ଶିଶୁ ସଦନରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ

ଶିଶୁ ସଦନରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ବର/ପୁରୀ: ମା’କୁ ହତ୍ୟା କରିବା ଅଭିଯୋଗରେ ଆଦୃତା ଶିଶୁ ସଦନରେ ରହୁଥିବା ଜଣେ ନାବାଳକଙ୍କର ସନ୍ଦେହଜନକ ମୃତ୍ୟୁଘଟିଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅପରପକ୍ଷେ ସାମାନ୍ୟ ଟାବଲେଟ୍‌ ପାଇଁ ତାଙ୍କ ନାବାଳକ ପୁଅକୁ ହତ୍ୟା କରାଯାଇଥିବା ନେଇ ଆଜୀବନ କାରାଦଣ୍ଡ ଭୋଗୁଥିବା ବାପା ନିହାର ପ୍ରଧାନ ଅଭିଯୋଗ କରିଛି। ଏନେଇ ପେଣ୍ଠକଟା ସାମୁଦ୍ରିକ ଥାନାରେ ଅଭିଯୋଗ କରିବ ବୋଲି ନିହାର ଆଜି ରାତିରେ ସଦର ମୁଖ୍ୟ ଚିକିତ୍ସାଳୟରେ କହିଛି।

ଟାବଲେଟ୍‌ ପାଇଁ ପୁଅକୁ ମାରିଦେଲେ: ବାପା
ନାବାଳକ ଥିଲା ମା’ ହତ୍ୟା ଅଭିଯୁକ୍ତ

ନିହାର କହିଛି ଯେ ପ୍ରାୟ ଏକ ବର୍ଷ ହେବ ତାଙ୍କ ଦୁଇପୁଅଙ୍କୁ ପେଣ୍ଠକଟା ସାମୁଦ୍ରିକ ଥାନା ଅଞ୍ଚଳରେ ଥିବା ଆଦୃତା ଶିଶୁ ସଦନରେ ରଖାଯାଇଥିଲା। ଗତକାଲି ତା’ର ନାବାଳକ ପୁଅ ଓ ଅନ୍ୟ ଜଣେ ଅନ୍ତେବାସୀ ମଧ୍ୟରେ ଟଣାଓଟରା ସମୟରେ ଏକ ଟାବଲେଟ୍‌ ଭାଙ୍ଗିଯାଇଥିଲା। ଏଥିପାଇଁ ଆଦୃତା ଶିଶୁ ସଦନ ଅଧୀକ୍ଷକ କାମେଶ୍ବର ନାୟକ ପାଟିତୁଣ୍ଡ କରିବା ସହ ତାଙ୍କୁ ମାଡ଼ ମାରିଥିଲେ। ଏହାକୁ ନେଇ ଶାଶ୍ବତ ପ୍ରତିବାଦ କରିବାରୁ ତାଙ୍କୁ ହତ୍ୟା କରି ଖଟ ବାଡ଼ରେ ଝୁଲାଇ ଦିଆଯାଇଥିବା ନେଇ ନିହାର ଅଭିଯୋଗ କରିଛି। ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀକୁ ଉଚିତ ଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛି।

ସୂଚନାଯୋଗ୍ୟ ଯେ ୨୦୧୩ ମସିହାରେ ପୁରୀ ସଦର ଥାନା ଅନ୍ତର୍ଗତ ବନ୍ଦାଳଠାରେ ଏକ ଗୁଳିକାଣ୍ଡ ଓ ହତ୍ୟା ମାମଲାରେ ନିହାର ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଛି। ଏହାପରେ ନିହାରର ପତ୍ନୀ ବିନୋଦିନୀ ମିଶ୍ର ସ୍ବାମୀଙ୍କଠାରୁ ଅଲଗା ହୋଇ ଭୁବନେଶ୍ବର ଏୟାରଫିଲ୍‌ଡ ଥାନା ଅନ୍ତର୍ଗତ ସୁନ୍ଦରପଦାରେ ଏକ ଆପାର୍ଟମେଣ୍ଟ୍‌ ଭଡ଼ାନେଇ ନିଜର ଦୁଇପୁଅଙ୍କ ସହ ରହୁଥିଲେ। ବିନୋଦିନୀ ନିଜ ସ୍ବାମୀଙ୍କୁ ଛାଡ଼ି ଦେଇଥିବା ବେଳେ ସେ ନିଶାସକ୍ତ ହୋଇ ଦୁଇପୁଅଙ୍କୁ ମାଡ଼ ମାରୁଥିଲେ। ୨୦୨୦ ମସିହା ସେପ୍ଟେମ୍ବର ୧୬ ତାରିଖ ରାତିରେ ଦୁଇଭାଇଙ୍କୁ ବିନୋଦିନୀ ପୁଣି ନିଶାସକ୍ତ ଅବସ୍ଥାରେ ମାଡ଼ ମାରିବାରୁ ହଠାତ୍‌ ଜଣେ ତାଙ୍କ ମୁଣ୍ଡକୁ ଏକ ଲୁହା ରଡ୍‌ରେ ପିଟିଦେଇଥିଲେ। ଫଳରେ ବିନୋଦିନୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଏଥିରେ ହଡ଼ବଡ଼େଇ ଯାଇ ଦୁଇଭାଇ ମା’ ବିନୋଦିନୀଙ୍କୁ ଗାଧୁଆଘରେ ରଖି ବାହାରପଟୁ ତାଲାପକାଇ ପଳାଇଥିଲେ। ପରଦିନ ସୁରକ୍ଷା କର୍ମୀଙ୍କଠାରୁ ସୂଚନା ପାଇ ପୁଲିସ ଆପାର୍ଟମେଣ୍ଟ୍‌ରେ ପହଞ୍ଚି ବିନୋଦିନୀଙ୍କ ମୃତଦେହ ଜବତ କରିବା ସହ ଦୁଇଭାଇଙ୍କୁ ଧରି କିଶୋର ନ୍ୟାୟ ବୋର୍ଡ ସମ୍ମୁଖରେ ହାଜର କରିଥିଲା। ଭୁବନେଶ୍ବର ଜେଜେବି ତାଙ୍କୁ ପୁରୀ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଇଥିଲା। ତେଣୁ ଏହି ଦୁଇ ଭାଇ ଆଦୃତା ଶିଶୁ ସଦନରେ ରହୁଥିଲେ।

ଏସମ୍ପର୍କରେ ପେଣ୍ଡକଟା ଥାନା ଅଧିକାରୀ ବାମଦେବ ନନ୍ଦ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ମୃତ ନାବାଳକଙ୍କ ବାପା କୌଣସି ଅଭିଯୋଗ କରିନାହାନ୍ତି। ନାବାଳକଙ୍କ ମୃତ୍ୟୁ ନେଇ ପୁଲିସ ୪/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି କ୍ରମରେ ଆଦୃତା ଶିଶୁ ସଦନ ଅଧୀକ୍ଷକ କାମେଶ୍ବର ନାୟକଙ୍କୁ ପଚରାଉଚରା କରାଯାଉଛି। ସେହିପରି ରାତିରେ ଜେଲ୍‌ରେ ଥିବା ନିହାର ଆସି ପୁଅର ମୃତଦେହ ଦେଖିଛନ୍ତି ବୋଲି ଶ୍ରୀ ନନ୍ଦ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe