ସଫଳ କାହାଣୀ: ସ୍ବାବଲମ୍ବୀ ରଞ୍ଜିତା, ଅଗଣାରେ ଫଳାଇଛନ୍ତି ସୁନାର ଫସଲ

ସଫଳ କାହାଣୀ: ସ୍ବାବଲମ୍ବୀ ରଞ୍ଜିତା, ଅଗଣାରେ ଫଳାଇଛନ୍ତି ସୁନାର ଫସଲ

Sambad

ରାଜକନିକା: ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ରାଜକନିକା ବ୍ଲକ ନମତରା ଗ୍ରାମର ରଞ୍ଜିତା ରାଉତ। ଘର ଅଗଣାରେ ସେ ସୁନାର ଫସଲ ଫଳାଇଛନ୍ତି। ପଡ଼ିଆ ପଡ଼ିଥିବା ଜମିରେ ପରିବା ଚାଷ କରି ଯେଉଁ ଦି’ ପଇସା ପାଉଛନ୍ତି ତାହା ତାଙ୍କୁ ନିଜ କାନ୍ଧରେ ପରିବାର ବୋଝ ବୋହିବାକୁ ବଳ ଯୋଗାଇଛି। ଗାଁ ମୁଣ୍ଡରେ ରହିଛି ରଞ୍ଜିତାଙ୍କ ଚାଷ ଜମି। ବିଭିନ୍ନ ପନିପରିବା, ସବୁଜ ଗଛଲତାରେ ଭରା ପଡ଼ିଛି ତାଙ୍କ ବଗିଚା। ଭଳିକି ଭଳି ପରିବା ଲଗାଇଛନ୍ତି। ପ୍ରତିଦିନ ତୋଳା ହେଉଛି ଝୁଡିଝୁଡି ଫସଲ। ନମତରା ବଜାରରେ ଏହି ଫସଲ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି। ରଞ୍ଜିତା କୁହନ୍ତି, ସେ ଚାଷୀ ଘରର ପିଲା। ପିଲାଦିନୁ ବାପା, ଜେଜେ ଆଉ ଗ୍ରାମର ପୁରୁଖା ଚାଷୀମାନେ ବିଲରେ ଚାଷ କରୁଥିବା ସେ ଦେଖିଛନ୍ତି। ସେବେଠୁ ଚାଷ ପ୍ରତି ତାଙ୍କର ଦୁର୍ବଳତା ରହି ଆସିଛି। ବିବାହ ପରେ ପଡ଼ିଆ ପଡୁଥିବା ଜମିରେ ଚାଷ କରିବାକୁ ମନ ବଳାଇ ପ୍ରାୟ ଦଶ ବର୍ଷ ହେଲା କେବଳ ପନିପରିବା ଚାଷ କରି ଆସୁଛନ୍ତି। ଏଥିରେ ତାଙ୍କ ସ୍ୱାମୀ, ଝିଅ ଆଉ ଶାଶୂ, ଶ୍ବଶୁର ବି ସହାୟତା କରୁଛନ୍ତି। ସେଥିପାଇଁ ପନିପରିବା ଚାଷକୁ ବ୍ରତ ଭାବେ ଧରି ନେଇ ଏଯାବତ୍ ଚାଷ କରୁଛନ୍ତି। କରୋନା କାଳରେ ସେ ପନିପରିବା ଚାଷରୁ ବେଶ୍ ଲାଭବାନ୍ ହୋଇଥିଲେ।

ଏବେ ମଧ୍ୟ ସେ ପନିପରିବା ଚାଷରୁ ଭଲ ଦି’ ପଇସା ରୋଜଗାର କରି ପାରୁଛନ୍ତି। ଜମିରେ ମାଟି ହାଣିବା, ମଞ୍ଜି ବୁଣିବା, ପାଣି ଦେବାଠାରୁ ଆରମ୍ଭ କରିଫସଲ ଅମଳର ଦାୟିତ୍ବ ବି ସେ ନିଜ ମୁଣ୍ଡାଇଛନ୍ତି। ଏଥିରେ ସେ ସମ୍ପୂର୍ଣ ରୂପେ ସ୍ୱାବଲମ୍ବୀ ହୋଇ ପରିବାରର ଆର୍ଥିକ ଅନାଟନକୁ ଦୂରେଇ ପାରିଛନ୍ତି ବୋଲି କହିଛନ୍ତି ରଂଜିତା। କେବଳ ଯେ ପରିବା ଚାଷରେ ସେ ନିଜକୁ ନିୟୋଜିତ କରିଛନ୍ତି ତାହା ନୁହେଁ, ଏକାଧିକ ଗାଈ ବି ପାଳନ କରିଛନ୍ତି। ଦୁଧ, ଦହି, ଛେନା, ଘିଅ ବିକ୍ରି କରି ଭଲ ପଇସା କମାଉଛନ୍ତି। ସବୁବେଳେ ନିଜ ଚାଷ ଜମିରେ ବ୍ୟସ୍ତ ଥିବା ରଞ୍ଜିତା କର୍ମଠତାଙ୍କ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ  ହୋଇପାରିଛି। ଯଦି ସରକାର ପକ୍ଷରୁ ବୈଷୟିକ ତାଲିମ ସହ ଚାଷ ପାଇଁ ଆର୍ଥିକ ପ୍ରୋତ୍ସାହନ ମିଳି ପାରନ୍ତା ତେବେ ସେ ତାଙ୍କ ଚାଷକୁ ଆହୁରି ଆଗକୁ ବଢାଇ ପାରନ୍ତେ ବୋଲି କହିଛନ୍ତି ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe