୪ କନିଷ୍ଠ କିରାଣିଙ୍କ ଭାଗ୍ୟ ସୂତା ଖିଅରେ:ନିଯୁକ୍ତି ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Advertisment
୪ କନିଷ୍ଠ କିରାଣିଙ୍କ ଭାଗ୍ୟ ସୂତା ଖିଅରେ:ନିଯୁକ୍ତି ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ରାୟଗଡ଼ା: ରାୟଗଡା ଜିଲ୍ଲାରେ କନିଷ୍ଠ କିରାଣି ପଦବି ପାଇଁ ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ଜିଲ୍ଲାର ୪ ଜଣ କିରାଣିଙ୍କୁ ୮ ମାସ ହେଲା ନିଯୁକ୍ତି ମିଳିନଥିବାରୁ ଭବିଷ୍ୟତ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ସେମାନଙ୍କ ସହ ମନୋନୀତ ଅନ୍ୟ ପ୍ରାର୍ଥୀ ଜିଲ୍ଲାର ବିଭିନ୍ନ ଅଫିସରେ ନିଯୁକ୍ତି ପାଇ ୮ ମାସ ହେଲା ଦରମା ପାଇ ଆସୁଥିବା ବେଳେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଏହି ୪ ଜଣଙ୍କୁ ହଇରାଣ ହେବାକୁ ପଡ଼ିଛି। ଏ ସଂପର୍କରେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ୪ ଜଣ ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ପବିତ୍ର କୁମାର ସ୍ୱାଇଁ, ବଳରାମ ଭୂୟାଁ, ନରେନ୍ଦ୍ର ଟାକ୍ରୀ ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହାତରେ ପ୍ଲାକାର୍ଡ ଧରି ଖରାରେ ଧାରଣା ଦେଇଥିଲେ।

ଅପର ପକ୍ଷରେ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଆଜି ଆଦିବାସୀ କଲ୍ୟାଣ ମନ୍ତ୍ରୀ ରମେଶ ମାଝୀଙ୍କ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବାରୁ ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ବିନୋଦିନି ପଣ୍ଡା ଧାରଣା ସ୍ଥଳକୁ ଯାଇ ଆଲୋଚନା କରିଥିଲେ। ସପ୍ତାହକ ମଧ୍ୟରେ ଏହାର ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀମତି ପଣ୍ଡା ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହାର କରି ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟଯେ ୨୦୧୬ ମସିହା ଏପ୍ରିଲ ମାସରେ ଓଡ଼ିଶା ଷ୍ଟାଫ ସିଲେକ୍ସନ ଆନୁକୂଲ୍ୟରେ ରାୟଗଡ଼ା ଜିଲ୍ଲାର ୬୪ ଜଣ କନିଷ୍ଠ କିରାଣି ପଦବି ପୂରଣ ପାଇଁ ସାକ୍ଷାତକାର ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସମସ୍ତ ପ୍ରକାର ପରୀକ୍ଷା କରିବା ପରେ ୨୦୧୭ ମାର୍ଚ୍ଚ ୩୧ ତାରିଖରେ ରାଜ୍ୟ ସରକାର ରାୟଗଡ଼ା ଜିଲ୍ଲାର ୬୪ ଜଣଙ୍କ ନିଯୁକ୍ତି ତାଲିକା ପ୍ରକାଶ କରିଥିଲେ। ଉକ୍ତ ତାଲିକାରେ ପବିତ୍ର କୁମାର ସ୍ୱାଇଁ, ବଳରାମ ଭୂୟାଁ, ନରେନ୍ଦ୍ର ଟାକ୍ରୀ, କମୀୟ ପ୍ରସାଦ ମୁଟୁକାଙ୍କୁ ରାୟଗଡ଼ା, ବିଷମକଟକ, କାଶୀପୁର ଓ ଗୁଣପୁର ସବରେଜିଷ୍ଟାର କାର୍ଯ୍ୟାଳୟରେ ନିଯୁକ୍ତି ମିଳିଥିଲା। ତେବେ ଏପ୍ରିଲ ମାସରେ ବିଷମକଟକ ସବରେଜିଷ୍ଟାର ଅଫିସରେ ଡ଼େପୁଟେସନରେ କାର୍ଯ୍ୟରତ ରାଜସ୍ୱ କିରାଣି ବନମାଳି କର ପୂର୍ବ ତହସିଲ କାର୍ଯ୍ୟାଳୟକୁ ନଫେରିବା ପାଇଁ ଟ୍ରିବ୍ୟୁନାଲରେ ଆଶ୍ରୟ ନେଇଥିଲେ।

ମାନ୍ୟବର ଟ୍ରିବ୍ୟୁନାଲ ୪ଟି ରେଜିଷ୍ଟାର ଅଫିସରେ ନିଯୁକ୍ତି ପାଇଥିବା ୪ ଜଣ କିରାଣିଙ୍କ ନିଯୁକ୍ତି ଉପରେ ସ୍ଥଗିତା ଦେଶ ଜାରି କରିଥିଲେ। ଇତି ମଧ୍ୟରେ ବର୍ଷେ ବିତିଯାଇଥିବା ବେଳେ ସ୍ଥଗିତାଦେଶ ଉଠିନାହିଁ। ଯାହାଫଳରେ ନିଯୁକ୍ତି ପାଇଥିବା ପ୍ରାର୍ଥୀ ମାନେ ଅନଶନ କରିବାକୁ ବାଧ୍ୟ ହୋଇଥିଲେ। ବର୍ତମାନ ୪ ଜଣଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଥିବା ବେଳେ ଜିଲ୍ଲା ପ୍ରଶାସନ ନ୍ୟାୟ ପ୍ରଦାନ ପାଇଁ କି ପଦକ୍ଷେପ ଗ୍ରହଣ କରିବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe