ଆଦର୍ଶ ବିଦ୍ୟାଳୟ ପ୍ରଶ୍ନପତ୍ରରେ ଶ୍ରୀରାମଙ୍କ ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟକୁ ବିରୋଧ 

ଆଦର୍ଶ ବିଦ୍ୟାଳୟ ପ୍ରଶ୍ନପତ୍ରରେ ଶ୍ରୀରାମଙ୍କ ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟକୁ ବିରୋଧ 

ଖୋର୍ଦ୍ଧା: ନିକଟରେ ରାଜ୍ୟ ସରକାରଙ୍କ ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ଅନୁଷ୍ଠିତ ଷଷ୍ଠଶ୍ରେଣୀ ଷଣ୍‌ମାସିକ ପରୀକ୍ଷା ପ୍ରଶ୍ନପତ୍ରରେ ଶ୍ରୀରାମଚନ୍ଦ୍ରଙ୍କ ସମ୍ପର୍କରେ ବିଭ୍ରାନ୍ତିମୂଳକ ତଥ୍ୟ ଦିଆଯାଇଛି। ଏହାର ବିରୋଧରେ ‌ହିନ୍ଦୁ ଜାଗରଣ ମଞ୍ଚ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଶୁକ୍ରବାର ପୂର୍ବାହ୍‌ଣରେ ମଞ୍ଚର ପ୍ରାୟ ୪୦ରୁ ଉର୍ଦ୍ଧ୍ବ ସଦସ୍ୟ, କର୍ମକର୍ତା ହାତରେ ବ୍ୟାନର ଆଦି ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ପ୍ରଶ୍ନପତ୍ରକୁ ପ୍ରତ୍ୟାହାର କରିବା ଦାବି କରିବା ସହ ଏନେଇ ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ହିନ୍ଦୁ ସମାଜକୁ ନିଃସର୍ତ କ୍ଷମାଯାଚନା କରିବା ଓ ଏଭଳି ତ୍ରୁଟି କରିଥିବା ବ୍ୟକ୍ତିଙ୍କୁ ଗିରଫକରିବା ଦାବିରେ ସ୍ଲୋଗାନ ଆଦି ଦେଇଥିଲେ। ଏନେଇ ମଂଚର ରାଧାମୋହନ ପ୍ରଧାନ କହିଛନ୍ତି ଯେ ଶ୍ରୀରାମଙ୍କ ଅସ୍ତିତ୍ବ ଐତିହାସିକ। ଏନେଇ ଭୌଗଳିକ ଓ ପ୍ରତ୍ନତାତ୍ବିକ ପ୍ରମାଣ ରହିଛି। ଏପରିକି ଐତିହାସିକ କୋର୍ଟ ମାମଲାରେ ମଧ୍ୟ ବିଚାରାଳୟ ଏହାକୁ ପ୍ରକାରାନ୍ତରେ ସ୍ବୀକାର କରିଛନ୍ତି। ଏପରିସ୍ଥଳେ ଦେଶର କୋଟି କୋଟି ହିନ୍ଦୁଙ୍କ ଭାବାବେଗକୁ କ୍ଷୁଣ୍ଣ କଲାଭଳି ପ୍ରସଙ୍ଗ ଆଦର୍ଶ ବିଦ୍ୟାଳୟ ପ୍ରଶ୍ନପତ୍ରରେ ସ୍ଥାନିତ ହୋଇଛି। ଏଥିରେ ଶ୍ରୀରାମଚନ୍ଦ୍ରଙ୍କୁ କାଳ୍ପନିକ, ରାମରାଜ୍ୟକୁ କଳ୍ପନାପ୍ରସୂତ ବୋଲି ଅଭିହିତ କରାଯାଇଛି। ଏଭଳି ତ୍ରୁଟି କରିଥିବା କର୍ମଚାରୀ, ଅଧିକାରୀଙ୍କୁ ଗିରଫକରାଯାଉ, ପ୍ରଶ୍ନପତ୍ରକୁ ପ୍ରତ୍ୟାହାର କରାଯାଉ ନଚେତ ଆଗାମୀ ଦିନରେ ରାଜ୍ୟରେ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ। ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ଅନ୍ୟମାନଙ୍କ ମଧ୍ୟରେ ତୁଷାରକାନ୍ତ ବେହେରା, ମନୋରଞ୍ଜନ ପାତ୍ର, ଉଦିତ୍ୟ ପ୍ରହରାଜ, ସୁଶୀଲ ଜେନା, ସୌଭାଗ୍ୟ ହାତୀ, ବିଭୂତି ରାଉତରାୟ, ସୁନୀଲ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe