ବାଲେଶ୍ବର/ଗୋପାଳପୁର : ଖାକିରେ ଦାଗ। ରକ୍ଷକ ସାଜିଲେ ଭକ୍ଷକ। ଲୋକଙ୍କୁ ସୁରକ୍ଷା ଦେଉଥିବା ପୁଲିସ ନିଜର ଯୌନ କ୍ଷୁଧା ମେଣ୍ଟାଇବାକୁ ଯାଇ ଦୁଷ୍କର୍ମ ଭଳି ଅପରାଧ କରିବାକୁ ପଛାଇ ନାହିଁ। ତାହା ପୁଣି ନିଜର ଜଣେ ମହିଳା ସହକର୍ମୀଙ୍କୁ। ଏଭଳି ଘଟଣା ଘଟିଛି ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡିରେ। ଜଣେ ଏସ୍ଆଇ ମହିଳା କନଷ୍ଟବଳଙ୍କୁ ଫାଣ୍ଡି ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାର ୫ଦିନ ପରେ ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଟାଉନ୍ ଥାନା ପୁଲିସ ଅଭିଯୁକ୍ତ ଏସ୍ଆଇ ବଂଶୀଧର ପ୍ରଧାନ(୫୨)ଙ୍କୁ ଗିରଫ କରିଛି।
ସୂଚନା ମୁତାବକ, ବାତ୍ୟା ‘ୟାସ୍’ ପୂର୍ବରୁ ଲୋକଙ୍କୁ ସଚେତନ କରାଇବା ସହ ବାତ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ଗତ ୨୪ ତାରିଖରେ ମହିଳା କନଷ୍ଟବଳ ଜଣଙ୍କ ଗୋପାଳପୁର ଫାଣ୍ଡିକୁ ଯାଇଥିଲେ। ଆଉ ସେଠାରେ ଦାୟିତ୍ବରେ ଥିବା ଏସ୍ଆଇ ବଂଶୀଧରଙ୍କୁ ରିପୋର୍ଟ କରିଥିଲେ। ରାତିରେ ସେ ଫାଣ୍ଡି ବିଶ୍ରାମ ଘରେ ଶୋଇଥିବା ବେଳେ ବଂଶୀଧର ରୁମ୍ରେ ପଶିଥିଲେ। ଆଉ ମହିଳା କନେଷ୍ଟବଳଙ୍କୁ ନିଦରେ ଶୋଇଥିବା ଦେଖି ଦୁଷ୍କର୍ମ କରିଥିଲେ। ଏସ୍ଆଇଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରିବା ସହ ମହିଳା କନଷ୍ଟବଳ ଜଣକ ଚିତ୍କାର କରିଥିଲେ। ତା ପରେ ବି କ୍ଷାନ୍ତ ହୋଇନଥିଲେ ବଂଶୀଧର। ଏନେଇ ପୀଡ଼ିତା ଆଜି ଟାଉନ୍ ଥାନାରେ ଅଭିଯୋଗ କରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ତୁରନ୍ତ ଅଭିଯୁକ୍ତ ଏସ୍ଆଇଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଟାଉନ୍ ଥାନା ପୁଲିସ ଆଇପିସିର ଦଫା ୩୪୧, ୩୫୪(ଏ), ୩୭୬(୨)(ଏନ୍)(ଏଫ୍)ରେ ୧୨୫/୨୧ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଏସ୍ଆଇ ବଂଶୀଧର ପ୍ରଧାନଙ୍କୁ ଗୋପାଳପୁରରୁ ଗିରଫ କରିଛି। ଥାନାକୁ ଆଣି ପଚରାଉଚରା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ସେହିପରି ଉଭୟ ପୀଡ଼ିତା ଏବଂ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଥିବା ଜଣାଯାଇଛି।
Follow Us