କୁଡୁମୀ ଜାତିକୁ ଆଦିବାସୀରେ ପୁନଃ ଅନ୍ତର୍ଭୁକ୍ତ କରିବା ନେଇ ୬ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ ପାଳନ

କୁଡୁମୀ ଜାତିକୁ ଆଦିବାସୀରେ ପୁନଃ ଅନ୍ତର୍ଭୁକ୍ତ କରିବା ନେଇ ୬ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ ପାଳନ

Sambad

ରାଇରଙ୍ଗପୁର: କୁଡୁମୀ ସମ୍ପ୍ରଦାୟକୁ ଆଦିବାସୀ ବର୍ଗରେ ପୁନଃ ଅନ୍ତର୍ଭୁକ୍ତ କରିବା ପାଇଁ ମଙ୍ଗଳବାର ୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ପାଳନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର କୁଡୁମୀ ସମ୍ପ୍ରଦାୟ ଲୋକଙ୍କ ତରଫରୁ ପୂର୍ବରୁ ମାର୍ଚ୍ଚ ୨୧ ତାରିଖ ବନ୍ଦ ପାଇଁ ଆହ୍ବାନ ଦିଆ ଯାଇଥିଲା ବେଳେ ଆଜି ସମଗ୍ର ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି। ସକାଳ ୬ଟ‌ାରୁ ବନ୍ଦ ପାଳନ କରା ଯାଇଥିବା ବେଳେ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ୬ଘଣ୍ଟା ବନ୍ଦ ପାଳନ କରାଯାଇଛି। କୁଡୁମୀ ସେନାର କାର୍ଯ୍ୟକର୍ତ୍ତା ମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ କରାଉ ଥିବାବେଳେ କୁଡୁମୀ ମହିଳାମାନେ ମଧ୍ୟ ତାଙ୍କ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହିତ ରାଇରଙ୍ଗପୁର, କପ୍ତିପଦା, କରଞ୍ଜିଆରେ ମଧ୍ୟ କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ହଡତାଲରେ ଯୋଗ ଦେଇଛନ୍ତି। ୧୮ ନଂ ଜାତୀୟ ରାଜପଥ ସହିତ ୪୯ ନଂ ଜାତୀୟ ରାଜପଥ ଓ ୨୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି କୁଡୁମୀ ସମ୍ପ୍ରଦାୟର ଲୋକେ। ଗାଡ଼ି ମଟର ଚଳାଚଳ ଠପ୍ ହୋଇ ଯାଇଥିବା ଦେଖିବାକୁ ମିଳିଛି। ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୁଡୁମୀ ମାନଙ୍କର ଏହି ହରତାଳରେ ଜରୁରୀକାଳୀନ ସେବା ବ୍ୟତିତ ସମସ୍ତ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ଦୋକାନ ବଜାର ବନ୍ଦ ରହିଛି। ସେପଟେ ସକାଳୁ ଟାଟା ନଗର ରେଲୱେ ଷ୍ଟେସନରୁ ବାଦାମପାହାଡ ରେଲୱେ ଷ୍ଟେସନ ଅଭିମୁଖେ ଯାଉଥିବା ଟ୍ରେନଟିକୁ ମଧ୍ୟ ରାଇରଙ୍ଗପୁର ରେଳ ଷ୍ଟେସନ ଠାରେ ପାଖାପାଖି ଗୋଟିଏ ଘଣ୍ଟା ସମୟ ପର୍ଯ୍ୟନ୍ତ ଅଟକାଇ ରଖିଥିଲେ କୁଡୁମୀ ସେନା।

publive-image Sambad

ସୂଚନାଯୋଗ୍ୟ ଯେ, ଦୀର୍ଘ ୭୨ ବର୍ଷ ହେବ ୧୯୫୦ ମସିହାରେ କୁଡୁମୀ ସମ୍ପ୍ରଦାୟର ଲୋକ ମାନଙ୍କୁ ଅଣ ଆଦିବାସୀ ଭାବେ ଘୋଷଣା କରାଯାଇ ଥିଲା। ଆଦିବାସୀ ଭାବରେ ଯେଉଁ ସବୁ ସୁବିଧା ସୁଯୋଗ ପାଉଥିଲେ ସେଥିରୁ ବଞ୍ଚିତ ରହିଥିଲେ କୁଡୁମୀ ସମ୍ପ୍ରଦାୟ। ତେବେ ପୁଣି ଥରେ କୁଡୁମୀ ସମ୍ପ୍ରଦାୟର ଆନ୍ଦୋଳନ ଜୋର ଧରିଛି। ତେବେ କୁଡୁମୀ ସେନା ତରଫରୁ ୨୦୧୭ ମସିହା ସେପ୍ଟେମ୍ବର ୧୨ ତାରିଖରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆ ଯାଇଥିଲା ତେବେ କେନ୍ଦ୍ରକୁ ସୁପାରିଶ କରିବାର ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ମିଳିବା ପରେ ଧାରଣା ପ୍ରତ୍ୟାହାର ହୋଇଥିଲା।

ତେବେ ଅନୁସୂଚିତ ଜାତି ଓ ଜନଜାତିରେ ସାମିଲ ହେବା ପାଇଁ ପୂର୍ବରୁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନଥିବା ବେଳେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହୋଇଛି କୁଡୁମୀ ସେନା। ଏଥିରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାଇରାମ ମହାନ୍ତ, ରାଇରଙ୍ଗପୁର ସଭାପତି ଭଜହରି ମହାନ୍ତ, ଛାତ୍ରନେତା ବରୁଣ ମହାନ୍ତ, ଆଦିତ୍ୟ ମହାନ୍ତ, ମନୋଜ ମହାନ୍ତ, ତନ୍ମୟ ମହାନ୍ତ, ମହିଳା ସେନା ସଭାନେତ୍ରୀ ସୁଜାତା ମହାନ୍ତ, ସୌଭାଗ୍ୟ ମହାନ୍ତ, ପ୍ରେମଲତା ମହାନ୍ତ, ଦୀପିକା ମହାନ୍ତ, ଉର୍ମିଳା ମହାନ୍ତ, ସଂଯୁକ୍ତା ମହାନ୍ତ, ଅଷ୍ଟମୀ ମହାନ୍ତ, ଅନିତା ମହାନ୍ତ, ରଞ୍ଜନା ମହାନ୍ତ, ପାର୍ବତୀ ମହାନ୍ତ, ଅବନ୍ତି ମହାନ୍ତ, ପୁଷ୍ପାଞ୍ଜଳି ମହାନ୍ତଙ୍କ ସମେତ ହଜାର ହଜାର କୁଡୁମୀ ସମ୍ପ୍ରଦାୟର ଲୋକେ ସାମିଲ ଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe