Sambad
ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା, କାଲିମେଳା ଏବଂ ପଡିଆ ବ୍ଲକରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ କଣ୍ଡାରେଡ୍ଡୀ ସମ୍ପ୍ରଦାୟର ଲୋକେ ବସବାସ କରିଆସୁଛନ୍ତି। ପାହାଡିଆ ଏବଂ ଜଂଗଲରେ କାହିଁ କେଉଁ କାଳରୁ ସେମାନେ ନିଜର ପାରମ୍ପରିକ ଚାଷ କରି ଜୀବନଯାପନ କରି ଆସୁଛନ୍ତି। ଏମାନେ ଆଜି ବି ଅବହେଳିତ ହୋଇ ରହିଛନ୍ତି। ଅନ୍ୟ ଜନଜାତି ଭଳି ଏମାନେ ବି ଆଦିବାସୀ ଜନଜାତି ଶ୍ରେଣୀର କିନ୍ତୁ ଆଜି ପର୍ଯ୍ୟନ୍ତ ଏମାନଙ୍କୁ ଆଦିବାସୀ ମାନ୍ୟତା ମିଳିପାରି ନାହିଁ। ବିଭିନ୍ନ ସମୟରେ ବିଭିନ୍ନ ରାଜନେତା, ରାଜନୈତିକ ଦଳ ଏବଂ କୋଣ୍ଡାରେଡ୍ଡୀ ସମ୍ପଦାୟର ଲୋକେ ସରକାରଙ୍କ ନିକଟରେ ଏହି ଦାବି ଉପସ୍ଥାପନା କରି ଆସୁଥିଲେ ମଧ୍ୟ କୌଣସି ଫଳପ୍ରଦ ହେଉନଥିବା ଦେଖିବାକୁ ମିଳିଛି। ଆଜି ପୁଣି ସଂସଦରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର କୁରମାନୁର, ଧୂଳିପୁଟ, ପାପଲୁର ରାଲଗେଡା, କାଲିମେଳା ବ୍ଲକର ଭେଜେଙ୍ଗଵାଡା, ତେଲରାଇ ଏବଂ ପଡିଆ ବ୍ଲକରେ ଏହି ଜନଜାତି ବସବାସ କରି ଆସୁଛନ୍ତି।
ତେଣୁ କୋଣ୍ଡାରେଡ୍ଡୀଙ୍କୁ ଜନଜାତିର ମାନ୍ୟତା ପ୍ରଦାନ କରାଯାଉ। ଏହି ଜନଜାତିର ପିଲାମାନେ ଆଜି ବି ଅବହେଳିତ ହୋଇ ରହିଛନ୍ତି। ଶିକ୍ଷା କ୍ଷେତ୍ରରେ ଚାକିରି କ୍ଷେତ୍ରରେ ଏବଂ ସରକାରଙ୍କର ବିଭିନ୍ନ ଯୋଜନାରେ ଏମାନେ କୌଣସି ସୁବିଧା ପାଇ ପାରୁନାହାଁନ୍ତି। ଜିଲ୍ଲାରେ ଆଦିମ ଜନଜାତି ବଣ୍ଡା, ଡିଡାଇ ପରେ କୋଣ୍ଡାରେଡ୍ଡୀ ଅନ୍ୟତମ ବୋଲି କୁହାଯାଇଛି। ତେଣୁ ଏହି ଜନଜାତିକୁ ଆଦିବାସୀ ମାନ୍ୟତା ମିଳିବା ଉଚିତ ବୋଲି ସାଂସଦ ରମେଶ ମାଝୀ ଦାବି କରିଛନ୍ତି।
Follow Us