Daily Times
ବୌଦ୍ଧ: ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାର ବିଚାର କରି ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ପେସାଲ ଜଜ୍ ଗୁରୁବାର ରାୟ ପ୍ରକାଶ କରି ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।
ମାମଲା ଅନୁସାରେ, ବୌଦ୍ଧ ଥାନା ଅଂଚଳର ପୀଡ଼ିତାଜଣକ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଲଖୀନ୍ଦ୍ର ମଲ୍ଲିକ ତାଙ୍କ ଘରେ ପଶିଥିଲା। ବିବାହର ପ୍ରଲୋଭନ ଦେଇ ଦୁଷ୍କର୍ମ କରିଥିଲା। କଥା ପ୍ରଘଟ କଲେ ଜୀବନରୁ ମାରିଦେବ ବୋଲି ଧମକ ଦେଉଥିଲ।। ତେବେ ନାବାଳିକା ପାଞ୍ଚ ମାସର ଗର୍ଭବତୀ ହେବାପରେ ପରିବାର ଲୋକେ ଜାଣି ପାରିଥିଲେ। ପୀଡ଼ିତାଙ୍କ ବାପା ଲଖୀନ୍ଦ୍ର ଘରକୁ ଯାଇ ତାଙ୍କ ଝିଅକୁ ବିବାହ କରିବାକୁ କହିଥିଲେ। ଏଥିରେ ରାଗିଯାଇ ଲଖୀନ୍ଦ୍ର ପୀଡ଼ିତାଙ୍କ ବାପାମା’ଙ୍କୁ ଗାଳିଗୁଲଜ କରି ମାଡ଼ ମାରିଥିଲା। ଏ ସମ୍ପର୍କରେ ପୀଡ଼ିତାଙ୍କ ବାପା ୨ ଅଗଷ୍ଟ ୨୦୧୨ରେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବୌଦ୍ଧ ପୁଲିସ ୧୩୮/୨୦୧୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାଡ଼ ମାରିଥିବା ଲଖୀନ୍ଦ୍ରର ବାପାମା’ଙ୍କୁ ମଧ୍ୟ ପୁଲିସ ତଦନ୍ତ ପରିସରଭୁକ୍ତ କରିଥିଲା। ପରବର୍ତ୍ତୀ ସମୟରେ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ (ସ୍ପେସାଲ କେସ ନଂ. ୧୫/୨୦୧୩) ବିଚାର ହୋଇଥିଲା। ସରକାରଙ୍କ ପକ୍ଷରୁ ୧୦ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ମାମଲାରେ ଅଭିଯୁକ୍ତ ଥିବା ଲଖୀନ୍ଦ୍ରର ବାପାମା’ଙ୍କୁ ଦୋଷମୁକ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେସାଲ ପିପି ଧୂରୀଣ ଦେହୁରୀ ମାମଲା ପରିଚାଳନା କରୁଥିଲେ।
Follow Us