କମୁଛି ବିଧାୟକ ରଘୁନାଥଙ୍କ ପତିଆରା, ପଞ୍ଚାୟତ ନିର୍ବାଚନରେ ଫଳ ନୈରାଶ୍ୟଜନକ

କମୁଛି ବିଧାୟକ ରଘୁନାଥଙ୍କ ପତିଆରା, ପଞ୍ଚାୟତ ନିର୍ବାଚନରେ ଫଳ ନୈରାଶ୍ୟଜନକ

ରାୟଗଡ଼ା: ଦଳୀୟ ଗୋଷ୍ଠୀ କନ୍ଦଳ, ନେତା-କର୍ମୀଙ୍କ ମଧ୍ୟରେ ମନୋମାଳିନ୍ୟ, ସରକାର ବିରୋଧୀ ହାୱା ସତ୍ତ୍ବେ କାଶୀପୁରରେ ଜିଲ୍ଲା ପରିଷଦ ଜିତିଲା ବିଜେଡ଼ି। ୩ଟି ଆସନରୁ ଦଳ ୨ଟିରେ ବିଜୟୀ ହେଲା। କିନ୍ତୁ ଗୁଣପୁରରେ ଦଳୀୟ ଦବଦବା, ବିଧାୟକ ରଘୁନାଥ ଗମାଙ୍ଗଙ୍କ ନେତୃତ୍ବ, ପ୍ରଚାରରେ ହେଭିୱେଟ୍ ନେତାଙ୍କ ସାମିଲ୍ ପରେ ବି ବିଜେଡ଼ି ୨ ଜିଲ୍ଲା ପରିଷଦ ଜୋନରୁ ଗୋଟିଏରେ ମଧ୍ୟ ବିଜୟୀ ହୋଇପାରିଲାନି। ଅଥଚ ନେତୃତ୍ବ ବିହୀନ କଂଗ୍ରେସ ଦଳର ଟାଣୁଆ ନେତା ସ୍ବର୍ଗତ ପୁରୁଷୋତ୍ତମ ଗମାଙ୍ଗଙ୍କ ଅବର୍ତ୍ତମାନ‌ରେ ବି ଦୁଇ ଆସନ ପୋଛି ନେବାରେ ସକ୍ଷମ ହେଲା। ଚଳିତ ପଞ୍ଚାୟତ ନିର୍ବାଚନରେ ଗୁଣପୁର ‘କ’ ଜିଲ୍ଲା ପରିଷଦ ଜୋନ୍ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ଥିଲା। ବାଗଶାଳା, ଡମ୍ବସରା, ଚାଲକମ୍ବା, ଘନନ୍ତ୍ରି, ଟିଟିମେରୀ, ଭୀମପୁର, ଜଲତାର, ପୁଟାସିଂହ, ଟଲଣା, ଶଗଡ଼ା, ଆବଡା ପଞ୍ଚାୟତକୁ ନେଇ ଏହି ଜୋନ୍ ଗଠିତ। ବିଜେଡ଼ି ପକ୍ଷରୁ ଦଳର ହେଭିୱେଟ୍ ନେତା ଅଶ୍ବିନୀ ଗମାଙ୍ଗ ଏହି ଜୋନରୁ ନିର୍ବାଚନ ଲଢ଼ିଥିଲେ। ଅଶ୍ବିନୀଙ୍କ ବି‌ରୋଧରେ ପ୍ରାର୍ଥୀ ହୋଇଥିଲେ କଂଗ୍ରେସର ଇଗାନ୍ ଗମାଙ୍ଗ। ଉଭୟଙ୍କ ମଧ୍ୟରେ ଲଢ଼େଇ ଜୋରଦାର୍ ହୋଇଥିଲା।

ବିଜେଡ଼ି ପାଇଁ ଅଶ୍ବିନୀଙ୍କ ବିଜୟ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଦଳ ସବୁ କଳବଳ କୌଶଳ ଲଗାଇଲା। ଅଶ୍ବିନୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ ଓ ବିଧାୟକ ରଘୁନାଥ ଗମାଙ୍ଗ। ହେଲେ ନିର୍ବାଚନ ଫଳ ପ୍ରକାଶ ପରେ ଅଶ୍ବିନୀ କଂଗ୍ରେସ ପ୍ରାର୍ଥୀ ଇଗାନ୍ ଗମାଙ୍ଗଙ୍କ ନିକଟରୁ ୨୬୪୫ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ମହିଳାଙ୍କ ପାଇଁ ସଂରକ୍ଷିତ ଗୁଣପୁର ‘ଖ’ ଜୋନକୁ ମଧ୍ୟ ବିଜେଡ଼ି ନିଜ ଅକ୍ତିଆରକୁ ଆଣିବାରେ ବିଫଳ ହୋଇଛି। ସିରିଝୋଳି, ଗୋଠଲପଦର, ମରମା, ଜଗନ୍ନାଥପୁର, ଗାଦିଆଖଳା, ରେଗଡା, ଚିନିସାରୀ, କୁଲୁସିଙ୍କି ପଞ୍ଚାୟତକୁ ନେଇ ଗଠିତ ଏହି ଜୋନରେ କଂଗ୍ରେସ ପ୍ରାର୍ଥୀ କୁନି ନିମାଲା ୨୮୦୭ ଭୋଟ ବ୍ୟବଧାନରେ ବିଜେଡ଼ିର ରଶ୍ମିରେଖା ଶତପଥୀଙ୍କୁ ହରାଇଥିଲେ।

ଦୁଇ ଜୋନରେ ଦଳୀୟ ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟ ବିଜେଡ଼ି ଶିବିରରେ ହଲଚଲ୍ ସୃଷ୍ଟି କରିଥିବା ବେଳେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ ନିର୍ବାଚନ ପରିଚାଳନା ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଗୁଣପୁରର ‘ଖ’ ଜୋନରେ ବିଜେଡ଼ିର ଅଶ୍ବିନୀ ଗମାଙ୍ଗ ଏବଂ ‘କ’ ଜୋନରେ କଂଗ୍ରେସର ଲକ୍ଷ୍ମୀ ଶବର ବିଜୟୀ ‌ହୋଇଥିଲେ। କଂଗ୍ରେସ ସର୍ବାଧିକ ୧୧ ଆସନରେ ଜିତି ଜିଲ୍ଲା ପରିଷଦ ଗଠନ କରିଥିଲା। ୨୦୨୦ରେ ସଡ଼କ ଦୁର୍ଘଟଣାରେ କଂଗ୍ରେସ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରେ ଗୁଣପୁର କଂଗ୍ରେସ ନେତୃତ୍ବ ବିହୀନ ହୋଇ ପଡିଥିଲା। କେବଳ ଏତିକି ନୁହେଁ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗୁଣପୁର ବ୍ଲକ୍, ନଗର କଂଗ୍ରେସ ସଭାପତିଙ୍କ ସମେତ ସାଂସଦ ପ୍ରତିନିଧି କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ୍ ହୋଇଥିଲେ। ଯେଉଁଥି ପାଇଁ ଚଳିତ ନିର୍ବାଚନ ମତଦାନ ସମୟରେ ବହୁ ବୁଥରେ କଂଗ୍ରେସ ଏଜେଣ୍ଟ୍ ମଧ୍ୟ ଦେଇ ପାରିନଥିଲା। ଏହା ସତ୍ତ୍ବେ ଗୁଣପୁରର ଦୁଇ ଜୋନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବା ବିଜେଡ଼ି ପାଇଁ ସତର୍କ ଘଣ୍ଟି ସଦୃଶ୍ୟ ହୋଇଛି। ଦୁଇ ଜିଲ୍ଲା ପରିଷଦ ଆସନ ହରାଇଥିବା ବିଜେଡ଼ି ଗୁଣପୁର ବ୍ଲକ୍ ଦଖଲ କରିବା ନେଇ ମଧ୍ୟ ସନ୍ଦେହରେ ରହିଛି। ଦଳ ବି‌ରୋଧୀ କାର୍ଯ୍ୟ ପାଇଁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ିରୁ ନିଲମ୍ବିତ ଗୁଣପୁର ପୌର ପରିଷଦର ପୂର୍ବତନ ପୌରାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ୧୯ ପଞ୍ଚାୟତରେ ସ୍ବାଧୀନ ପ୍ରାର୍ଥୀ ଦେଇ ବିଜେଡ଼ି ଅଙ୍କ ବିଗାଡ଼ିବାକୁ ଗୋଟି ଚଳାଇ ସଫଳ ହୋଇଛନ୍ତି। ଯାହା ବିଜେଡ଼ି ପାଇଁ ଶକ୍ତ ଝଟକା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe