ବୈଚିତ୍ର୍ୟମୟ ଠାକୁର ଶ୍ରୀ ଜଗନ୍ନାଥଙ୍କ ଲୀଳା, ନୀତି ତଥା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ଯେତିକି ଦୁଃସାଧ୍ୟ, ସେତିକି ବୈଚିତ୍ର୍ୟମୟ। ତାଙ୍କ ବିଷୟରେ ଆଲୋଚନା କରିବା ତହୁଁ ବଳି ଦୁଃସାଧ୍ୟ। ସେଥିପାଇଁ ଭାଗବତ ରଚୟିତା ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭାଷାରେ - “ଯା ଲୀଳା ଦେବେ ଅଗୋଚର, କେ ବର୍ଣ୍ଣିପାରେ ଲୀଳା ତାର।” ତେଣୁ ତାଙ୍କର ଲୀଳା ବର୍ଣ୍ଣନା କରିବା ମନୁଷ୍ୟପକ୍ଷେ ସମ୍ଭବ ନୁହେଁ। ମହାପ୍ରଭୁ ଯେତିକି କୃପା କରନ୍ତି ଭକ୍ତଗଣ ତାଙ୍କୁ ସେତିକି ଜାଣିପାରନ୍ତି। ଯେଉଁ ମହାପ୍ରଭୁ ସମଗ୍ର ଜଗତର ସ୍ରଷ୍ଟା, ମାଳ ମାଳ ବ୍ରହ୍ମାଣ୍ଡ ଯାହାଙ୍କର ଲୋମକୂପରେ ରହିଥା’ନ୍ତି।
“ବ୍ରହ୍ମାଣ୍ଡ ମାଳ ମାଳ ହୋଇ, ତୋ’ ଲୋମକୂପେ ଛନ୍ତି ରହି।” (ଭାଗବତ)
ଯେ ଅନାଦି ଅନନ୍ତ, ଯାହାଙ୍କ ଇଚ୍ଛାରେ ଅନନ୍ତ କୋଟି ବ୍ରହ୍ମାଣ୍ଡର ସମସ୍ତେ ଆତଯାତ ତାଙ୍କର ରହସ୍ୟ ଭେଦ କରିବା ଦେବତାମାନଙ୍କ ପକ୍ଷରେ ମଧ୍ୟ ଅସମ୍ଭବ। ସର୍ବଂରହସ୍ୟ ପୁରୁଷୋତ୍ତମସ୍ୟ, ଦେବାଃ ଜାନାନ୍ତି କୁତଃ ବା ମନୁଷ୍ୟାଃ।” ସେହି ବିଶ୍ବନିୟନ୍ତା ଭଗବାନ କିନ୍ତୁ ଭକ୍ତର ଅଧୀନ। ଭକ୍ତିର ଡୋରିରେ ଯେ ତାଙ୍କୁ ବାନ୍ଧିପାରିଲା ସେ ତା’ର ହୋଇଥା’ନ୍ତି। ମହାପ୍ରଭୁ କଳିଯୁଗରେ ଶ୍ରୀକ୍ଷେତ୍ରରେ ଯେଉଁ ଲୀଳା କରୁଛନ୍ତି ଏସବୁ କେବଳ ଭକ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ। ଭକ୍ତଙ୍କୁ ଉଦ୍ଧାର କରିବା ନିମିତ୍ତ ପ୍ରଭୁଙ୍କର ଏହି ଲୀଳା। ମହାପ୍ରଭୁଙ୍କର ଏହି ଲୀଳାରେ ମା’ ବିମଳାଙ୍କ ଏକ ସ୍ୱତନ୍ତ୍ରତା ରହିଛି। ମା’ ବିମଳାଙ୍କୁ କ୍ଷେତ୍ରେଶ୍ବରୀ, ବଡ଼ବାଡ଼ ସାଆନ୍ତାଣୀ, ବିମଳେଇ ଏହିପରି ବିଭିନ୍ନ ନାମରେ ଭକ୍ତମାନେ ଡାକିଥାନ୍ତି। ଓଡ଼ିଆ ଲୋକସାହିତ୍ୟରେ ଏକ ପ୍ରାଚୀନ ପଦ୍ୟ, ଯାହାକୁ ଚକୁଳିଆ ପଣ୍ଡାମାନେ ମଧ୍ୟ ଗାନ କରି କରି ଭିକ୍ଷା କରିଥା’ନ୍ତି ତାହା ସ୍ମରଣଯୋଗ୍ୟ।
“ବାଣପୁରେ ଭଗବତୀ, ଶ୍ରୀକ୍ଷେତ୍ରେ ବିମଳା, କାକଟପୁରେ ରହିଲୁ, ତୁହି ମା’ ମଙ୍ଗଳା
ଝଙ୍କଡ଼େ ସାରଳା ନାମ ଅଟଇ ତୋହର, ବିରଜାଇ ନାମେ ବିଜେ କଲୁ ଯାଜପୁର
ବାଙ୍କିରେ ନାମ ତୋହର ମା’ ଚର୍ଚ୍ଚିକାଇ, ସମ୍ବଲପୁରେ ରହିଲୁ ମା’ ସମଲାଇ
ତାଳଚେରେ ହିଙ୍ଗୁଳାଇ ଅଟେ ତୋ’ର ନାଆଁ, ଏହିପରି ଖ୍ୟାତ ତୋ’ର ଆଠଗୋଟି ନାଆଁ।”
ଏହି ପଦ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିରାଜିତ ଅଷ୍ଟଚଣ୍ଡୀଙ୍କର ବର୍ଣ୍ଣନା ରହିଛି, ଏହି ଅଷ୍ଟଚଣ୍ଡୀ ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଓତପ୍ରୋତ ଭାବରେ ଜଡ଼ିତ ହୋଇ ରହିଛନ୍ତି। ତନ୍ତ୍ର ମତରେ ବିମଳାଙ୍କୁ ଭୈରବୀ ଓ ଜଗନ୍ନାଥଙ୍କୁ ଭୈରବ ବୋଲି କୁହାଯାଇଥାଏ। ପ୍ରତ୍ୟେକ ଦିନ ଜଗନ୍ନାଥଙ୍କୁ ପ୍ରସାଦ ଅର୍ପିତ ହେଲାପରେ ପୁନର୍ବାର ମା’ ବିମଳାଙ୍କୁ ଅର୍ପିତ ହୋଇଥାଏ, ସେଥିପାଇଁ ସ୍ୱତନ୍ତ୍ର ‘ବିମଳେଇ ଥାଳି’ର ବ୍ୟବସ୍ଥା ରହିଛି। ବିମଳାଙ୍କୁ ଅର୍ପିତ ହେଲା ପରେ ସେହି ପ୍ରସାଦ ‘ମହାପ୍ରସାଦ’ର ମାନ୍ୟତା ପାଇଥାଏ। କେତେକ ଭକ୍ତ ଏହାକୁ ‘ମା ପ୍ରସାଦ’ ମଧ୍ୟ କହିୁଥାନ୍ତି। ସମଗ୍ର ବିଶ୍ବରେ ‘ପ୍ରସାଦ’ କୌଣସି ଦେବତାଙ୍କୁ ସମର୍ପିତ ହେଲାପରେ ପୁନର୍ବାର କୌଣସି ଦେବୀ ବା ଦେବତାଙ୍କ ୁ ଅର୍ପିତ ହେବା କୁତ୍ରାପି ଦେଖାଯାଏ ନାହିଁ। ଏହା କେବଳ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଥାଏ। ଏହା ହିଁ ମା’ ବିମଳାଙ୍କ ସ୍ୱତନ୍ତ୍ରତା।
ଏହା ପଛରେ ପୁରାଣ କାହାଣୀ ରହିଛି- ଏକଦା ଭକ୍ତ ଦେବର୍ଷି ନାରଦ ଭଗବାନ ବିଷ୍ଣୁଙ୍କର ପ୍ରସାଦ ପାଇବାକୁ ଇଚ୍ଛା କଲେ। ସେଥିପାଇଁ ବୈକୁଣ୍ଠରେ ମା’ ଲକ୍ଷ୍ମୀଙ୍କ ନିକଟରେ ପ୍ରାର୍ଥନା କଲେ, ମାତ୍ର ବିଷ୍ଣୁଙ୍କ ଆଜ୍ଞା ନଥିବାରୁ ନାରଦଙ୍କୁ ପ୍ରସାଦ ଦେଇପାରିବେନି ବୋଲି ମା’ ଜଣାଇଦେଲେ। ନାରଦ ଗୋଟିଏ ସ୍ତ୍ରୀରୂପ ଧରି ବୈକୁଣ୍ଠରୁ ଓହ୍ଲାଇବାଠାରୁ ଆରମ୍ଭ କରି ଯାବତୀୟ କାର୍ଯ୍ୟ କରିବାକୁ ଲାଗିଲେ ଦାସୀ ରୂପରେ। ଏହା ଅବଶ୍ୟ ମା’ ଲକ୍ଷ୍ମୀଙ୍କୁ ଅଗୋଚର ନଥିଲା। ପ୍ରତ୍ୟେକ ଦିନ ବିଷ୍ଣୁଙ୍କ ପ୍ରସାଦ ମା’ ଲକ୍ଷ୍ମୀ ପାଇଥାନ୍ତି। ଥରେ ମା’ ଭୋଜନ କରିସାରିବା ପରେ କିଛି ଖାଦ୍ୟ ପତ୍ରରେ ଲାଗିଥାଏ। ସମସ୍ତ ଅଗୋଚରରେ ନାରଦ କୈବଲ୍ୟ ପ୍ରସାଦ ଟିକକ ପାଇ ମହାଆନନ୍ଦରେ ମୁଣ୍ଡରେ ହାତ ପୋଛିଦେଲେ। ଅବଶ୍ୟ ଅନ୍ତର୍ଯ୍ୟାମୀ ନାରାୟଣଙ୍କୁ ଏହା ଅଛପା ନଥିଲା। ନାରଦ ଲକ୍ଷ୍ମୀନାରାୟଣଙ୍କ ପ୍ରସାଦ ପାଇ ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲେ। ଏତେବଡ଼ ଭାଗ୍ୟ, ଭକ୍ତ ଆଜି ଜଗତର ପିତାମାତାଙ୍କର କୈବଲ୍ୟ ବା ନିର୍ମାଲ୍ୟ କଣିକାଏ ପାଇପାରିଛି, ସେହି ଆନନ୍ଦରେ ଦେବର୍ଷି ନାରଦ ନୃତ୍ୟ କରି ନାରାୟଣ ନାରାୟଣ ଜପ କରି କରି କୈଳାସପତି ଶିବଙ୍କ ନିକଟରେ ପହଞ୍ଚିଲେ। ଶିବ ନାରଦଙ୍କର ଏପରି ଆନନ୍ଦର କାରଣ ଜାଣି ଦେଖିଲେ ନାରଦଙ୍କ ଜଟରେ ପୋଛିଥିବା କୈବଲ୍ୟ କଣିକାଏ ଲାଗିଛି। ସେ ତାହାକୁ ନେଇ ଉଦରସ୍ଥ କରି ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲେ। ଉଭୟ ଲକ୍ଷ୍ମୀନାରାୟଣଙ୍କ ପ୍ରସାଦ ପାଇ ଆନନ୍ଦରେ ନୃତ୍ୟ କରଥୁ।ନ୍ତି। ଏତିକି ବେଳେ ମା’ ପାର୍ବତୀ ପହଞ୍ଚିଲେ। ଉଭୟଙ୍କର ଆନନ୍ଦର କାରଣ ଜାଣି ସେ ଚିନ୍ତା କଲେ ଯେ, ସେ କ’ଣ ଏତେ ଅଭାଗିନୀ ଯେ ବିଷ୍ଣୁଙ୍କ ପ୍ରସାଦ ଟିକକ ପାଇବେନି। ଏହା ଭାବି ସେ ମନ ଦୁଃଖରେ ତପସ୍ୟା କରିବାକୁ ଲାଗିଲେ। ବିଷ୍ଣ ୁ ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ପ୍ରକଟ ହେଲେ। ତପସ୍ୟାର କାରଣ ଜିଜ୍ଞାସା କରି ତାଙ୍କୁ ବର ପ୍ରଦାନ କଲେ ଯେ କଳିଯୁଗରେ ସେ ସବୁଦିନେ ତାଙ୍କ ପ୍ରସାଦ ପାଇବେ ଓ ତାଙ୍କ ପ୍ରସାଦ ବିମଳାଙ୍କୁ(ପାର୍ବତୀଙ୍କୁ) ଅର୍ପିତ ନହେଲେ ମହାପ୍ରସାଦ ପଦବାଚ୍ୟ ହେବ ନାହିଁ। ତେଣୁ ବିଷ୍ଣୁ, ଜଗନ୍ନାଥ ଓ ପାର୍ବତୀ ବିମଳା ରୂପେ ରହିଛନ୍ତି।
ଅନ୍ୟ ପୁରାଣ ଅନୁସାରେ ଦକ୍ଷ ଯଜ୍ଞକୁଣ୍ଡରେ ସତୀ ଆତ୍ମବିସର୍ଜନ କଲାପରେ ଶିବ ତାଙ୍କର ଅର୍ଦ୍ଧଦଗ୍ଧ ଶରୀରକୁ ଧରି ସମଗ୍ର ଭାରତର ବିଭିନ୍ନ ସ୍ଥାନ ଘୂରି ବୁଲିଥିଲେ। ବ୍ରହ୍ମା ତଥା ଅନ୍ୟାନ୍ୟ ଦେବତାଙ୍କ ପ୍ରାର୍ଥନାରେ ସୃଷ୍ଟି ରକ୍ଷା ନିମନ୍ତେ ବିଷ୍ଣୁ ସୁଦର୍ଶନ ଚକ୍ର ଦ୍ୱାରା ସତୀଙ୍କ ଶରୀରର ବିଭିନ୍ନ ଅଙ୍ଗକୁ କାଟିବାକୁ ଲାଗିଲେ। ସତୀଙ୍କ ଶରୀରର ବିଭିନ୍ନ ଅଂଶ ଯେଉଁଠି ପଡୁଥିଲା ସେହିଠାରେ ଏକ ଶକ୍ତିପୀଠ ସୃଷ୍ଟି ହୋଇଥିଲା ଓ ଶିବ ଏକ ଭୈରବ ରୂପରେ ସେଠାରେ ଜଗି ରହୁଥିଲେ। ଶ୍ରୀକ୍ଷେତ୍ରରେ ସତୀଙ୍କ ବାମପାଦ (କେତେକଙ୍କ ମତରେ ଜିହ୍ୱା) ପଡ଼ିଥିଲା ଓ ସେହିଠାରେ ବିମଳା ରୂପରେ ପୂଜିତା ହେଲେ।
“ଉତ୍କଳେ ନାଭିଦେଶେଶ୍ଚ ବିରଜା କ୍ଷେତ୍ରମୁଚ୍ୟତେ, ବିମଳାସ୍ୟ ମହାଦେବୀ ଜଗନ୍ନାଥଶ୍ଚ ଭୈରବ।” (ଦେବୀ ଭାଗବତ)
ତେଣୁ ଜଗନ୍ନାଥ ଭୈରବ ଏବଂ ବିମଳା ହେଉଛନ୍ତି ଭୈରବୀ। ଗବେଷକଙ୍କ ମତରେ ବିମଳା, ବଳଭଦ୍ରଙ୍କ ସ୍ତ୍ରୀ। ସେଥିପାଇଁ ବଳଭଦ୍ରଙ୍କ ଅଧର ଫଳକ ଓ ଧଣ୍ଡାମାଳ ଇତ୍ୟାଦି ବିମଳାଙ୍କୁ ଅର୍ପିତ ହୋଇଥାଏ ଓ ସେଥିପାଇଁ ବଡ଼ବାଡ଼ ସାଆନ୍ତାଣୀ କୁହାଯାଏ।
ଦୁର୍ଗାପୂଜା ସମୟରେ ଜଗନ୍ନାଥଙ୍କ ପ୍ରତିନିଧି ଭାବରେ ମାଧବ ଏବଂ ବିମଳାଙ୍କ ପ୍ରତିନିଧି ଭାବରେ ଦୁର୍ଗା, ଏକତ୍ର ଭୈରବ ଓ ଭୈରବୀ ରୂପରେ ଗୋଟିଏ ମଣ୍ଡପରେ ପୂଜିତ ହୁଅନ୍ତି। ମା’ଙ୍କର ଷୋଡ଼ଶ ପୂଜା ସମୟରେ ବିମଳାଙ୍କୁ ଫୁଲ, ଶାଢ଼ି ଇତ୍ୟାଦି ଦ୍ୱାରା ସୁନ୍ଦର ଭାବରେ ସଜାଇ ଦିଆଯାଏ। ବିମଳା ବିଭିନ୍ନ ସମୟରେ ବନଦୁର୍ଗା, ଭୁବନେଶ୍ୱରୀ, ନାରାୟଣୀ, ବଗଳା, ଜୟଦୁର୍ଗା, ଉଗ୍ରତାରା, ମାତଙ୍ଗିନୀ, ଦଶଭୂଜା, ରାଜରାଜେଶ୍ୱରୀ, ହରଚଣ୍ଡୀ ଓ ସିଂହବାହିନୀ ରୂପରେ ପୂଜିତା ହୁଅନ୍ତି।
ଆଶ୍ୱିନ କୃଷ୍ଣପକ୍ଷ ସପ୍ତମୀ ତିଥିଠାରୁ ଆରମ୍ଭ ହୋଇ ଷୋଳଦିବସ ପୂଜା ହୁଏ। ତାନ୍ତ୍ରିକ ମତରେ ପୂଜା ହେଉଥିବାରୁ ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ ନିଶାର୍ଦ୍ଧରେ ଛାଗବଳି ଦିଆଯାଏ। ଏହାକୁ ଶାକ୍ତ ଗୁଣ୍ଡିଚା ମଧ୍ୟ କୁହାଯାଏ। ଦୁର୍ଗାଙ୍କର ଅନ୍ୟ ନାମ ବିମଳା। ଏହା ନିମ୍ନଲିଖିତ ଶ୍ଳୋକରୁ ଜଣାଯାଏ।
“ଦୁର୍ଗା ଭଗବତୀ ଭଦ୍ରା, ଶିବା ସ୍ୱର୍ଗାପବର୍ଗଜା, ଚଣ୍ଡିକା କାଳିକା ବାଳା ବିମଳା ସତୀ।” ତେଣୁ ବିମଳା ସ୍ୱୟଂ ଶକ୍ତିସ୍ୱରୂପିଣୀ ଜଗଜ୍ଜନନୀ। ସେହି ଆନନ୍ଦମୟୀ ଭଗବତୀ ଦୁର୍ଗା ଓ ସଚ୍ଚିଦନନ୍ଦ ମାଧବ ଶ୍ରୀ ଜଗନ୍ନାଥଙ୍କ ଯୁଗଳ ଉପାସନା, ଦୁର୍ଗାମାଧବ ଉପାସନା ରୂପେ ଖ୍ୟାତ। ସମସ୍ତଙ୍କର ସୁଖଶାନ୍ତି ପାଇଁ ତାଙ୍କୁ ପ୍ରାର୍ଥନା କରାଯାଏ।
“ଯେ ଦୁର୍ଗା ମାଧବଂ ନିତ୍ୟଂ ସ୍ମରନ୍ତି ଶ୍ରଦ୍ଧୟାନ୍ୱିତଃ, ସର୍ବବିଘ୍ନ ଭୟଂତେଷାଂ ବିନଶ୍ୟନ୍ତି ପଦେ ପଦେ।”
ବରିଷ୍ଠ ଗବେଷକ
ମୋ-୯୬୬୮୭୧୫୫୬୩
Follow Us