ରେଢ଼ାଖୋଲ ରଥଯାତ୍ରା: ଏକାଠି ରଥ ଟାଣିଲେ ପ୍ରସନ୍ନ ଓ ରୋହିତ

ରେଢ଼ାଖୋଲ ରଥଯାତ୍ରା: ଏକାଠି ରଥ ଟାଣିଲେ ପ୍ରସନ୍ନ ଓ ରୋହିତ

ରେଢ଼ାଖୋଲ: ରେଢ଼ାଖୋଲରେ ଅନ୍ୟ ପର୍ବପର୍ବାଣି ତୁଳନାରେ ରଥଯାତ୍ରା ବେଶ୍ ସମାରୋହରେ ପାଳିତ ହୋଇଥାଏ। ରଥଯାତ୍ରାରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ହୋଇଥାଏ। ଦୂରଦୂରାନ୍ତରେ ରହୁଥିଲେ ‌ବି ରେଢ଼ାଖୋଲ ଅଂଚଳର ଲୋକେ ରଥଯାତ୍ରାରେ ଘରକୁ ଆସିବାକୁ ଭୁଲି ନଥାନ୍ତି। ପବିତ୍ର ରଥଯାତ୍ରା ଭଳି ପବିତ୍ର ସୁଯୋଗକୁ ରାଜନେତା ବି ହାତଛଡ଼ା କରିବାକୁ ଚାହିନଥାନ୍ତି। ଏହି କ୍ରମରେ ପୂର୍ବତନ ମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ରାଜନୀତିରେ ପାଦ ଥାପିବା ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରମୋଦ ବେହେରା, ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲଙ୍କ ସହିତ ବହୁ ନେତା ରଥଯାତ୍ରା ଅବସର‌ରେ ରେଢ଼ାଖୋଲରେ ପହଂଚି ଥିଲେ।

ଅଳ୍ପଦିନ ତଳେ ରୋହିତ ଯେତେବେଳେ ମନ୍ତ୍ରୀ ଥିଲେ ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରମୋଦ ବେହେରାଙ୍କ ଉଦ୍ଦେ‌ଶ୍ୟରେ ଶବ୍ଦବାଣ ମାରିଥିଲେ। ପ୍ରସନ୍ନ ଓ ପ୍ରମୋଦ ଉଭୟେ ରେଢ଼ାଖୋଲ ଅଂଚଳରେ ସକ୍ରିୟ ଥିବା ଦୃଷ୍ଟିରେ ରଖି ରୋହିତ ‘୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ନିର୍ବାଚିତ ହେଲେ ରେଢ଼ାଖୋଲ ବିଧାନସଭା କ୍ଷେତ୍ର ବୁଲି ଲୋକଙ୍କ ସେବା କରିପାରିବେ ନାହିଁ। ତେଣୁ, ସେମାନେ ରାଜନୀତିକୁ ନଆସିବା ଉଚିତ’ ବୋଲି ପରାମର୍ଶ ଦେଇଥିଲେ।‌ ରୋହିତଙ୍କ ଏହି କଥା ସାରା ରାଜ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇ ଥିଲା। ଇତିମଧ୍ୟରେ ରୋହିତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରୁ ବିଦା କରିଛନ୍ତି। ଆଜି ରଥଯାତ୍ରା ଅବସରରେ କିନ୍ତୁ ରୋହିତ ଓ ପ୍ରସନ୍ନ ଉଭୟ ପହଣ୍ଡି ଏବଂ ରଥଟଣା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେମାନଙ୍କ ଅନୁଗତମାନେ ବି ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ପ୍ରମୋଦ ବେହେରା ମଧ୍ୟ ଏଥିରେ ସାମିଲ ହୋଇଥିଲା। ଏହା ଆଜି ରେଢ଼ାଖୋଲ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ କହିଲେ, ମୋର ରେଢ଼ାଖୋଲ ରଥଯାତ୍ରାରେ ସାମିଲ ମୋର ନୂଆ ନୁହେଁ। ଯେତେବେଳେ ବିଧାୟକ ହୋଇନଥିଲି, ସେତେବେଳେ ବି ମୁଁ ଏହି ରଥଯାତ୍ରାକୁ ଆସୁଥିଲା। ରେଢ଼ାଖୋଲବାସୀଙ୍କ ସହିତ ମୋର ସଂପର୍କ ଦୀର୍ଘ ୪୦ ବର୍ଷ ହେବ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe