ରାଇରଙ୍ଗପୁର: ରାଞ୍ଚି-ବିଜୟଓ୍ବାଡା ୨୨୦  ନମ୍ବର ଜାତୀୟ ରାଜପଥ ରାଇରଙ୍ଗପୁର-ତିରିଂ ରାସ୍ତା ଦେଇଯାଇଛି । ରାଇରଙ୍ଗପୁରରୁ ତିରିଂ ରାସ୍ତାରେ ଅମାନିଆ ଲୁହାପଥର ପରିବହନ ଯୋଗୁ ଏହା ମରଣଯନ୍ତା ପାଲଟିଛି।

Advertisment

କେନ୍ଦୁଝରରୁ ଟାଟା ନଗର ଆସୁଥିବା ଲୁହା ପଥର ବୋଝେଇ  ଟ୍ରକ ସମେତ ଅନେକ ଭାରିଯାନ ବହୁ ସମୟରେ କୌଣସି କାରଣରୁ ଭାରସାମ୍ୟ ହରାଇ ସାଧାରଣ ଜନତା ,ରାସ୍ତାକଡ ଘର,ଦୋକାନ,ପଥଚାରୀଙ୍କୁ ଧକ୍କା ଦେଇ ଅମୂଲ୍ୟ ଧନଜୀବନ ନଷ୍ଟ କରୁଛନ୍ତି। ଏହି ରାସ୍ତା ଲୋକଙ୍କ ପାଇଁ ଭଲ ହେବା ଅପେକ୍ଷା ଅଭିଶାପ ପାଲଟିଛି।  ମାସକରେ ଦୁଇ ଚାରିଟା ଦୁର୍ଘଟଣା ଘଟୁଛି।

ନିକଟରେ ଵହଳଦା ତେନ୍ତଳା ପୋଲ ପାଖରେ ଜଣେ ବାଇକ୍ ଆରୋହୀକୁ ଟ୍ରକ୍ ଧକ୍କାରେ ମୃତ୍ୟୁ ଘଟିଥିଲା। ସେହିଭଳି ଦାଣ୍ଡବୋଷ ରାସ୍ତା କଡ଼ରେ ଟାଟା ଆଡୁ ଆସୁଥିବା ଟ୍ରକ ଘର ଉପରେ ଚଢ଼ି ଯାଇଥିଲା ଯାହାଫଳରେ ଘରେ ଶୋଇଥିବା ଅବସ୍ଥାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା । 

ଦୁଇଦିନ ପୂର୍ବରୁ ତିରିଂର ବଡଡାଳିମାରେ ଜଣେ ପଥଚାରୀ ସମେତ ଵହଳଦାର ବାଗଡେଗାରେ ଅଟୋକୁ ଧକ୍କା ଦେବା ଫଳରେ ରୋଗୀ, ଅଟୋ ଚାଳକ ଏବଂ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା ।

ବାରମ୍ବାର ଦୁର୍ଘଟଣା ଯୋଗୁ ସାଧାରଣ ଜନତା, ଛାତ୍ରଛାତ୍ରୀ ଜାତୀୟ ରାଜପଥରେ ଯିବା ଆସିବା ପାଇଁ  ଭୟ କରୁଛନ୍ତି ‌ଏହି ସଵୁ ଦୁର୍ଘଟଣାକୁ ନେଇ ସାଧାରଣ ଜନତା  ରାସ୍ତା ଅବରୋଧ ଓ କ୍ଷତିପୂରଣ ଦାବି କରୁଛନ୍ତି। ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍ ହୋଇ ରହୁଛି। ପ୍ରଶାସନ, ପୁଲିସ,ଜନତା ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ସମାଧାନ  ପାଇଁ ନାକେଦମ ହେଉଛନ୍ତି।

ତେଣୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ବାମନଘାଟୀ ଉପଖଣ୍ଡର ଜନପ୍ରତିନିଧିମାନେ ସୋମବାର ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଏବଂ ଏସଡିପିଓଙ୍କୁ ଲିଖିତ ଦାବିପତ୍ର ପ୍ରଦାନ ସହ ଏହି ସମସ୍ୟା ପ୍ରତି ପ୍ରାଥମିକତା ଦେବାପାଇଁ ଅନୁରୋଧ କରିଛନ୍ତି‌। ରାଇରଙ୍ଗପୁର-ତିରିଂ ରାସ୍ତାରେ ଛକକୁ ଛକ ସିସି  କ୍ୟାମେରା ବ୍ୟବସ୍ଥା, ପୂର୍ବାହ୍ନ ୧୦ ଘଟିବାରୁ  ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ପରିବହନ ଟ୍ରକକୁ ପ୍ରଵେଶ ନିଷେଧ,ଟ୍ରକର ଗତି ନିୟନ୍ତ୍ରଣ,ଟ୍ରକ ଡ଼୍ରାଇଭରଙ୍କର ମଦ୍ୟପାନ ପରୀକ୍ଷା କରିବା ଦାବିରେ ଉଲ୍ଲେଖ କରାଯାଇଛି।

ଅଧିକ ପଢ଼ନ୍ତୁ: ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ସରକାରଙ୍କ ଟାସ୍କ ଫୋର୍ସ

ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ ଉପଜିଲ୍ଲାପାଳ ଏବଂ ଏସଡିପିଓ ଗୋକୁଳାନନ୍ଦ ସାହୁ ଏହା ଉପରେ ନିଶ୍ଚିତ ଭାବରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଥିଲେ । ରାଇରଙ୍ଗପୁର ପୌରପରିଷଦର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ତିରିଂ ଜିଲ୍ଲା  ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ,ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଡ,ଜାମଦା ବ୍ଳକ ଅଧ୍ୟକ୍ଷ ଡୁମକା ହେମ୍ରମ,ଜାମଦା ଜିଲ୍ଲା ପରିଷଦ ସଦସ୍ଯ ବାବୁଲା ଟୁଡୁ,ଫାଗୁରାମ ମାରାଣ୍ଡି,ଶାଶ୍ବତ ବଳ,ବାବୁଲା ପାତ୍ର,ଜାମଦା ବ୍ଳକ ପୂର୍ବତନ ଅଧ୍ୟକ୍ଷ କାରାନ ମାରାଣ୍ଡି  ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି  ଉପଜିଲ୍ଲାପାଳ ଏବଂ ଏସଡିପିଓଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।

ଅଧିକ ପଢ଼ନ୍ତୁ: ଏଟିଏମ୍ ଲୁଟ୍ ଘଟଣା: ଦଣ୍ଡାଦେଶ ଶୁଣି କୋର୍ଟରୁ ଚମ୍ପଟ ମାରିଲେ ୨ ଲୁଟେରା