ବିଦ୍ୟୁତ ସେବା ଠପ୍‌, ଜଳଯୋଗାଣ ବାଧାପ୍ରାପ୍ତ

Advertisment
ବିଦ୍ୟୁତ ସେବା ଠପ୍‌, ଜଳଯୋଗାଣ ବାଧାପ୍ରାପ୍ତ

ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅଞ୍ଚଳରେ ବାତ୍ୟା ତିତ୍‌ଲି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ପବନ ଯୋଗୁଁ ପଦ୍ମପୁର-ଗୁଣପୁର, ପଦ୍ମପୁର-ଗୁଡାରୀ, ପଦ୍ମପୁର-ବ୍ରହ୍ମପୁରକୁ ସ˚ଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ଗଛ ପଡିବାରୁ ଯାତାୟାତ ଠପ୍‌ ହୋଇଯାଇଥିଲା। କେନ୍ଦୁଗୁଡା ରାସ୍ତା ଉପରେ ବଡ ଗଛ ପଡିଯିବାରୁ ରାୟଗଡା-ଭୁବନେଶ୍ବର ୧୩୨ନମ୍ବର ଜାତୀୟ ରାଜପଥରେ ଯାନବାହାନ ଠପ୍‌ ହୋଇଯିବାରୁ ଯାତ୍ରୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସ୍ଥାନୀୟ ବିଡିଓ ଅଗସ୍ତି ପ୍ରଧାନଙ୍କ ତତ୍ତ୍ବାବଧାନରେ ଦମକଳ ବାହିନୀ, ବ୍ଲକ ଯୋଗାଣ ଅଧିକାରୀ ପ୍ରଭାକର ମଲ୍ଲିକ, ଯନ୍ତ୍ରୀ ହରେକୃଷ୍ଣ ପଣ୍ତା, ପ୍ରତାପ କୁମାର ମିଶ୍ର ପ୍ରମୁଖ ରାସ୍ତାରେ ପଡିଥିବା ଗଛ ଗୁଡିକୁ କାଟି ସଫେଇ କରିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ଅନ୍ୟପଟେ ତିତ୍‌ଲିକୁ ଦୃଷ୍ଟିରେ ରଖି ବୁଧବାର ରାତିରୁ ହିଁ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସରବରାହ ବନ୍ଦ କରି ଦିଆଯାଇଥିଲା। ପ୍ରବଳ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ପଡି ରହିଥିବାରୁ ବର୍ତମାନ ସୁଦ୍ଧା ଅଞ୍ଚଳରେ ବିଦ୍ୟୁତ ସେବା ସ୍ବାଭାବିକ ହୋଇପାରିନି। ବିଭାଗୀୟ କର୍ମଚାରୀ ମରାମତି କାର୍ଯ୍ୟ ଜାରି ରଖିଛନ୍ତି। ରାତି ୧୦ଟା ସୁଦ୍ଧା ବିଦ୍ୟୁତ ସେବା ସ୍ବାଭାବିକ ହେବ ବୋଲି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବିଘ୍ନରାଜ ଦାଶ ସୂଚନା ଦେଇଛନ୍ତି। ଅଞ୍ଚଳର ଅନେକ ଚାଷ ଜମିରେ ବର୍ଷା ପାଣି ଜମି ରହିଥିବାରୁ ଧାନ ଫସଲ ନଷ୍ଟ ହୋଇଥିବାରୁ ଚାଷୀ ଚିନ୍ତାରେ ରହିଛନ୍ତି। ପ୍ରବଳ ପବନରେ ଧାନ ଗଛ ଗୁଡିକ ଧରାଶାୟୀ ହୋଇଯାଇଛି। ସେହିପରି ଜମିରେ ପାଣି ଜମିବାରୁ ପରିବା ଚାଷ ନଷ୍ଟ ହେବା ନେଇ ଚାଷୀ ଆଶଙ୍କାରେ ରହିଛନ୍ତି। ଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ ରିପୋର୍ଟ ପ୍ରଦାନ କରାଯିବ ବୋଲି ବ୍ଲକ କୃଷି ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ବିଦ୍ୟୁତ ସରବରାହ ବନ୍ଦ ରହିଥିବାରୁ ଲୋକେ ପାନୀୟ ଜଳ ନପାଇ ବହୁ ହଇରାଣ ହେଉଛନ୍ତି। ରାୟଗଡା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଓ ଉପଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସମେତ ପ୍ରଶାସନିକ ଅଧିକାରୀ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe