ରାଉରକେଲା: ଲଗାଣ ବର୍ଷାରେ ରାଉରକେଲା-ରାଞ୍ଚି ରେଳମାର୍ଗ କ୍ଷତିଗ୍ରସ୍ତ ହୋଇଛି। ବନ୍ଧମୁଣ୍ଡା ରେଳଖଣ୍ଡ ଲିଙ୍କ୍-ବି ଓ ଲିଙ୍କ୍-ସି ମଧ୍ୟରେ ରେଳ ଲାଇନ ପାର୍ଶ୍ବରେ ପ୍ରାୟ ୭ ମିଟର ପର୍ଯ୍ୟନ୍ତ ମାଟି ଧସି ଯାଇଛି। ଟ୍ରେନ୍ ଯାତାୟତ ପୂର୍ବରୁ ମାଟି ଧସିଥିବାରୁ ବଡଧରଣ ଅଘଟଣକୁ ରୋକାଯାଇ ପାରିଛି। ରେଳବାଇ ଟେକ୍ନିକାଲ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ଇଞ୍ଜିନିୟରିଂ ବିଭାଗ କର୍ମଚାରୀମାନେ ବାଲି ବସ୍ତା ପକାଇ ମରାମତି କରିଛନ୍ତି। ମରାମତି ଯୋଗୁଁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ପ୍ରଶାସନ ପକ୍ଷରୁ ହଟିଆ- ରାଉରକେଲା ପାସେଞ୍ଜର ଟ୍ରେନ୍ ନୂଆଗାଁ ଷ୍ଟେସନରେ ରାତି ପ୍ରାୟ ୯ଟାରେ ଅଟକି ରହିଥିଲା। ଟ୍ରେନରେ ଥିବା ସମସ୍ତ ୪୬ ଯାତ୍ରୀଙ୍କୁ ବସ୍ ସହାୟତାରେ ରାଉରକେଲା ଅଣାଯାଇଥିଲା। ଯାତ୍ରୀଙ୍କୁ ଆଣିବାକୁ ରେଳବାଇ ଅଧିକାରୀ ରାଉରକେଲାରୁ ଦୁଇଟି ବସ୍ ପଠାଇଥିଲେ। ସେପଟେ ସ୍ଥାୟୀ ମରାମତି କରାଯାଇ ନଥିବାରୁ ରେଳ ଲାଇନ ଉପରେ ଟେକ୍ନିକାଲ ଟିମ୍ ପକ୍ଷରୁ କଡା ନଜର ରଖାଯାଇଛି। ସମ୍ଭାବ୍ୟ ଅଘଟଣକୁ ରୋକିବାକୁ ରାଉରକେଲା-ରାଞ୍ଚି ଲାଇନରେ ଯାତାୟତ କରୁଥିବା ମାଲଗାଡି ଓ ପାସେଞ୍ଜର, ଏକ୍ସପ୍ରେସ୍ ଟ୍ରେନ୍ ଘଣ୍ଟା ପ୍ରତି ୨୦ କି.ମି. ବେଗରେ ଚଳାଇବାକୁ ସମସ୍ତ ଡ୍ରାଇଭରକୁ ନିର୍ଦ୍ଦେଶ ଦିଆଯାଇଛି।
ଧସିଲା ମାଟି : ରାଉରକେଲା-ରାଞ୍ଚି ରେଳ ଲାଇନ କ୍ଷତିଗ୍ରସ୍ତ
Advertisment
Follow Us