ଜିଲ୍ଲାପାଳଙ୍କ ଚଢଉ, ପିଡିଏସ ଚାଉଳର କଲେ ତଦାରଖ

ହିତାଧିକାରୀଙ୍କ ସହ କଲେ ଆଲୋଚନା

ଜିଲ୍ଲାପାଳଙ୍କ ଚଢଉ, ପିଡିଏସ ଚାଉଳର କଲେ ତଦାରଖ

Sambad

ରାୟଗଡା: ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂହ ଆଜି ରାୟଗଡା ଜିଲ୍ଳା ସଦର ବ୍ଳକ ଚାନ୍ଦିଲି ଗ୍ରାମର ପିଡିଏସ ଷ୍ଟୋର ଏବଂ ରାୟଗଡା ସହରରେ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ମୈତ୍ରୀ (ସୁଲଭ ମୂଲ୍ୟ ଦୋକାନ)କୁ ଯାଇ ହିତାଧିକାରୀଙ୍କୁ ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ)ରେ ସାମଗ୍ରୀ ଠିକ ଭାବେ ଯୋଗାଇ ଦିଆଯାଉଛି କି ନାହିଁ ତାହା ଉପରେ ତଦାରଖ କରିବା ସହ ସାମଗ୍ରୀ ନେବାକୁ ଆସିଥିବା ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଆଜି ପୂର୍ବାହ୍ନରେ ଜିଲ୍ଳାପାଳ ସ୍ୱଧାଦେବ ସିଂହ ଅଚାନକ ମୈତ୍ରୀ ଦୋକାନ ଉପରେ ଚଢଉ କରିଥିଲେ।ସେଠାରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଦୋକାନର ରେଜିଷ୍ଟ୍ରାର ସହ ଅନ୍ୟାନ୍ୟ କାଗଜପତ୍ର ଆଣିବାକୁ କହି ସେଗୁଡିକର ତଦାରଖ କରିବା ପାଇଁ ଜିଲ୍ଳା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ରେଜିଷ୍ଟ୍ରାରରେ ସମସ୍ତ ତଥ୍ୟ ସଠିକ୍ ରହିଥିବା ବେଳେ ଦୋକାନକୁ ସାମଗ୍ରୀ ନେବା ପାଇଁ ଆସିଥିବା କିଛି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଠିକ୍ ସମୟରେ ସେମାନଙ୍କୁ ସାମଗ୍ରୀ ଦିଆଯାଉଛି କି ନାହିଁ, ମାଗଣାରେ ମିଳୁଥିବା ଚାଉଳ ନେବାରେ ଅର୍ଥ ଦେବାକୁ ପଡୁଛି କି ଭଳି କିଛି ବିଷୟରେ ଆଲୋଚନା କରିଥିଲେ। ସେଠାରେ ହିତାଧିକାରୀ ମାନେ ମୈତ୍ରୀ ଦୋକାନରେ ସମସ୍ତ ସାମଗ୍ରୀ ସୁବିଧାରେ ମିଳୁଥିବା କହିବାରୁ ଜିଲ୍ଳାପାଳ ସନ୍ତୋଷ ପ୍ରକାଶ କରିଥିଲେ। ଜିଲ୍ଳାପାଳଙ୍କ ଏହି ତଦାରଖ ବେଳେ ଅତିରିକ୍ତ ଜିଲ୍ଳା ଯୋଗାଣ ଅଧିକାରୀ ଏମ୍‌. ମୁରଲୀକ୍ରିଷ୍ଣା, ଏମଆଇ ରେଣୁସାଉତା ବ୍ରୁଭ ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିପରି ଗତକାଲି କାଶିପୁର ବ୍ଳକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶେଷ ହେବା ପରେ ରେଙ୍ଗା ଗ୍ରାମ ପଞ୍ଚାୟତର ଏକ ପିଡିଏସ ଷ୍ଟୋରକୁ ଯାଇ ମଧ୍ୟ ତଦାରଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe