସେବକ କରିଛନ୍ତି। ପୂର୍ବରୁ ମା ଲକ୍ଷ୍ମୀଙ୍କ ବାଡ଼ରୁ ଦେବଦାସୀମାନେ କରୁଥିବା ବେଳେ ଏବେ ଆଉ ଦେବଦାସୀ ନାହାନ୍ତି। ତେଣୁ ଏହାକୁ ଜଣେ ସେବକ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe