ଅଧାରେ ରହିଗଲା ଝିଅର ରଜ ପୋଷାକ କିଣା : ଗାଁ ଦାଣ୍ଡରେ ସ୍ତ୍ରୀକୁ ହତ୍ୟା

Advertisment
ଅଧାରେ ରହିଗଲା ଝିଅର ରଜ ପୋଷାକ କିଣା : ଗାଁ ଦାଣ୍ଡରେ ସ୍ତ୍ରୀକୁ ହତ୍ୟା

photo by : voiceoffreedom

ପିପିଲି : ଝିଅ ରଜ ପର୍ବ ପାଳିବ। କୁନି ଝିଅକୁ ସାଥୀରେ ନେଇ ଡ୍ରେସ୍‌ କିଣିବାକୁ ପିପିଲି ବଜାରକୁ ଯାଉଥିଲା ମା’। କିନ୍ତୁ ବାଟରେ ଛକି ରହିଥିଲା ପିଶାଚ ସ୍ୱାମୀ। ଦିିନ ଦ୍ୱିପ୍ରହରରେ ଗାଁ ଦାଣ୍ଡରେ ଅତି ବୀଭତ୍ସ ଭାବେ ସ୍ତ୍ରୀର ବେକକୁ ଦା’ରେ କାଟି ହତ୍ୟାକଲା ସ୍ୱାମୀ। ଯୌତୁକକୁ ନେଇ ଆଜି ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ପିପିଲି ଥାନା ଦାଣ୍ଡମୁକୁନ୍ଦପୁର ନିକଟ ପ୍ରଥମ ସ’ ଗ୍ରାମ ରାମଚଣ୍ଡି ମନ୍ଦିର ପାଖରେ। ମୃତା ମହିଳା ଜଣକ ହେଲେ କୋଠବାଡ଼ ମହାଲିମ୍ବପଦା ଗାଁର ମଧୁସୂଦନ ବେହେରାଙ୍କ ଝିଅ ଲକ୍ଷ୍ମୀ ନାୟକ(୨୭)। ହତ୍ୟାକାରୀ ସ୍ୱାମୀ ଜଟଣୀ ଥାନା ଅନ୍ତର୍ଗତ ଭୀମପୁରର ତରାସନ ନାୟକ(୨୯) ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ୮ ବର୍ଷ ତଳେ ତରାସନକୁ ଲକ୍ଷ୍ମୀ ବିବାହ କରିଥିଲେ। ଉଭୟଙ୍କର ଦୁଇଟି କନ୍ୟା ସନ୍ତାନ ଅଛନ୍ତି। ତେବେ ଯୌତୁକକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଥିଲା।  ୧୦ ଦିନ ତଳେ ସ୍ୱାମୀ ତରାସନ ଲକ୍ଷ୍ମୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ବାପଘରୁ ୫୦ ହଜାର ଟଙ୍କା ଆଣିବାକୁ କହିଥିଲା। ଏହାପରେ ଲକ୍ଷ୍ମୀ ବାପଘର ମହାଲିମ୍ବପଦାକୁ ଚାଲି ଆସି ଏ ସମ୍ପର୍କରେ ପିପିଲି ଥାନାରେ ଅଭିଯୋଗ କରିଥିଲେ। ଗତ ମଙ୍ଗଳବାର ସନ୍ଧ୍ୟାରେ ପିପିଲି ଥାନାରେ ଆପୋସ ସମାଧାନ ହୋଇଥିଲା। ତେବେ ଲକ୍ଷ୍ମୀ ନିଜ ବାପ ଘରେ ରହୁଥିଲେ।

ଆଜି ଲକ୍ଷ୍ମୀ ନିଜ ମା’ ମୂଷା ବେହେରାଙ୍କ ସହିତ ବଡ଼ ଝିଅର ରଜ ଡ୍ରେସ୍‌ କିଣିବା ପାଇଁ ପିପିଲି ବଜାରକୁ ଚାଲିଚାଲି ଯାଉଥିଲେ। ମା’ ମୂଷାଙ୍କ କାଖରେ ଥିଲା ଲକ୍ଷ୍ମୀଙ୍କର ୮ ମାସର କୁନି ଝିଅ। ୮ ବର୍ଷର ବଡ଼ଝିଅକୁ ଘରେ ଛାଡ଼ି ଆସିଥିଲେ।  ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ପ୍ରଥମ ସ’ ଗାଁ ଦାଣ୍ଡରେ ଯାଉଥିବାବେଳେ ରାମଚଣ୍ଡୀ ମନ୍ଦିର ପାଖରେ ହଠାତ ସ୍ୱାମୀ ତରାସନ ପହଞ୍ଚି ଲକ୍ଷ୍ମୀର ବେକକୁ ଏକ ଧାରୁଆ ଦା’ରେ କାଟି ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯନ୍ତ୍ରଣାରେ ଛଟପଟ ହୋଇ କିଛି ସମୟ ପରେ ଲକ୍ଷ୍ମୀଙ୍କ ଶରୀର ନିସ୍ତେଜ ହୋଇଯାଇଥିଲା। ଝିଅର ଏ ଅବସ୍ଥା ଦେଖି ମା’ ମୂଷା ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିି ତାଙ୍କୁ ପିପିଲି ହସ୍ପିଟାଲ୍‌ରେ ଭର୍ତି କରିଥିଲେ। ତେବେ ସେଠାରେ ଡାକ୍ତର ଲକ୍ଷ୍ମୀଙ୍କୁ ମୃତ ଘୋଷଣା କରିଥିଲେ। ପିପିଲି ପୁଲିସ ହସ୍ପିଟାଲ୍‌ରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପୁରୀ ପଠାଇ ଘଟଣାର ତଦନ୍ତ କରୁଛି। ହତ୍ୟାକାରୀ ସ୍ୱାମୀ ତରାସନ୍‌ ଫେରାର ଥିବାବେଳେ ସ୍ଥାନୀୟ ଏକ ଜଙ୍ଗଲରେ ଲୁଚି ରହିଥିବା ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe