ମହଙ୍ଗା ହେଲା ଖାଇବା ତେଲ ଦର, ଷ୍ଟକ୍ ଯାଞ୍ଚ କଲା ପ୍ରଶାସନ, ଲିଟର ପିଛା ବଢ଼ିଲା ୧୫ରୁ ୨୦ ଟଙ୍କା

Advertisment

ଚିନ୍ତାରେ ଖାଉଟି, କଳାବଜାରୀ ଆଶଙ୍କା

ଚିନ୍ତାରେ ଖାଉଟି, କଳାବଜାରୀ ଆଶଙ୍କା

ମହଙ୍ଗା ହେଲା ଖାଇବା ତେଲ ଦର, ଷ୍ଟକ୍ ଯାଞ୍ଚ କଲା ପ୍ରଶାସନ, ଲିଟର ପିଛା ବଢ଼ିଲା ୧୫ରୁ ୨୦ ଟଙ୍କା

Sambad

ରାୟଗଡ଼ା: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଖୋଲା ବଜାରରେ ପଡିଛି। ଆମଦାନୀ ବାଧାପ୍ରାପ୍ତ ଯୋଗୁ ଓଡ଼ିଶାରେ ଖାଇବା ତେଲ ଦର ବୃଦ୍ଧି ହୋଇଛି। ସପ୍ତାହକ ମଧ୍ୟରେ ତେଲ ଦର ଲିଟର ପିଛା ୧୫ ରୁ ୨୦ ଟଙ୍କାକୁ ବୃଦ୍ଧି ପାଇଛି। ଯୁଦ୍ଧ ଲାଗି ରହିଲେ ତେଲ ଲିଟର ପିଛା ୩୦ ଟଙ୍କା ପର୍ଯ୍ୟନ୍ତ ବଢ଼ିବାର ଆଶଙ୍କା ରହିଛି। ତେଲ ଦରକୁ ବୃଦ୍ଧିକୁ‌ ନେଇ ଖାଉଟି ଚିନ୍ତାରେ ପଡିଥିବା ବେଳେ କଳାବଜାରୀ ରୋକିବାକୁ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସାୟୀଙ୍କ ଗୋଦାମରେ ଷ୍ଟକ୍ ଯାଞ୍ଚ କରାଯାଇଛି। ମାର୍କେଟରେ ସର୍ବାଧିକ ବିକ୍ରି ହେଉଥିବା ପାମୋଲିନ୍ ଓ ସନଫ୍ଲାୱାର୍ ଖାଇବା ତେଲ ୟୁକ୍ରେନରୁ ହିଁ ଆସିଥାଏ। ଜାହାଜ ଯୋଗେ ବିଶାଖାପାଟଣାରେ ପହଞ୍ଚିବା ପରେ ସେଠାରୁ ରାୟଗଡ଼ା ମାର୍କେଟରେ ପହଞ୍ଚିଥାଏ। ରୁଷ-ୟୁକ୍ରେନ୍ ଯୁଦ୍ଧ ପୂର୍ବରୁ ବିଭିନ୍ନ କମ୍ପାନିର ପାମୋଲିନ୍ ଓ ସନଫ୍ଲାୱାର୍ ତେଲ ଲିଟର ପିଛା ରାୟଗଡ଼ା ମାର୍କେଟରେ ୧୨୫ରୁ ଆରମ୍ଭ କରି ୧୫୫ ଟଙ୍କାରେ ବିକ୍ରି ହେଉଥିଲା। ଯୁଦ୍ଧ ଯୋଗୁ ଆମଦାନୀ ସଙ୍କଟ ଉପୁଜିବା ପରେ ତେଲ ଲିଟର ୧୪୫ରୁ ଆରମ୍ଭ କରି ୧୬୦/୧୬୫ ଟଙ୍କାରେ ବିକ୍ରି ହେଉଛି। ଲିଟର ପିଛା ଦର ବୃଦ୍ଧି ପରେ ବ୍ୟବସାୟୀଙ୍କ ଗୋଦାମରେ ପୂର୍ବରୁ ଗଚ୍ଛିତ ଥିବା ଷ୍ଟକ୍ ଯାଞ୍ଚ କରିଛି ପ୍ରଶାସନ।

ରାୟଗଡ଼ା ବଜାରର ଚାହିଦା ଅନୁଯାୟୀ ଷ୍ଟକ୍ ଥିବା ଖାଇବା ତେଲ ଆହୁରି ଦୁଇ ସପ୍ତାହ ପର୍ଯ୍ୟନ୍ତ ସାଧାରଣ ଗ୍ରାହକଙ୍କୁ ପୁରୁଣା ଦରରେ ମିଳିପାରିବ। କିନ୍ତୁ ଯୁଦ୍ଧ ପରିସ୍ଥିତି ପରେ କିଛି ବ୍ୟବସାୟୀ ଷ୍ଟକ୍ ଥିବା ପୁରୁଣା ଖାଇବା ତେଲକୁ ନୂଆ ଦରରେ ବିକ୍ରି କରୁଛନ୍ତି। ଅଭିଯୋଗ ପରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦେଶରେ ଯୋଗାଣ ବିଭାଗର ଏକ ଟିମ୍ ବିଭିନ୍ନ ଗୋଦାମ୍ ଯାଞ୍ଚ କରିଛନ୍ତି। ଯାଞ୍ଚ ସମୟରେ କଳାବଜାରୀ ନ କରିବାକୁ ବ୍ୟବସାୟୀଙ୍କୁ ‌ଅବଗତ କରିଛି ଯୋଗାଣ ବିଭାଗ। କରୋନା ପ୍ରଭାବରେ ବଢ଼ିଥିବା ଦରଦାମ କମିନଥିବା ବେଳେ ଏବେ ଯୁଦ୍ଧ ପ୍ରଭାବରେ ପୁଣି ତେଲ ଦର ବଢ଼ିବା ସଭିଁଙ୍କୁ ଚିନ୍ତାରେ ପକାଇଛି। ତେଲ ଦର ବଢ଼ିବା ପରେ ଗରିବ, ମଧ୍ୟବିତ୍ତ ଓ ଆଦିବାସୀ ସଂପ୍ରଦାୟର ଲୋକଙ୍କ ହାଣ୍ଡିଶାଳ ଉପରେ ଚଡ଼କ ପଡିଛି। ବ୍ୟବସାୟୀଙ୍କ କହିବାନୁଯାୟୀ, ପୂର୍ବ ଅର୍ଡର ଅନୁଯାୟୀ ୟୁକ୍ରେନରୁ ୩ଟି ଜାହାଜରେ ୧୫୦ ମେଟ୍ରିକ୍ ଟନ୍ ଖାଇବା ତେଲ ଆସୁଛି। ଆଉ ସପ୍ତାହେ ମଧ୍ୟରେ ଏହି ତେଲ ବଜାରରେ ପହଞ୍ଚିବା ପରେ ତେଲ ଦରରେ ପୁଣି ସୁଧାର ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe