ପୁରୀ:ଗତବର୍ଷ ଗଣେଶ ମୂର୍ତ୍ତି ଭସାଣି ସମୟରେ ଭିଆଇପି ରୋଡ୍ରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଆଜି ପ୍ରାୟ ପନ୍ଦର ଜଣ ଯୁବକ ଜଣେ ନାବାଳକକୁ ଛୁରିରେ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତମାନଙ୍କ ଛୁରାମାଡ଼ରେ ସର୍ବୋଦୟ ନଗରର ବିଶ୍ବମ୍ଭର ପ୍ରଧାନ (୧୭)ଙ୍କ ଗାଲରେ ଗଭୀର କ୍ଷତ ହୋଇଛି। ବିଶ୍ବମ୍ଭରକୁ ତାଙ୍କ ମା ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହିତ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, ଆସନ୍ତା ୨୩ ତାରିଖରେ ବିଶ୍ବମ୍ଭରଙ୍କ ଜନ୍ମଦିନ ହୋଇଥିବାରୁ ଗତକାଲି ପରିବାର ଲୋକେ ପୁଅ ପାଇଁ ଏକ ପଲସର୍ ବାଇକ୍ କିଣିଥିଲେ। ଆଜି ବିଶ୍ବମ୍ଭର ମା’ ଗୀତାଞ୍ଜଳିଙ୍କୁ ଉକ୍ତ ନୂଆ ବାଇକ୍ରେ ବସାଇ ଝାଡ଼େଶ୍ବରୀ ରାସ୍ତାରେ ଛାଡ଼ିଥିଲେ। ବିଶ୍ବମ୍ଭର ସେଠାରେ ତାଙ୍କର ଦୁଇ ସାଙ୍ଗଙ୍କ ସହିତ କଥାବାର୍ତ୍ତା ହେଉଥିବା ବେଳେ ଭିଆଇପି ରୋଡର ଟୁକୁନା ନାୟକ ପ୍ରାୟ ୧୫ ଜଣ ଯୁବକଙ୍କୁ ନେଇ ପହଞ୍ଚିଥିଲା। ଏକ ଛୁରି ବାହାର କରି ବିଶ୍ବମ୍ଭରଙ୍କ ବେକକୁ କାଟିଦେବାକୁ ଉଦ୍ୟମ କରିବା ସମୟରେ ଛୁରିଟି ତାଙ୍କ ଗାଲରେ ବାଜି ଯାଇଥିଲା। ପ୍ରକାଶଥାଉକି, ଗତବର୍ଷ ଗଣେଶ ଭସାଣି ସମୟରେ କେତେକ ଦୁର୍ବୃତ୍ତ ମିଶି ଟୁକୁନାର ଭାଇ କୁନମୁନଙ୍କୁ ହତ୍ୟା କରିଥିଲେ। ଯେଉଁମାନେ କୁନମୁନଙ୍କୁ ହତ୍ୟା କରିଥିଲେ ସେମାନଙ୍କ ସହିତ ବିଶ୍ବମ୍ଭର ମିଳାମିଶା କରୁଥିବାରୁ ପ୍ରତିଶୋଧପରାୟଣ ହୋଇ ଆଜି ତାଙ୍କୁ ଆକ୍ରମଣ କରାଯାଇଥିବା ଚର୍ଚ୍ଚା ହେଉଛି।
ଛୁରା ମାଡ଼ରେ ନାବାଳକ ଗୁରୁତର
Advertisment
Follow Us