ପୁରୀ : ରଥ ନିର୍ମାଣକୁ ଆଜି ୨୨ ଦିନ ପୂରିଛି। ଭଉଁରୀରେ ତିନି ରଥର ୬ଟି ଚକ ଓ ୩ଟି ଅଖ ଡେରା କାର୍ଯ୍ୟ ଅନୁକୂଳ ଶେଷ ହେବା ପରେ ବାକି ଚକ କାମକୁ ଶେଷ କରିବା ଲାଗି ରଥଖଳା ଚଳଚଞ୍ଚଳ ହୋଇଉଠିଛି। ଆଜି ରଥଖଳାରେ ଚକଅଖ କାମ ଚାଲିଥିଲା। ତୁମ୍ବରେ ଅର ବିନ୍ଧ କାମ ଶେଷ ହେବା ପରେ ଅଖ ବିନ୍ଧ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେପଟେ ତୁମ୍ବରେ ସ୍ୱତନ୍ତ୍ର ମେସିନ୍ ଦ୍ୱାରା ଅଖବିନ୍ଧ ଓ ଅରଖଞ୍ଜା କାମ ଆଗେଇ ଚାଲିଛି। ଆଜି ୪ଟି ଓରାବିନ୍ଧ କାମ ଶେଷ ହୋଇଛି। ମହାଣ୍ଟ ଓ ପାର୍ଶ୍ୱ ମହାଣ୍ଟ କାମ ମଧ୍ୟ ଚାଲିଛି। ପନ୍ଦାରୀ, ବଳା, ପନ୍ଦାରୀ ଚାବି ନିର୍ମାଣ ସରି ତୁମ୍ବରେ ଲଗା ସରିଛି। କମାର ସେବକମାନେ ଅରକଣ୍ଟା, ପନ୍ଦାରୀ, ବଳା ତିଆରି ପରେ ପନ୍ଦାରୀ ଚାବି ଓ ଅନ୍ୟାନ୍ୟ ଆବଶ୍ୟକ ଲୌହସାମଗ୍ରୀ ତିଆରି କରିବାରେ ଲାଗି ପଡ଼ିଛନ୍ତି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ଵରେ ରଥଖଳାରେ ଆବଶ୍ୟକ କାଠ ପକାଯିବା ସହ ଯନ୍ତା ଓ ବିଲେଇ ବାଡ଼ିଆ କାମ ମଧ୍ୟ ଆଗେଇ ଚାଲିଛି।
ରଥ ଖଳା ହାଲଚାଲ : ଆଗେଇ ଚାଲିଛି ଚକଅଖ ଓ ଗୁଜ କାମ
Advertisment
Follow Us