ପୁରୀ: ମହୋଦଧିରେ ଗୋବିନ୍ଦ ଦ୍ବାଦଶୀ ସ୍ନାନ କରିଛନ୍ତି ଭକ୍ତ ଓ ପର୍ଯ୍ୟଟକ। ପୂର୍ବାହ୍‌ଣ ୧୦ଟା ୧୮ ମିନିଟ ଅମୃତ ମେଳା ଆରମ୍ଭ ହେବା ପରେ ସାଧୁ ସନ୍ଥଙ୍କ ସମେତ ଭକ୍ତମାନେ ସ୍ନାନ କରିଛନ୍ତି।  
ଫାଲଗୁନ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥିରେ ଅବସରରେ ସୂର୍ଯ୍ୟ କୁମ୍ଭରାଶିରେ ଅବସ୍ଥାନ କରିଥିବାରୁ ଗୋବିନ୍ଦ ଦ୍ବାଦଶୀ ସ୍ନାନ ଯୋଗ ସୃଷ୍ଟି ହୋଇଥିଲା। ଏହି ଗୋବିନ୍ଦ ଦ୍ବାଦଶୀ ଯୋଗ ଆସିଲେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରକୁ ଆସି ମହୋଦଧିରେ ବୁଡ଼ ପାଇଁ ଶାସ୍ତ୍ରର ନିର୍ଦ୍ଦେଶ ରହିଛି। ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ସକାଳ ସାଢ଼େ ୮ଟାରୁ ସିଂହଦ୍ବାର ଏମାର ମଠରୁ ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ବାହାରିଥିଲା। ଭକ୍ତମାନେ ବହୁ ସଂଖ୍ୟାରେ ଏହି ଆଧ୍ୟାତ୍ମିକ ଆଡ଼ମ୍ବର ଶୋଭାଯାତ୍ରାରେ ସାମିଲ ହୋଇ ସ୍ବର୍ଗଦ୍ବାରସ୍ଥିତ ଶ୍ରୀନାରାୟଣ ବିଜେ ଘାଟ ନିକଟରେ ପହଞ୍ଚିଥିଲେ। ମହୋଦଧି ତୀରରେ ବରୁଣ ପୂଜା ଓ ଆଳତି ପରେ ସ୍ନାନ ପର୍ବ ଅନୁଷ୍ଠିତ ହୋଇଛି। ଅମୃତ ବେଳା ୧୦ଟା ୧୮ରେ ପଡ଼ୁଥିବାରୁ ପ୍ରଥମେ ସେଇ ଘାଟରେ ସାଧୁ ସନ୍ଥ, ମହନ୍ତ, ସେବାୟତ ବୃନ୍ଦ ସ୍ନାନ କରିଥିଲେ। ପର୍ଯ୍ୟାୟକ୍ରମେ ଭକ୍ତମାନେ ମଧ୍ୟ ଏଠାରେ ସ୍ନାନ କରିଥିଲେ। ଏହାବ୍ୟତୀତ ଭକ୍ତମାନେ ମଧ୍ୟ ଅନ୍ୟ ବାଥିଂ ଜୋନରେ ଏହି ପବିତ୍ର ସ୍ନାନ ଯୋଗର ସୁବିଧା ନେଇଥିଲେ।

Advertisment

Origial Odia Names ଓଡ଼ିଶାର ବିଭିନ୍ନ ସ୍ଥାନର ଅପଭ୍ରଂଶ ଇଂରାଜୀ ନାମ ବଦଳିବ; ମୂଳ ଓଡ଼ିଆ ନାମର ହେବ ପୁନରୁଦ୍ଧାର

ନେବଳ ଦାସ ମଠର ମହନ୍ତ ରାମଚରଣ ଦାସ କହିଛନ୍ତି, ୪ଟି ନଦୀ କୂଳରେ ୧୨ ବର୍ଷରେ କୁମ୍ଭ ମେଳା ପଡ଼େ। ମାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାଖେଳା ମହୋଦଧିରେ ହୋଇଥିବାରୁ ଏହି ଗୋବିନ୍ଦ ଦ୍ବାଦଶୀ ଯୋଗରେ ମହୋଦଧିରେ ସ୍ନାନ କରି ମଣିଷ ପୁଣ୍ୟର ଅଧିକାରୀ ହୁଏ। ଏହା କୁମ୍ଭ ମେଳା ବୁଡ଼ଠୁ କମ୍‌ ନୁହେଁ।

ବରୁଣ ପୂଜା ଓ ଆଳତି ପରେ ସ୍ନାନ ପର୍ବ ଆରମ୍ଭ ହୋଇଥିଲା

ଗୋବିନ୍ଦ ଦ୍ବାଦଶୀ ସ୍ନାନ ଆୟୋଜନ ସମିତି ଆବାହକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ଉପସ୍ଥିତିରେ ବରୁଣ ପୂଜା ଓ ଆଳତି ପରେ ସ୍ନାନ ପର୍ବ ଆରମ୍ଭ ହୋଇଥିଲା। ମହୀପ୍ରକାଶ ମଠ ମହନ୍ତ ଶୁଭାନନ୍ଦ ପୁରୀ କହିଛନ୍ତି, ଗୋବିନ୍ଦ ଦ୍ବାଦଶୀ ସ୍ନାନ ସମ୍ପର୍କରେ ବାମଦେବ ସଂହିତା, ବାୟୁ ପୁରାଣ, ବ୍ରହ୍ମାଣ୍ଡ ପୁରାଣ, ବିଷ୍ଣୁ ଧର୍ମୋତ୍ତର ଆଦି ଶାସ୍ତ୍ରରେ ବର୍ଣ୍ଣନା ରହିଛି। ଅମୃତ ବେଳାରେ ସ୍ନାନ କଲେ ସମସ୍ତ ପାତକ ନାଶ ହୁଏ ବୋଲି ଶାସ୍ତ୍ର ବର୍ଣ୍ଣିତ ହୋଇଛି। 
ପରିବର୍ତ୍ତନ ଓଡ଼ିଶା, ଶ୍ରୀକ୍ଷେତ୍ର ମଠାଧୀଶ ସେବା ସଂଘ, ଶ୍ରୀମନ୍ଦିର ଛତିଶା ନିଯୋଗ, ଆଠସାହି ଆଖଡ଼ା, ଶ୍ରୀଜଗନ୍ନାଥ ସେବା ସଂସ୍ଥାନ, ବିଶ୍ବହିନ୍ଦୁ ପରିଷଦ, ପଞ୍ଚତୀର୍ଥ ସେବାୟତ, ବଜରଙ୍ଗ ଦଳ ସହ ଅନ୍ୟ ସଂଗଠନ ସହଯୋଗରେ ଏହାକୁ ଭବ୍ୟ ଆକାରରେ ପାଳନ କରାଯାଇଛି।  ଉତ୍ତରପାର୍ଶ୍ବ ମଠର ନାରାୟଣ ରାମାନୁଜ ଦାସ, ସାବୁତ ନିଯୋଗ ସମ୍ପାଦକ ବିପିନ ପତ୍ରୀ, ମହାସୁଆର ନିଯୋଗ ସମ୍ପାଦକ ଗଣେଶ୍ବର ମହାସୁଆର, ଲୋକନାଥ ମନ୍ଦିର ସେବାୟତ ସଂଘ ସଭାପତି ରବିନାରାୟଣ ପଣ୍ଡା, ଆଠସାହି ଆଖଡ଼ା ସଂଯୋଜକ ନରେନ୍ଦ୍ର ମହାନ୍ତି, ପରିବର୍ତ୍ତନ ଓଡ଼ିଶା ସଭାପତି ଜିତେନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ସନ୍ଥସାମିଲ ହୋଇଥିଲେ।