ସମସ୍ୟା ଘେରରେ ରଘୁରାମପୁର ପ୍ରାଥମିକ ବିଦ୍ୟାଳୟ, ଦୁଇ ଶ୍ରେଣୀଗୃହ, ଦୁଇଜଣ ଶିକ୍ଷକରେ ପଢ଼ୁଛନ୍ତି ୫ ଶ୍ରେଣୀର ପିଲା

Advertisment

ନଳକୂପରୁ ବାହାରୁଛି ଲୌହଯୁକ୍ତ ପାଣି, ଜଳକଷ୍ଟ ଭୋଗୁଛନ୍ତି ଛାତ୍ରଛାତ୍ରୀ

ନଳକୂପରୁ ବାହାରୁଛି ଲୌହଯୁକ୍ତ ପାଣି, ଜଳକଷ୍ଟ ଭୋଗୁଛନ୍ତି ଛାତ୍ରଛାତ୍ରୀ

ସମସ୍ୟା ଘେରରେ ରଘୁରାମପୁର ପ୍ରାଥମିକ ବିଦ୍ୟାଳୟ, ଦୁଇ ଶ୍ରେଣୀଗୃହ, ଦୁଇଜଣ ଶିକ୍ଷକରେ ପଢ଼ୁଛନ୍ତି ୫ ଶ୍ରେଣୀର ପିଲା

Sambad

ତିଗିରିଆ: ଗ୍ରାମାଞ୍ଚଳରେ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ, କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଏହାର ଉଦାହରଣ ହେଉଛି କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ ରଘୁରାମପୁର ଗ୍ରାମର ରଘୁରାମପୁର ପ୍ରାଥମିକ ବିଦ୍ୟାଳୟ। ୧୯୫୭ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୬ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। କିନ୍ତୁ ସେମାନଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ନ ଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟର ୫ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନିମନ୍ତେ କେବଳ ଦୁଇଟି ଶ୍ରେଣୀଗୃହ ରହିଛି। ଗୋଟିଏ ଗୃହରେ ଏକାଧିକ ଶ୍ରେଣୀର ପିଲା ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଫଳରେ ପିଲାଙ୍କ ପାଠପଢ଼ାରେ ଗୁରୁତର ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ସେହିପରି ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କୁ ବାଦ୍‌ ଦେଲେ କେବଳ ଜଣେ ସହାୟକ ଶିକ୍ଷକ ଅଛନ୍ତି।

୫ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦୁଇଜଣ ଶିକ୍ଷକ କିଭଳି ଶିକ୍ଷାଦାନ କରୁଥିବା ତାହା ସହଜରେ ଅନୁମାନ କରାଯାଇ ପାରିବ। ବିଦ୍ୟାଳୟର ଦୁଇଜଣ ଶିକ୍ଷକ ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସମୟରେ ଅନ୍ୟ ତିନିଟି ଶ୍ରେଣୀର ପିଲା ପାଠ ନ ପଢ଼ି ବସି ରହୁଥିବା ଲକ୍ଷ୍ୟ କରାଯାଉଛି। ଏହାଛଡ଼ା ପ୍ରଧାନଶିକ୍ଷକ ସରକାରୀ କାର୍ଯ୍ୟରେ ବାହାରକୁ ଗଲେ କିମ୍ବା କୌଣସି ଶିକ୍ଷକ ବ୍ୟକ୍ତିଗତ କାରଣରୁ ଛୁଟିରେ ରହିଲେ ଜଣେ ଶିକ୍ଷକରେ ବିଦ୍ୟାଳୟ ଚଳାଇବା କଷ୍ଟକର ବ୍ୟାପାର ହୋଇପଡ଼ୁଛି। ଅନ୍ୟପଟେ, ବିଦ୍ୟାଳୟ ପରିସରରେ ଥିବା ନଳକୂପରୁ ଲୌହଯୁକ୍ତ ପାଣି ବାହାରୁଥିବାରୁ ପିଲାମାନେ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟ ପରିସରରେ ପୂର୍ବରୁ ଖୋଳା ଯାଇଥିବା ବୋର୍‌ୱେଲ୍‌ରେ ସଂଯୋଗ ହୋଇଥିବା ବିଦ୍ୟୁତ୍‌ ମଟର୍‌କୁ ଦୁଇଦୁଇଥର ଦୁର୍ବୃତ୍ତମାନେ ଚୋରି କରିନେଇଥିବାରୁ ଛାତ୍ରଛାତ୍ରୀ ଜଳକଷ୍ଟ ଭୋଗ କରୁଥିବା ବିଦ୍ୟାଳୟର ପରିଚାଳନା କମିଟି ସଭାପତି ପ୍ରକାଶ ବଳ ସୂଚନା ଦେଇଛନ୍ତି। ସରକାର ବିଦ୍ୟାଳୟର ସମସ୍ତ ସମସ୍ୟା ଦୂର କରିବା ସହ ଆବଶ୍ୟକ ଶିକ୍ଷକ ଓ ଶ୍ରେଣୀଗୃହ ନିର୍ମାଣ କରିବାକୁ ଅଞ୍ଚଳର ବୁଦ୍ଧିଜୀବୀ ଓ ଅଭିଭାବକମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe