କଚ୍ଛପ ଗତିରେ ଜଗନ୍ନାଥପୁର ପୋଲ ନିର୍ମାଣ

Advertisment
କଚ୍ଛପ ଗତିରେ ଜଗନ୍ନାଥପୁର ପୋଲ ନିର୍ମାଣ

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଜଗନ୍ନାଥପୁର ଗ୍ରାମ ନିକଟରେ ଚାଲିଥବା ପୋଲ ନିର୍ମାଣ କାର୍ଯ୍ୟ ମନ୍ଥର ଗତ‌ିରେ ଚାଲିଛି। ପୂର୍ତ ବିଭାଗ ପକ୍ଷରୁ ପ୍ରାୟ ୬କୋଟି ୮୬ଲକ୍ଷ ଟଙ୍କା ବ୍ୟୟରେ ଏହି ନିର୍ମାଣ କାର୍ଯ୍ୟ ଚାଲିଛି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଆବଶ୍ୟକ ତଦାରଖ ଅଭାବରୁ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରୁନଥିବା ଅଭିଯୋଗ ହୋଇଛି। ଦୀର୍ଘ ୪ବର୍ଷ ହେଲା ଏହି ପୋଲର ପିଲାର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନି। ଏଥି‌େ‌ଯାଗୁଁ ବର୍ଷା ଦିନେ ଏହି ନାଳ ଉପରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ ଗୁଣପୁର ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଉଛି। ଏପରିକି ଗୁଣପୁର ବ୍ଲକର ୨ଟି ପଞ୍ଚାୟତର ଛାତ୍ରଛାତ୍ରୀ ଗୁଣପୁର କଲେଜ ଯିବା ସମୟରେ ମଧ୍ୟ ହଇରାଣ ହେଉଛନ୍ତି। ସେହିପରି ବର୍ଷା ଦିନେ ଏହି ରାସ୍ତା ଦେଇ ଆମ୍ବୁଲାନ୍‌ସ ଯାଇପାରୁନଥିବାରୁ ଅଞ୍ଚଳର ରୋଗୀ ବାଧ୍ୟ ହୋଇ ଆନ୍ଧ୍ର ପ୍ରଦେଶ ଉପରେ ନିର୍ଭର କରୁଛନ୍ତି।
ଗୁଣପୁର ବ୍ଲକର ଜଗନ୍ନାଥପୁର ନିକଟରେ ଥିବା ଏହି ସର୍ବ ପୁରାତନ ନାଳରେ ବ୍ରିଟିଶ ଅମଳରେ ପୋଲ ନିର୍ମାଣ କରାଯାଇଥିଲା। ତେବେ ଦୀର୍ଘ ବର୍ଷ ଧରି ବଂଶଧାରା ନଦୀ ଓ ବିଭିନ୍ନ ବାଲି ଉତ୍ସ ଗୁଡିକରୁ ଭାରୀଯାନ ଗୁଡ଼ିକରେ ଏହି ପୋଲ ଦେଇ ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ହେବା ଯୋଗୁଁ ପୋଲଟି ଦୁର୍ବଳ ହୋଇ ପଡିଥିଲା। ଏପରିକି ପଡୋଶୀ ଆନ୍ଧ୍ରପ୍ରଦେଶରୁ ଏହି ରାସ୍ତା ଦେଇ ଭାରୀଯାନରେ ଗୁଣପୁର, ପଦ୍ମପୁର, ଗୁଡାରି ଓ ରାମନାଗୁଡା ଅଞ୍ଚଳରୁ ଚିପ୍‌ସ ଚୋରାଚାଲାଣ ହେବାରୁ ପୋଲଟି ଶୋଚନୀୟ ଅବସ୍ଥାକୁ ଚାଲି ଆସିଥିଲା। ଗତ ୨୦୧୬ ଜୁଲାଇ ମାସରେ ଲଗାଣ ବର୍ଷା ‌େଯାଗୁଁ ଏହି ନାଳରେ ବନ୍ୟା ଜଳ ଆସି ପୋଲଟି ଦବି ଯାଇଥିଲା। ପରେ ପୂର୍ତ ବିଭାଗ ପକ୍ଷରୁ ହ୍ୟୁମ୍ ପାଇପ୍ ପକାଇ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା। କିନ୍ତୁ ଏହାର ମାସକ ପରେ ପୁଣି ବନ୍ୟା ଜଳ ମାଡ଼ିଯାଇ ଅସ୍ଥାୟୀ ପୋଲ ଧୋଇ ‌ହୋଇ ଯାଇଥିଲା। ଲକ୍ଷାଧିକ ଟଙ୍କାରେ ଅସ୍ଥାୟୀ ପୋଲ ନିର୍ମାଣ ହୋଇଥିଲେ ହେଁ ଲୋକଙ୍କ କାମରେ ଲାଗି ପାରିନଥିଲା। ଏଥିଯୋଗୁଁ ଗୁଣପୁର ବ୍ଲକର ଗୋଠଳପଦର ଓ ମୋରମା ପଞ୍ଚାୟତର ୩୦ରୁ ଊର୍ଧ୍ବ ଗ୍ରାମ ଓ ପଡୋଶୀ ଆନ୍ଧପ୍ରଦେଶକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଅନ୍ୟପଟେ ଏହି ନାଳ ଉପରେ ସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେଉନଥିବାରୁ ଗତ ୩ବର୍ଷ ହେଲା ଅଞ୍ଚଳବାସୀ ବର୍ଷା ଦିନେ ଯାତାୟାତ ସମୟରେ ବହୁ ହଇରାଣ ହେଉଛନ୍ତି। ଚଳିତ ବର୍ଷ ଏପ୍ରିଲ ମାସ ସୁଦ୍ଧା ଏହି ପୋଲ ନିର୍ମାଣ କାର୍ଯ୍ୟ ସାରିବାକୁ ପୂର୍ତ ବିଭାଗ ଟାର୍ଗେଟ ରଖିଥିଲା। କିନ୍ତୁ ବର୍ତମାନ ସୁଦ୍ଧା ୨୦ପ୍ରତିଶତ କାମ ବି ସଂପୂର୍ଣ୍ଣ ହୋଇପାରିନି। ତେଣୁ ଗତ ୩ବର୍ଷ ଭଳି ଚଳିତ ବର୍ଷ ବର୍ଷା ଋତୁରେ ମଧ୍ୟ ଅଞ୍ଚଳବାସୀଙ୍କୁ ସମଦଶା ଭୋଗିବାକୁ ପଡ଼ିବ। ଏହି କାର୍ଯ୍ୟ ଆନ୍ଧ୍ରର ଜଣେ ଠିକାଦାର କରୁଥିବା ବେଳେ ପୂର୍ତ ବିଭାଗ ତଦାରଖ କରୁଛି। କିନ୍ତୁ ପୋଲ ନିର୍ମାଣ କାର୍ଯ୍ୟ କିଭଳି ସଂପୂର୍ଣ୍ଣ ହେବ ସେଦିଗରେ ସ୍ଥାନୀୟ ଜନ ପ୍ରତିନିଧି କିମ୍ବା ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ବିଭାଗୀୟ କର୍ତୃପକ୍ଷଙ୍କୁ ପଚାରିବାରୁ ଠିକାଦାରଙ୍କ ଅବହେଳା ଯୋଗୁଁ ପୋଲ ନିର୍ମାଣ ସଂପୂର୍ଣ୍ଣ ହୋଇପାରୁନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe