Sambad
ବୈପାରିଗୁଡା: ଓଡ଼ିଶାରେ ସଂଖ୍ୟାଧିକ ଜାତୀୟ ପର୍ବପର୍ବାଣୀ ପାଳନ ହେଉଥିଲେ ମଧ୍ୟ ଗଣପର୍ବର ଗୁରୁତ୍ବ ଅନନ୍ୟ। ଗଣପର୍ବ ସାଧାରଣତଃ ବିଭିନ୍ନ ଅଞ୍ଚଳରେ ଭିନ୍ନଭିନ୍ନ ଢଙ୍ଗରେ ପାଳନ କରାଯାଏ। ପୌଷ ପୂର୍ଣ୍ଣିମା କୃଷି ସମ୍ବର୍ଦ୍ଧିତ ଏକ ସାମାଜିକ ପର୍ବ। ପ୍ରଥମେ ପାଚିଲା ଧାନକୁ ନେଇ ଓଡ଼ିଶାରେ ନୂଆଁଖାଇ ପର୍ବ ପାଳିତ ହେଲା ପରି ଫସଲ ଅମଳ ହେବା ପରେ ପୌଷ ମାସର ପୂର୍ଣ୍ଣିମାକୁ ପୁଷ୍ପୁନି ବା ଛେର୍ଛେରା ଭାବେ ଓଡ଼ିଶାର ପଶ୍ଚିମାଞ୍ଚଳ ଓ ଦକ୍ଷିଣ ଓଡ଼ିଶା (କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି) ଅଞ୍ଚଳର ଏକ ଗଣପର୍ବ ରୂପେ ପାଳନ କରାଯାଏ। ପୂର୍ଣ୍ଣମୀ ଦିନ ଏହି ଅଞ୍ଚଳର ଅଧିକାଂଶ ଗ୍ରାମ ମାନଙ୍କରେ ନୃତ୍ୟଗୀତର ଆସର ଜମିଥାଏ। ଏପ୍ରକାର ଆନନ୍ଦ ଉଲ୍ଲାସରେ ଆବାଳ ବୃଦ୍ଧବନିତା ଅଂଶିଦାର ଥାନ୍ତି। ଏହା କୃଷକ ମାନଙ୍କ ପାଇଁ କୃଷିର ଶେଷପର୍ବ ଯାହା କି ଶସ୍ୟ ଅମଳ ପରେ ପାଳିତ ହୁଏ ଓ କିଛି ନୂଆ ଲୁଗା ପରିଧାନ ମଧ୍ୟ କରନ୍ତି।
ପୌଷ ପୂର୍ଣ୍ଣିମା ଦିନ କୁନି କୁନି ବାଳକ ବାଳିକା ମାନେ ଦଳଦଳ ହୋଇ ଦ୍ୱାରଦ୍ୱାର ବୁଲି ବାଡ଼ି ଓ ଟିଣ ଡ଼ବା ରେ ଠକ୍ଠକ୍ ଶବ୍ଦର ତାଳେ ତାଳେ ଗୀତ ଗାଇ କିଛି ଖୁସିରେ ଟଙ୍କା ଚାଉଳ ଓ ଧାନ ଆଦାୟ କରିଥାନ୍ତି ଓ ନାଚି ନାଚି ଗୀତରେ ବାରମ୍ବାର "ଛେର୍ଛେରା ଦିଆ ତା କୁଟା ଘରା ରୋହ ତା" ବୋଲି ଏହି ଶବ୍ଦ ଉଚ୍ଚାରିତ କରି ଚାଉଳ, ଧାନ ଓ ଦକ୍ଷିଣା (ଟଙ୍କା) ଖୁସିର ଚାନ୍ଦା ରୂପେ ମାଗନ୍ତି। ଛେର୍ଛେରା ଚାନ୍ଦା ଆଦାୟ କରିବା ପରେ ସାର୍ବଜନୀନ ଗୋଟେ ଖୁସିରେ ବଣଭୋଜିର ଆୟୋଜନ ହୋଇଥାଏ। ଏହା କୋରାପୁଟ ଜିଲ୍ଲାର ଏକ ଲୋକପ୍ରିୟ ପର୍ବ ହୋଇଥିବା ବେଳେ ଆବାଳବୃଦ୍ଧବନିତା ଏଥିରେ ଯୋଗଦେଇ ଆନନ୍ଦ ଉପଭୋଗ କରିଥାନ୍ତି।
Follow Us