ଅବସର ସମୟର ସଦୁପଯୋଗ, ଫୁଲଫଳରେ ହସୁଛି ରାମଚନ୍ଦ୍ରଙ୍କ ବଗିଚା

Advertisment
ଅବସର ସମୟର ସଦୁପଯୋଗ, ଫୁଲଫଳରେ ହସୁଛି ରାମଚନ୍ଦ୍ରଙ୍କ ବଗିଚା

Sambad

ରାଜକନିକା: ରଙ୍ଗବେରଙ୍ଗର ଫୁଲ। ଦେଶୀ ଓ ବିଦେଶୀ। ବାସ୍ନାରେ ମହକୁଛି ପରିବେଶ। ଭଳିକି ଭଳି ପରିବା ସମ୍ଭାରରେ ମାଟିରେ ଲୋଟିଛି ଗଛ। ଏଭଳି ମନୋରମ ବଗିଚାର ଶୋଭା ଉପଭୋଗ କରିବାର ସୁ‌ଯୋଗକୁ କିଏ ବା ହାତଛଡ଼ା କରିବ! ଯିଏ ସେଇ ବାଟେ ଯାଉଛି ଟିକିଏ ଅଟକି ଯାଉଛି। ବଗିଚା ଉପରେ ଥରୁଟିଏ ଆଖି ବୁଲାଇ ଆଣୁଛି। ରାଜକନିକା ବ୍ଲକ୍‌ ଦେଉଳତରା ପଞ୍ଚାୟତ ମୁରାଦପୁର ଗ୍ରାମର ରାମଚନ୍ଦ୍ର ଦାସଙ୍କ ଯାଦୁକରୀ ହାତ ସ୍ପର୍ଶରେ ଏହି ବଗିଚା ଏମିତି ଜୀବନ୍ତ ହୋଇଉଠିଛି। ଫୁଲ, ଫଳରେ ହସୁଛି। ରାମଚନ୍ଦ୍ରଙ୍କୁ ବୟସ ଷାଠିଏ ଛୁଇଁଲାଣି। ରାଉରକେଲାର ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ଅବସର ପରେ ବସିବାକୁ ମନ କଲେନି। ସମୟ ସଦୁପଯୋଗ କରିବାକୁ ଠାଣିନେଲେ। ଭିଟାମାଟିକୁ ଫେରି ଚାଷ କାମରେ ମନୋନିବେଶ କଲେ। ରାଉରକେଲା, କଟକ ଓ ଭୁବନେଶ୍ୱରରୁ ପନିପରିବା, ଫଳ ଗଛ ଓ ଫୁଲ ମଞ୍ଜି ଆଣି ବଗିଚାକୁ ଆକର୍ଷଣୀୟ କରିଛନ୍ତି।

ବିଶେଷ ଭାବେ ଯତ୍ନ ନେଇ ସବୁଜତାରେ ଭରି ଦେଇଛନ୍ତି। ପରିତ୍ୟକ୍ତ ପଡ଼ିଥିବା ଜମିକୁ ନୂଆ ଜୀବନ ଦେଇଛନ୍ତି। ଆଖପାଖ ଗ୍ରାମର ଲୋକେ ତାଙ୍କ ପାଖକୁ ଆସି ପନିପରିବା ଚାଷ ସମ୍ପର୍କରେ ପଚାରି ବୁଝି ପରାମର୍ଶ ନେଉଛନ୍ତି। ପ୍ରତ୍ୟେକ ଲୋକ ଯଦି ବସି ନ ରହି ଚାଷବାଷରେ ନିଜକୁ ନିୟୋଜିତ କରି ରଖିବେ ତେବେ ଏଭଳି ସୁଫଳ ପାଇ ପାରିବେ ବୋଲି ରାମଚନ୍ଦ୍ର କୁହନ୍ତି। କୌଣସି ରସାୟନିକ ସାର ବ୍ୟବହାର କରନ୍ତି ନାହିଁ ସେ। ଏହା‌ ସତ୍ତ୍ବେ ବଗିଚାରେ ଏକ କିଲୋ ଓଜନର ବିଟ୍ ଫଳାଇ ପାରିଛନ୍ତି ସେ। ଏମିତିକି ଟମାଟୋ ଗଛରେ ଏତେ ଟମାଟୋ ଗୁନ୍ଥି ହୋଇ ପଡିଛି ଯେ ଦେଖିଲା ଲୋକ ବି ଚକିତ ହୋଇପଡିବ। ପରିବା କାହାକୁ ବିକନ୍ତି ନାହିଁ। ସେ ପ୍ରତିଦିନ କାହାକୁ ନା କାହାକୁ ବାଣ୍ଟି ଦିଅନ୍ତି। ଏଥିରୁ ତାଙ୍କୁ ଆନନ୍ଦ ମିଳିଥ‌ାଏ ବୋଲି କୁହନ୍ତି ରାମଚନ୍ଦ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe