ପୁରୀରେ କେନ୍ଦ୍ରୀୟ ଯୋଜନାକୁ ‌ରୋକୁଛି କିଏ ? ‘ପ୍ରସାଦ’ ଅଟକିଲା, ‘ହୃଦୟ’କୁ ବି ଧୋକା

Advertisment

ବର୍ଷକ ତଳୁ ଅବଧି ସରିଲାଣି‌, ଅଧାପନ୍ତରା କାମ, ଖର୍ଚ୍ଚ ହୋଇନି ଟଙ୍କା

ବର୍ଷକ ତଳୁ ଅବଧି ସରିଲାଣି‌, ଅଧାପନ୍ତରା କାମ, ଖର୍ଚ୍ଚ ହୋଇନି ଟଙ୍କା

ପୁରୀରେ କେନ୍ଦ୍ରୀୟ ଯୋଜନାକୁ ‌ରୋକୁଛି କିଏ ? ‘ପ୍ରସାଦ’ ଅଟକିଲା, ‘ହୃଦୟ’କୁ ବି ଧୋକା

ପୁରୀ, (ଗଦାଧର ପଣ୍ଡା): ପୁରୀରେ କେନ୍ଦ୍ର ସରକାରଙ୍କ ‘ପ୍ରସାଦ’ ଯୋଜନାରେ ବଗଲା ଧର୍ମଶାଳା ସ୍ଥାନରେ ଚାଲିଥିବା ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ କାମକୁ ରୋକାଯାଇ ଏହି ଜମିକୁ ବିକ୍ରି କରାଯାଇଥିବା ଅଭିଯୋଗ ଉଠିଛି। ଏପଟେ ପୁରୀରେ କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନା ଭଳି ଏଠାରେ ଚା‌ଲିଥିବା ଅନ୍ୟ ଏକ ବୃହତ୍ତ ଯୋଜନା ‘ହୃଦୟ’ (ହେରିଟେଜ ସିଟି ଡେଭଲ୍‌ପମେଣ୍ଟ ଆଣ୍ଡ୍‌ ଅଗମେଣ୍ଟେସନ ଯୋଜନା) କିଭଳି ବାଟବଣା ହୋଇଛି ସେ ସଂପର୍କରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଲାଣି।

ଏହି ଯୋଜନାର ଅବଧି ୨୦୧୯ ମାର୍ଚ୍ଚରୁ ସରିଯାଇଥିଲେ ହେଁ ରାଜ୍ୟ ସରକାର କେନ୍ଦ୍ର ସରକାର ଦେଇଥିବା ୨୨.୫୪ କୋଟି ଟଙ୍କାକୁ ଏ ଯାଏ ଖର୍ଚ୍ଚ କରିପାରିନାହାନ୍ତି। ଏହି ଯୋଜନାରେ ନିର୍ମାଣଧୀନ ପ୍ରକଳ୍ପ ଏବେ ବି ଅଧାପନ୍ତରା ହୋଇ ପଡ଼ିରହିଛି। ଏହି ଯୋଜନାରେ ୩ କୋଟି ଟଙ୍କ‌ାରେ ନିର୍ମାଣ ହୋଇଥିବା ବାଙ୍କୀ ମୁହାଣ ପାର୍କକୁ ଛାଡି ଦେଲେ ଅନ୍ୟ ୫ ପ୍ରକଳ୍ପ (ଅବଧି ସରିଥିଲେ ସୁଦ୍ଧା) ସ୍ଥିତି ନକହିବା ଭଲ। କିଛି ସ୍ଥାନରେ କାମ ୨୦ରୁ ୩୦% ସରିନଥିବା ବେଳେ ପ୍ରଶାସନ ଏହାକୁ ୬୦ ରୁ ୮୫ ପ୍ରତିଶତ ସରିଥିବା ଦର୍ଶାଇଥିବାର ଅଭିଯୋଗ ମଧ୍ୟ ହୋଇଛି।

ତଥ୍ୟ ମୁତାବକ, କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୧୫ରେ ଜାନୁଆରି ୨୧ ତାରିଖରେ ଭାରତର ୧୨ଟି ଐତିହ୍ୟ ସହରର ବିକ‌ାଶ ପାଇଁ ପାଇଁ ୫୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଥିଲା। ଏହି କାମକୁ ୪ ବର୍ଷ ୩ ମାସ ଅର୍ଥାତ ମାର୍ଚ୍ଚ ୨୦୧୯ ଭିତରେ ସାରିବାକୁ ନିର୍ଦ୍ଦେଶ ଥିଲା। କେନ୍ଦ୍ର ସରକାରଙ୍କ ଅନୁଦାନ ଅର୍ଥ ରାଜ୍ୟ ସରକାର ଖର୍ଚ୍ଚ କରିବେ ବୋଲି ଧାର୍ଯ୍ୟ ହୋଇଥିଲା। ଏହି ଯୋଜନାର ଧାର୍ଯ୍ୟ ଅବଧି ଅତିକ୍ରମ ହୋଇସାରିଥିବ‌ା ବେଳେ ପୁରୀରେ ହୃଦୟ ଯୋଜନାର ସ୍ଥିତି ସୁଧୁରି ନାହିଁ। ୬ଟି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୨୨ କୋଟି ଟଙ୍କା ଅନୁଦ‌ାନ ଘୋଷଣା କରିଥିଲେ। ‌ସେଥିରୁ ପର୍ଯ୍ୟାୟକ୍ରମେ ୧୨ କୋଟି ୬୯ ଲକ୍ଷ ୧୦ ହଜାର ୯୦୯ ଟଙ୍କା କେନ୍ଦ୍ର ସରକାର ଦେଇ ସାରିଛନ୍ତି। ମାତ୍ର ଏହି ସମସ୍ତ ଅର୍ଥକୁ ରାଜ୍ୟ ସରକାର ଖର୍ଚ୍ଚ କରିବାକୁ ଅସମର୍ଥ ରହିଛି। ସ୍ଥାନୀୟ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଏ ମହତ ଯୋଜନା ମଧ୍ୟ ବାଟବଣା ହୋଇଛି। ଯୋଜନାରେ ପୁରୀର ତୀର୍ଥ ପୁଷ୍କରିଣୀ ଓ ଜାଗା ଘର ପୁନରୁଦ୍ଧାର ପାଇଁ ୭୯ ଲକ୍ଷ ୯୭ ହଜାର ୧୨୬ ଟଙ୍କା ଅନୁଦାନ ଘୋଷଣ‌ା ହୋଇଥିଲା। ‌ସେଥିରୁ ୭୯ ଲକ୍ଷ ୯୦ ହଜାର ଟଙ୍କା ମିଳିସାରିଛି।

ତେବେ ଏହାର ନିର୍ମାଣ କାମ ୭୯ ପ୍ରତିଶତ ରିପୋର୍ଟରେ ଦର୍ଶାଯାଇଥିବା ବେଳେ ବାସ୍ତବତା କିନ୍ତୁ ଭିନ୍ନ ରହିଛି। ସେହିଭଳି ଅଠରନଳା ସୌନ୍ଦର୍ଯ୍ୟକରଣ ପାଇଁ ୫ କୋଟି ଟଙ୍କାରୁ ଏକ କୋଟି ୫୪ ଲକ୍ଷ ଟଙ୍କା ମିଳିଛି। ଏହାର ନିର୍ମାଣ କାମ ୬୫ ପ୍ରତିଶତ ସରିଥିବା ରିପୋର୍ଟରେ ଦର୍ଶାଯାଇଥିବ‌ା ବେଳେ ଏଠାରେ ୨୦ ପ୍ରତିଶତ କାମ ମଧ୍ୟ ହୋଇନଥିବ‌ା ଜଣାପଡିଛି। ଜଗନ୍ନ‌ାଥ ବଲ୍ଲଭ ମଠ ପାଇଁ ୬ କୋଟି ୫୭ଲକ୍ଷ ୮୬ ହଜାର ଟଙ୍କାରୁ ୪ କୋଟି ୭ଲକ୍ଷ ମିଳିଛି। ଏହାର ନିର୍ମାଣ କାମ ୮୦ ପ୍ରତିଶତ ସରିଥିବା ରିପୋର୍ଟରେ କୁହାଯାଇଛି।

ବଡଓଡ଼ିଆ ମଠ ଓ ଗଙ୍ଗ‌ାମାତା ମଠ ପାଇଁ ଏକ କୋଟି ୮୨ ଲକ୍ଷରୁ ୧ କୋଟି ୪୭ଲକ୍ଷ ମିଳିଛି ଓ ଏହାର କାମ ୭୫ ପ୍ରତିଶତ ସରିଥିବା ଦର୍ଶାଯାଇଛି। ମାତ୍ର କାମ ବାସ୍ତବରେ ୨୦ ପ୍ରତିଶତ ବି ହୋଇନାହିଁ। ସେହିଭଳି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପାଇଁ ଏକ ‌କୋଟି ୬୬ ଲକ୍ଷରୁ ଏକ କୋଟି ୧୯ଲକ୍ଷ ଟଙ୍କା ମିଳିଛି। ଏହି କାମ ୬୮ ପ୍ରତିଶତ ସରିଥିବା ଦର୍ଶାଯାଇଥିବା ବେଳେ ଏବେ ତାହା ବନ୍ଦ ରହିଛି। ସେହିଭଳି ସଂପୂର୍ଣ୍ଣ ହୋଇଥିବା ଏକମାତ୍ର ପ୍ରକଳ୍ପ ବାଙ୍କୀ ମୁହାଣର ହୃଦୟ ପାର୍କ ଫନିରେ ଉଜୁଡିଯାଇଛି। ଏଥି ପାଇଁ ଯୋଜନାରେ ୩ କୋଟି ୮୪ ଲକ୍ଷରୁ ୩ କୋଟି ୬୨ଲକ୍ଷ ଖର୍ଚ୍ଚ ହୋଇସାରିଛି। ମାତ୍ର ଏହି ଯୋଜନା କାମରେ ଆସିବା ପୂର୍ବରୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe