ବେଆଇନ ବିକ୍ରୟ କେନ୍ଦ୍ରରେ ଚଢ଼ଉ; ବିହନ ୬୬, ସାର ୧୯ କ୍ୱିଣ୍ଟାଲ ଜବତ

ବେଆଇନ ବିକ୍ରୟ କେନ୍ଦ୍ରରେ ଚଢ଼ଉ; ବିହନ ୬୬, ସାର ୧୯ କ୍ୱିଣ୍ଟାଲ ଜବତ

ନୂଆପଡ଼ା: ସିନାପାଲି ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଥିବା ମହିମା ବିହନ ଓ ସାର ବିକ୍ରୟ କେନ୍ଦ୍ରରେ ଚଢ଼ଉ କରି ବେଆଇନ ବିକ୍ରି କରାଯାଉଥିବା ୬୬.୬ କ୍ୱିଣ୍ଟାଲ ବିହନ ଓ ୧୯ କ୍ୱିଣ୍ଟାଲ ସାର ଜବତ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନୂଆପଡା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହିମାଂଶୁ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଆଜି ମଧ୍ୟାହ୍ନରେ ଚଢ଼ଉ କରାଯାଇଥିଲା।

ପ୍ରାପ୍ତ ସୂଚନା ଅନୁସାରେ ମହିମା ବିହନ ଓ ସାର ବିକ୍ରୟ କେନ୍ଦ୍ରର ପରିଚାଳକ ରାଜେନ୍ଦ୍ର ସା’ଙ୍କ ନାମରେ ଅଗ୍ରଜା ନାମକ କେବଳ ଗୋଟିଏ ପ୍ରକାର ବିହନ ବିକ୍ରୟ କରିବା ଲାଇସେନ୍ସ ରହିଛି। କିନ୍ତୁ ସେ ବେଆଇନ ଭାବେ ଅନ୍ୟ ୩୨ ପ୍ରକାରର ବିହନ ବେଆଇନ ବିକ୍ରି କରୁଥିବା ଜଣାପଡ଼ିଛି। ସେହିଭଳି ତାଙ୍କ ନାମରେ ସାର ବିକ୍ରୟ ପାଇଁ କୌଣସି ଲାଇସେନ୍ସ ନଥିବା ବେଳେ ବେଆଇନ ସାର ଗଚ୍ଛିତ କରି ବିକ୍ରି କରୁଥିବା ଚଢ଼ଉ ସମୟରେ ଜଣାପଡିଥିଲା। ଚଢ଼ଉ ସମୟରେ ପରିଚାଳକ ରାଜେନ୍ଦ୍ର ସା’ ଅନୁପସ୍ଥିତ ଥିବାରୁ ତାଙ୍କ ସ୍ତ୍ରୀ ଚେତାମଣିଙ୍କ ଉପସ୍ଥିତିରେ ବେଆଇନ ବିକ୍ରି ହେଉଥିବା ମୋଟ ୬୬.୬୬ କ୍ୱିଣ୍ଟାଲ ବିଭିନ୍ନ ପ୍ରକାର ର ବିହନ ଓ ୧୯ କ୍ୱିଣ୍ଟାଲ ସାର ଜବତ କରାଯାଇଥିଲା।

ବିଭାଗୀୟ ଅଧିକାରୀଙ୍କ ଚଢ଼ଉ ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ କରାଯିବା ବ୍ୟବସ୍ଥା ରହିଛି। ଏଣୁ ଚଢ଼ଉ ପରେ ବିଭାଗୀୟ ଅଧିକାରୀ ଦୀର୍ଘସମୟ ଧରି ମାଜିଷ୍ଟ୍ରେଟ ତଥା ସିନାପାଲି ଅତିରିକ୍ତ ତହସିଲଦାର ରାମ ନାରାୟଣ ମିଶ୍ରଙ୍କୁ ଅପେକ୍ଷା କରିବାକୁ ପଡିଥିଲା। ଦୀର୍ଘସମୟ ପରେ ଶ୍ରୀ ମିଶ୍ର ଆସିବାରୁ ତାଙ୍କ ଉପସ୍ଥିତିରେ ଜବତ ବିହନ ଓ ସାରକୁ ସିନାପାଲି ପେକ୍ସକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଏହି ଚଢ଼ଉରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସହ ଜିଲ୍ଲା ଯୋଜନା ଅଧିକାରୀ ସତ୍ୟ ଭୂଷଣ ନାୟକ, ସିନାପାଲି ସହକାରୀ କୃଷି ଅଧିକାରୀ ସୁଧାଂଶୁ ମେହେର କୃଷି ପରିଦର୍ଶକ ବ୍ରଜରାଜ ସାହୁ, ବୋଡେ଼ନ ଥାନା ଏସଆଇ କୁଳମଣି ବୁରୁଦା ତଥା ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe