ଧର୍ମଶାଳା: ଧର୍ମଶାଳା ବ୍ଲକ୍ର ବିଭିନ୍ନ ସ୍ଥାନରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଶାନ୍ତିଶୃଙ୍ଖଳା ସହ ସଂପନ୍ନ ହୋଇଛି। ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରରୁ ଏକ ସୁସଜ୍ଜିତ ରଥରେ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସାଙ୍ଗରେ ନେଇ ୯ଦିନ ପାଇଁ ଧର୍ମଶାଳା ହାଟପଡ଼ିଆସ୍ଥିତ ମାଉସୀ ମା’ଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି। ଧର୍ମଶାଳା ଆଇଆଇସି ରାକେଶ କୁମାର ତ୍ରିପାଠୀ ଛେରାପହଁରା କରିବା ପରେ ଅପରାହ୍ଣ ୪ଟାରେ ରଥଟଣା ହୋଇଥିଲା। ରଥ ୧୬ନମ୍ବର ଜାତୀୟ ରାଜପଥ ଦେଇ ଜାରକା ବଜାର, ବୁଦ୍ଧଛକ, ଶାନ୍ତିବଜାର ଓ ଧର୍ମଶାଳା ବଜାର ଅତିକ୍ରମ କରିଥିଲା। ସନ୍ଧ୍ୟା ସୁଦ୍ଧା ଧର୍ମଶାଳା ଥାନା ସମ୍ମୁଖ ମାଉସୀ ମା’ଙ୍କ ମନ୍ଦିରରେ ପହଞ୍ଚିଥିଲା। ବିଭିନ୍ନ ସ୍ଥାନରେ ମହିଳାମାନେ ରାସ୍ତାରେ ମୁରୁଜ ପକାଇବା ସହିତ କଳସ ବସାଇ ଠାକୁରଙ୍କୁ ବନ୍ଦାପନା କରିଥିଲେ।
ମୁନ୍ସୀ ମେଳଣ କମିଟି ସଂପାଦକ ଜଳଧର ମହାନ୍ତି, ସହସଂପାଦକ ପ୍ରମୋଦ କୁମାର ଦାସ, ଜଗନ୍ନାଥ ମନ୍ଦିର କମିଟି ସଂପାଦକ ପ୍ରସନ୍ନ କୁମାର ବରାଳ, ଯାଜପୁରର ପୂର୍ବତନ ସିଡିଏମ୍ଓ ଡା. ବିଜୟ କୁମାର ଶତପଥୀ, ରୋଟାରିଆନ୍ ନିରଞ୍ଜନ ପାଣିଗ୍ରାହୀ ଉଭୟ କମିଟିର ସଦସ୍ୟ ପ୍ରଫୁଲ୍ଲ କୁମାର ସର, ଗଜେନ୍ଦ୍ର ବେହେରା, ଅନିରୁଦ୍ଧ ରାଉତ, ସବ୍ୟସାଚୀ ବେହେରା, ଇନ୍ଦ୍ରମଣି ମହାନ୍ତି, ପ୍ରଭୁଦତ ଜେନା, ସୁଦୀପ୍ତ ସ୍ବାଇଁ, କାର୍ତ୍ତିକ ଚନ୍ଦ୍ର ସ୍ବାଇଁ, କେଳୁଚରଣ ନାୟକ, ଅଶୋକ ଜେନା, ଗଙ୍ଗାଧର ମହାରଣା, ଜିତେନ୍ଦ୍ର ସାମଲ, ଇଂ. ବିଜୟ କୁମାର ନାୟକ, ସୁନୀଲ କୁମାର ରାଉତରାୟ, କଳ୍ପତରୁ ସାହୁ, ପ୍ରଦୀପ୍ତ ରାଉତ, ମନୋଜ ରଣା, ପ୍ରସନ୍ନ ପାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଜି ସନ୍ଧ୍ୟାରୁ ୯ ଦିନ ବ୍ୟାପି ମାଉସୀ ମା’ଙ୍କ ମନ୍ଦିର ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ନାଉପାଳ, ନାକପୋଲ, ନୂଆଗାଁ, ଭୁବନ, ନରସିଂହପୁର, ନୀଳକଣ୍ଠପୁର, ଛେଳିଆପଦା, ଅଚ୍ୟୁତପୁର, ଇମାମନଗର, କୋତପୁର, ମଙ୍ଗଳପୁର, ଦେଓଦା, ଅରେଇକଣା, କଦମପାଳ ଆଦି ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ସଂପନ୍ନ ହୋଇଛି। ସ୍ଥାନୀୟ ପୁଲିସ୍ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।
Follow Us