ଏଥର ବି ଟଣା ହେବନି ରଥ, ନୀତିକାନ୍ତିରେ ସୀମିତ ରହିବ ରଥଯାତ୍ରା

ଏଥର ବି ଟଣା ହେବନି ରଥ, ନୀତିକାନ୍ତିରେ ସୀମିତ ରହିବ ରଥଯାତ୍ରା

ଝାଡ଼ୁଆପଡ଼ା ବ୍ରହ୍ମପୁରା ମହାପ୍ରଭୁଙ୍କ ରଥ ପ୍ରସ୍ତୁତ

ସମ୍ବଲପୁର: ସରକାରଙ୍କ ନିୟମ ମାନି ଚଳିତ ବର୍ଷ ବି ସଂସ୍କୃତିର ସହର ସମ୍ବଲପୁରରେ ରଥଯାତ୍ରା କେବଳ ବିଧି ରକ୍ଷାରେ ସୀମିତ ରହିବ। ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ନକରିବାକୁ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ଗତ ବର୍ଷ ଭଳି ଏଥର ବି ରଥଟଣାକୁ ସ୍ଥଗିତ ରଖିଛନ୍ତି ସହରର ସମସ୍ତ ଯାତ୍ରା କମିଟି। ସୋମବାର ଗୁଣ୍ଡିଚା ଯାତ୍ରା ଅବସରରେ ବିଭିନ୍ନ ରଥଯାତ୍ରା ଓ ମନ୍ଦିର କମିଟି ପକ୍ଷରୁ ମନ୍ଦିର ପରିସରରେ ରଥଯାତ୍ରାର ନୀତିକାନ୍ତି କରାଯିବା ସହ ମହାପ୍ରଭୁଙ୍କୁ ମାଉସୀମାଁ ମନ୍ଦିରକୁ ନିଆଯିବ। କିଛି ପଡ଼ାରେ ଚତୁର୍ଦ୍ଧା ମୂର୍ତ୍ତି କିଛି ସମୟ ପାଇଁ ରଥାରୁଢ଼ ହେବେ ବା ରଥ ସ୍ପର୍ଶ କରି ମାଉସୀ ମନ୍ଦିରକୁ ଯିବେ।

ସମ୍ବଲପୁରର ସର୍ବପ୍ରାଚୀନ ବ୍ରହ୍ମପୁରା ମନ୍ଦିରରେ ସୋମବାର ଭୋରରୁ ଠାକୁରଙ୍କ ରଥଯାତ୍ରା ନୀତିକାନ୍ତି ଆରମ୍ଭ ହେବ। ସକାଳ ୫ଟାରୁ ଧାଡ଼ି ପହଣ୍ଡିରେ ଚାରି ଠାକୁର ମନ୍ଦିରରୁ ଯାଇ ରଥରେ ବିଜେ ହେବେ। ରଥରେ ପୂଜାର୍ଚ୍ଚନା ଓ ମଙ୍ଗଳ ଆଳତି ପରେ ସକାଳ ୭ଟା ମଧ୍ୟରେ ମାଉସୀମାଁ ମନ୍ଦିରରେ ପ୍ରବେଶ କରିବେ ବୋଲି କମିଟି ପକ୍ଷରୁ କହାଯାଇଛି। ଅନ୍ୟ ସମସ୍ତ ପ୍ରାଚୀନ ମନ୍ଦିର ଦଧିବାମନ, ସତ୍ୟବାଦୀ, ମଦନମୋହନ, ଲିଆଖାଇ, ବାରିହା, ଟିମିନି ଗୁଡ଼ି, କୋଠା ଜଗନ୍ନାଥ ଆଦିରେ ମଧ୍ୟ ବିନା ଯାତ୍ରାରେ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ। ସେହିପରି ମୁଦିପଡ଼ା ଜଗନ୍ନାଥ ମନ୍ଦିରରେ ମଧ୍ୟ ସକାଳ ପ୍ରାୟ ୭ଟାରେ ଠାକୁରଙ୍କ ପହଣ୍ଡି ବିଜେ କରାଯାଇ ରଥ ସ୍ପର୍ଶ ପରେ ମାଉସୀମାଁ ମନ୍ଦିରକୁ ନିଆଯିବ। ଧନୁପାଲି ଗୋପାଲଜୀ ମନ୍ଦିରରେ ମଧ୍ୟ ସମସ୍ତ ନୀତିନିୟମରେ ଠାକୁରଙ୍କୁ ପହଣ୍ଡି ବିଜେ କରାଇ ରଥାରୁଢ଼ କରା ଯିବ। କ୍ଷେତରାଜପୁର ଜଗନ୍ନାଥ ମନ୍ଦିର, ସାକ୍ଷୀପଡ଼ାସ୍ଥିତ ରାଧାମଦନ ଗୋପାଳ ମନ୍ଦିର, ଜଗନ୍ନାଥ କଲୋନି, ଗୋଲବଜାର, ଭତରା ଆଦି ସ୍ଥାନରେ ମଧ୍ୟ ବିଧି ରକ୍ଷା ପୂର୍ବକ ସମସ୍ତ ନୀତିକାନ୍ତି ଓ ପୂଜା ବିଧି ସମ୍ପନ୍ନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe