ରବି ଋତୁ ଧାନ ସଂଗ୍ରହ: ପ୍ରତିଶ୍ରୁତି ଥିଲା ଦିନକୁ ୧୨ଶହ କ୍ୱିଂଟାଲ୍, ୩ ଦିନରେ କେବଳ ୬୦୦ କ୍ୱିଂଟାଲ୍ ଧାନ ସଂଗୃହିତ

Advertisment
ମଣ୍ଡି ମାଡ଼ିନାହାନ୍ତି ୩୫ହଜାର ଚାଷୀ: ଖରିଫ ଧାନକିଣା ଆଉ ୧୫ଦିନ

Sambad symbolic

ଖୋର୍ଦ୍ଧା: ଅପ୍ରିଲ୍ରେ ଜିଲ୍ଲାସ୍ତରୀୟ ରବି ଋତୁ ଧାନ ସଂଗ୍ରହ ପ୍ରସ୍ତୁତି ବୈଠକରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା ଯେ ଦୈନିକ ୧୨ଶହ କ୍ୱିଂଟାଲ୍ ଧାନ ଚାଷୀଙ୍କ ଠାରୁ ସଂଗୃହିତ ହେବ । କିନ୍ତୁ ବର୍ତମାନ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇ ତିନି ଦିନ ବିତିଯାଇଥିବା ବେଳେ କେବଳ ୬ଶହ କ୍ୱିଂଟାଲ୍ ଧାନ ସଂଗୃହିତ ହୋଇଛି ।

ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ ବର୍ତ୍ତମାନ ସୁଦ୍ଧା ୨ଟି ମଣ୍ଡିରେ ୧୭ ଜଣ ଚାଷୀଙ୍କ ଠାରୁ ୬୮୦.୮୨ କ୍ୱିଂଟାଲ୍ ଧାନ କିଣାଯାଇଛି । ମାସେ ବ୍ୟାପୀ ଚାଲିବାକୁ ଥିବା ରବି ଋତୁ ଧାନ ସଂଗ୍ରହରେ ଯାଂଚ ପରେ ୨୦୯୦ଜଣ ପଂଜୀକୃତ ଚାଷୀଙ୍କୁ ସାମିଲ କରାଯାଇଛି । ୧୨ ଅପ୍ରିଲ୍ ରବି ଋତୁ ଧାନ ସଂଗ୍ରହ ପ୍ରସ୍ତୁତି ବୈଠକରେ ମିଲରଙ୍କ ଜରିଆରେ ଦୈନିକ ୧୨ଶହ କ୍ୱିଂଟାଲ୍ ଧାନ କିଣାଯିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ତିନିଦିନରେ କେବଳ ୬୦୦ କ୍ୱିଂଟାଲ୍ ଧାନ କିଣାଯିବାକୁ ନେଇ ଚାଷୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ମଣ୍ଡିରେ ଯେଉଁ ଭଳି ଚାଷୀଙ୍କ ଠାରୁ ଧାନ କିଣାଯିବାକୁ ତତ୍ପରତା ପ୍ରକାଶ ପାଇବା କଥା ସେଭଳି ତତ୍ପରତା ଦେଖିବାକୁ ମିଳୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ କାଳବୈଶାଖୀ ବର୍ଷାର ସୂଚନାକୁ ନେଇ ଚାଷୀମାନେ ମଣ୍ଡିକୁ ଧାନ ଆଣିବାକୁ ପଛଘୁଂଚା ଦେଉଛନ୍ତି ବୋଲି କୃଷି ସମବାୟ ସମିତିର ସମ୍ପାଦକମାନେ କହିଛନ୍ତି ।

ଏନେଇ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ସୁଗୁଡ଼ା ମୁର୍ମୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଦିନକୁ ସର୍ବାଧିକ ୧୨ଶହ କ୍ୱିଂଟାଲ୍ ଧାନ କିଣିବାକୁ ନିଷ୍ପତ୍ତି ହୋଇଥିଲା । ଏନେଇ ଆବଶ୍ୟକ ନିଦେ୍ର୍ଦଶ ମଧ୍ୟ ମିଲର ଓ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକୁ ଜଣାଇଦିଆଯାଇଛି । କିନ୍ତୁ ଚାଷୀମାନେ ମଣ୍ଡିକୁ ଧାନ ଆଣିବାରେ ସେଭଳି ଆଗ୍ରହ ଦେଖାଉନାହାନ୍ତି । ଫଳରେ ଧାନ ସଂଗ୍ରହ ପରିମାଣ କମିଯାଇଛି, କିନ୍ତୁ ଆହୁରି ୧ ମାସ ସମୟ ରହିଛି, ଏହା ମଧ୍ୟରେ ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ହେବ ବୋଲି ଆଶା ରହିଛି ।
ସୂଚନାଯୋଗ୍ୟ, ୨୦୨୨-୨୩ ଖରିଫ ଋତୁରେ ପଂଜୀକୃତ ହୋଇଥିବା ଚାଷୀଙ୍କ ମଧ୍ୟରୁ ଯାଂଚ ପରେ ୪୬ହଜାର ୩୨୨ ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଖରିଫ ଋତୁ ଧାନ ସଂଗ୍ରହ ଶେଷ ହୋଇଯାଇଥିଲେ ମଧ୍ୟ ୨ହଜାରରୁ ଉର୍ଦ୍ଧ ଚାଷୀ ନିଜର ଧାନ ବିକ୍ରୟ କରିପାରିନଥିଲେ । ଯୋଗାଣ ବିଭାଗର ସୂଚନାନୁସାରେ, ୧୩୯ଟି ମଣ୍ଡି ଜରିଆରେ ୪୪୬୫୨ଜଣ ଚାଷୀଙ୍କ ଠାରୁ ୧୪୫୭୫୪୩.୫୩ କ୍ୱିଂଟାଲ୍ ଧାନ କିଣାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe