ବନ୍ଧା ପଡିଛି ମହିଳା ଦିନ ମଜୁରିଆଙ୍କ ରାସନ କାର୍ଡ, ଚାଉଳ-ଗହମ ଉଠାଉଛନ୍ତି ମହିଳା ଠିକାଦାର

Advertisment

ଭୋକ ଉପାସରେ ଶୋଉଛନ୍ତି ପରିବାର

ଭୋକ ଉପାସରେ ଶୋଉଛନ୍ତି ପରିବାର

ବନ୍ଧା ପଡିଛି ମହିଳା ଦିନ ମଜୁରିଆଙ୍କ ରାସନ କାର୍ଡ, ଚାଉଳ-ଗହମ ଉଠାଉଛନ୍ତି ମହିଳା ଠିକାଦାର

ରାଉରକେଲା: ଲକ୍‌ଡାଉନ୍‌ ପାଇଁ ଭୋକ ଉପାସରେ ଦିନ କାଟୁଥିବା ହିତାଧିକାରୀଙ୍କୁ ୪ ମାସର କଣ୍ଟ୍ରୋଲ ସାମଗ୍ରୀ ଯୋଗାଇ ଦେଇଛନ୍ତି ସରକାର। ଏଥିସହ କାର୍ଡ ପିଛା ୧ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି କଠିନ ପରିସ୍ଥିତିରେ ଉଦିତନଗର ଶୀତଳପଡା ବସ୍ତିର କିଛି ଗରିବ ମହିଳା ଦିନମଜୁରିଆଙ୍କ ଘରେ ଚୁଲି ଜଳୁନି। ସରକାରଙ୍କ କଣ୍ଟ୍ରୋଲ ସାମଗ୍ରୀ ସେମାନଙ୍କ ପାଇଁ ସାତ ସପନ ହୋଇଛି। କାରଣ ସେମାନଙ୍କ ରାସନ କାର୍ଡ ବନ୍ଧା ପଡିଛି ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଠିକାଦାରଙ୍କ ପାଖରେ। ଜଣେ କି ଦୁଇ ଜଣ ନୁହେଁ, ପ୍ରାୟ ୪୦ରୁ ଅଧିକ ମହିଳା ଦିନମଜୁରିଆଙ୍କ କାର୍ଡ ଉକ୍ତ ମହିଳାଙ୍କ ହାତରେ ରହିଛି ବୋଲି ଅଭିଯୋଗ ହୋଇଛି।

କିଛି କାର୍ଡଧାରୀଙ୍କୁ ମିଳିଥିବା ଚାଉଳ, ଗହମ ଓ ଟଙ୍କାରୁ ଅଧା ସେ ନିଜ ପାଖରେ ରଖୁଛନ୍ତି। ଆର ଅଧକୁ ସେହି ଗରିବ ମହିଳା କାର୍ଡଧାରୀଙ୍କୁ ଦେଉଛନ୍ତି। କାକୁତି ମିନତି ହେଲେ ବି ଶୁଣୁ ନାହାନ୍ତି। ଯେଉଁମାନେ ପ୍ରତିବାଦ କରୁଛନ୍ତି, ସେମାନଙ୍କୁ ଓଲଟା ଧମକ ଚମକ ଦେଉଛନ୍ତି। ଏଥିପାଇଁ ୪୦ ପରିବାର ପ୍ରାୟ ୧୫୦ ସଦସ୍ୟ ମହିଳା ଦେଇଥିବା ଚାଉଳ ଓ ଗହମକୁ ନେଇ କିପରି ଲକ୍‌ଡାଉନ୍‌ ଶେଷ ହେବା ପର୍ଯ୍ୟନ୍ତ ଚଳିବେ ଚିନ୍ତାରେ ପଡିଛନ୍ତି। ବନ୍ଧାପଡିଥିବା ରାସନ କାର୍ଡକୁ ମହିଳାଙ୍କ ପାଖରୁ ଫେରାଇ ଆଣିବାକୁ ସେମାନେ ଜିଲ୍ଲା ପ୍ରଶାସନକୁ ଗୁହାରି ଜଣାଇଛନ୍ତି।

ଉଦିତନଗର ଶୀତଳପଡା ବସ୍ତିର ମୁଣ୍ଡାପଡା, ବଡ ଝୁମ୍ପୁଡି, କରଣ ଝୁମ୍ପୁଡି, ମଙ୍ଗଳାମନ୍ଦିର ବସ୍ତି ଆଦିରେ ଶତାଧିକ ମହିଳା ଦିନ ମଜୁରିଆ ରହନ୍ତି। ସେମାନେ ଶୀତଳପଡାରେ ଥିବା ଆର୍‌ଏସ୍‌ପି ଡମ୍ପିଂୟାର୍ଡରେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ଅଭାବ ଅସୁବିଧାରେ ପଡିଲେ ବସ୍ତିରେ ରହୁଥିବା ମହିଳା ଠିକାଦାରଙ୍କ ଟଙ୍କା ଉଧାରି ଆଣନ୍ତି। ପରବର୍ତ୍ତୀ ସମୟରେ କାମ କରି ସୁଝି ଦିଅନ୍ତି। ଯେଉଁମାନେ ଠିକ୍‌ ସମୟରେ ସୁଝିପାରନ୍ତି ନାହିଁ, ସେମାନେ ରାସନ କାର୍ଡକୁ ମହିଳାଙ୍କ ନିକଟରେ ବନ୍ଧା ରଖନ୍ତି।

publive-image

ସେହି ରାସନ କାର୍ଡରେ ମାସକୁ ମାସ ମିଳୁଥିବା ଚାଉଳ, ଗହମକୁ ମହିଳା ଜଣକ ଉଠାଇ ମାର୍କେଟରେ ବିକ୍ରି କରିଥାନ୍ତି। ମାସ ମାସ ଧରି ମହିଳା ଠିକାଦାର ଜଣକ ଏମିତି ବେଆଇନ କାମ କରୁଥିଲେ ହେଁ ଭୟରେ କେହି ମୁହଁ ଖୋଲନ୍ତି ନାହିଁ। ମହିଳା ଦିନ ମଜୁରିଆ ସରସ୍ବତୀ ସିଂ କହନ୍ତି, ଉଧାରି ଟଙ୍କା ପରିଶୋଧ କରି ନ ପାରିବାରୁ ମହିଳା ଠିକାଦାରଙ୍କ ପାଖରେ ରାସନ କାର୍ଡ ବନ୍ଧା ପକାଇଥିଲେ। ଲକ୍‌ଡାଉନ୍‌ରେ ଏକକାଳୀନ ମିଳିଥିବା ୪ ମାସର ଚାଉଳ, ଗହମ ଓ ହଜାର ଟଙ୍କାରୁ ଅଧା ମହିଳା ଜଣଙ୍କ କାଟି ରଖିଲେ। ଅଧା ତାଙ୍କୁ ଦେଇଥିଲେ।

ଏଭଳି ସ୍ଥିତିରେ ଚାଉଳ, ଗହମ, ଟଙ୍କା ରଖନ୍ତୁ ନାହିଁ ବୋଲି କହିବାରୁ ସେ ଆଦୌ ଶୁଣି ନଥିଲେ। ଅନ୍ୟ ଜଣେ ମହିଳା ଦିନ ମଜୁରିଆ ହେଲେ ନନ୍ଦିନୀ କୁର୍ମି। ସେ କହିଛନ୍ତି, ତାଙ୍କ ବାପା ମା ମୃତ୍ୟୁ ପୂର୍ବରୁ ରାସନ କାର୍ଡକୁ ମହିଳାଙ୍କ ନିକଟରେ ବନ୍ଧା ପକାଇଥିଲେ। ସେବେଠାରୁ ମହିଳା ଜଣକ ମାସକୁ ମାସ ଚାଉଳ, ଗହମ ଉଠାଉଛନ୍ତି। ମନ ହେଲେ ଦେଉଛନ୍ତି ନହେଲେ ନାହିଁ। ଏଭଳି ଦୁର୍ଦ୍ଦିନରେ ସେ ଓ ତାଙ୍କର ଦୁଇ ପୁଅ ଦିନକୁ ଓଳିଏ ଖାଇବାକୁ ପାଉ ନାହାନ୍ତି। ଆଉ ଜଣେ ମହିଳା ହେଲେ ମୃତ ବାପି ଘୋଷଙ୍କ ପତ୍ନୀ ସରିତା।

ଉଧାର ଟଙ୍କା ସୁଝି ନ ପାରିବାରୁ ସେ ମଧ୍ୟ ଉକ୍ତ ମହିଳାଙ୍କ ପାଖରେ ରାସନ କାର୍ଡକୁ ବନ୍ଧା ପକାଇଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ କାର୍ଡ ଫେରାଇବାକୁ ବାରମ୍ବାର ମହିଳାଙ୍କ ନିକଟକୁ ଯାଇ ଗୁହାରି କରିଛନ୍ତି। କିନ୍ତୁ ଉଧାରୀ ଟଙ୍କା ନ ସୁଝିଲେ କାର୍ଡ ଫେରାଇବେ ନାହିଁ ବୋଲି ସେ ରୋକ୍‌ଠୋକ୍‌ ମନା କରି ଦେଉଛନ୍ତି। କେବଳ ତିନି ମହିଳା ନୁହେଁ ବସ୍ତିରେ ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଥିବା ଅନେକ ମହିଳାଙ୍କ ରାସନ ସେଠାରେ କାର୍ଡ ବନ୍ଧା ପଡିଛି ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe