ପିଛା ଛାଡ଼ୁନି ଜନନୀ ଯନ୍ତ୍ରଣା : କନ୍ଧମାଳରେ ଟୋକେଇରେ ବୁହା ହେଲେ ଗର୍ଭବତୀ

Advertisment

ବିଜେପୁରରେ ଖଟରେ ବୁହାହେଲେ ଗର୍ଭବତୀ

ବିଜେପୁରରେ ଖଟରେ ବୁହାହେଲେ ଗର୍ଭବତୀ

ପିଛା ଛାଡ଼ୁନି ଜନନୀ ଯନ୍ତ୍ରଣା : କନ୍ଧମାଳରେ ଟୋକେଇରେ ବୁହା ହେଲେ ଗର୍ଭବତୀ

ତୁମୁଡିବନ୍ଧ : ମମତା ଯୋଜନାଠାରୁ ଆରମ୍ଭ କରି ଜନନୀ ଏକ୍ସପ୍ରେସ, ନିରାପଦ ମାତୃତ୍ବ ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ହେଲେ ବାସ୍ତବରେ ଏହି ଯୋଜନା ପ୍ରତିଦିନ କେଉଁଠି ନା କେଉଁଠି ଫେଲ୍ ମାରୁଛି। ଆଦିବାସୀବହୁଳ କନ୍ଧମାଳ ଜିଲ୍ଲା ହେଉଛି ଏହାର ଜ୍ବଳନ୍ତ ଉଦାହରଣ। ଆଜି ତୁମୁଡ଼ିବନ୍ଧ ବ୍ଳକ କରୁକୁଡୁପା ପଞ୍ଚାୟତର ଶାନ୍ଦେବଣ୍ଡାଙ୍ଗୀ ଗ୍ରାମରେ ଏଭଳି ଘଟଣାର ପୁନରାବୃତ୍ତି ଘଟିଛି। ଗ୍ରାମକୁ ରାସ୍ତା ନଥିବାରୁ ସମ୍ପର୍କୀୟମାନେ କୌଣସି ଉପାୟ ନପାଇ ଶେଷରେ ବାଧ୍ୟ ହୋଇ ଟୋକେଇ ସାହାଯ୍ୟରେ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଗ୍ରାମର ଆଶିଷ ଦିଗାଲଙ୍କ ପତ୍ନୀ ରଜନୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ କୌଣସି ବ୍ୟବସ୍ଥା ହୋଇପାରିନଥିଲା। ରାସ୍ତା ନଥିବାରୁ ତାଙ୍କୁ ସମ୍ପର୍କୀୟମାନେ ଏକ ଟୋକେଇ ସାହାଯ୍ୟରେ ବୋହି ଜଙ୍ଗଲ ରାସ୍ତା ଦେଇ ଶାନ୍ଦେବଣ୍ଡାଙ୍ଗୀରୁ ସିନ୍ଦୀପଙ୍କାଲ ଗ୍ରାମ ପର୍ଯ୍ୟନ୍ତ ଆଣିଥିଲେ। ପରେ ଉକ୍ତ ରାସ୍ତାରେ ଯାଉଥିବା ଏକ ଅଟୋ ସାହାଯ୍ୟରେ ରଜନୀଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ରଜନୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଉଭୟ ମା ଓ ନବଜାତ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସୂଚନା ଥାଉ କି, କରୁକୁଡୁପା ପଞ୍ଚାୟତର ସାନ୍ଦେବଣ୍ଡାଙ୍ଗୀ, ଗୁଗୁଡ଼ିସୁଗା ଓ ପୁନ୍ଦେଡି ଗ୍ରାମକୁ ରାସ୍ତାନାହିଁ । ଫଳରେ ଗାଁକୁ ଯାନବାହାନ ଯାଇପାରୁନି। ଗତ କିଛି ଦିନ ତଳେ ଏହି ବ୍ଲକର ଗୁମ୍ମା ପଞ୍ଚାୟତ ସୁଶାଭଟ୍ଟା ଗ୍ରାମରେ ଅନୁରୂପ ଭାବେ ଜଣେ ଗର୍ଭବତୀଙ୍କୁ ଖଟରେ ଭାର କରି ୩ କିଲୋମିଟର ପର୍ଯ୍ୟନ୍ତ ସମ୍ପର୍କୀୟମାନେ ବୋହିବା ପରେ ଏକ ଅଟୋ ଯୋଗେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ଖଟରେ ବୁହାହେଲେ ଗର୍ଭବତୀ
ବିଜେପୁର : ବହୁ ଦିନ ହେଲା ରାସ୍ତା କାମ ଚାଲିଛି। କିନ୍ତୁ କାମଚଳା ବିକଳ୍ପ ରାସ୍ତାଟିଏ ତିଆରି ହୋଇନାହିଁ। ଯଦ୍ବାରା ଗର୍ଭବତୀଙ୍କୁ ଖଟରେ ବୋହି ନେବାକୁ ପଡ଼ିଛି। ରବିବାର ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍‌ କନଡିହି ଗାଁରେ ଏଭଳି ଚିତ୍ର ସାମନାକୁ ଆସିଛି। ଖରମୁଣ୍ତା ପଞ୍ଚାୟତ କନଡିହି ଗ୍ରାମର ସୁଶାନ୍ତ ପଟେଲଙ୍କ ସ୍ତ୍ରୀ ରେବତୀଙ୍କ ଭୋରରୁ ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ତୁରନ୍ତ ଆମ୍ବୁଲାନ୍ସ ମଧ୍ୟ ଆସିଥିଲା। ମାତ୍ର କଲଭର୍ଟ କାମ ଯୋଗୁଁ ରାସ୍ତା ଖୋଳା ଯାଇଛି। କିନ୍ତୁ ବିକଳ୍ପ ଡାଇଭର୍ସନ ରାସ୍ତା ନାହିଁ। ଫଳରେ ଆମ୍ବୁଲାନ୍ସ ଗାଁ ଭିତରକୁ ଆସି ପାରିନଥିଲା। ବାଧ୍ୟ ହୋଇ ପରିବାର ଲୋକେ ରେବତୀଙ୍କୁ ଖଟିଆରେ ବୋହି ପ୍ରାୟ ୫ଶହ ମିଟର ବୋହି ନେଇଥିଲେ। ପରେ ତାଙ୍କୁ ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସରେ ଅଣା ଯାଇଥିଲା। ସେଠାରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବାର ଜଣାଯାଇଛି। ତେବେ ଡାଇଭର୍ସନ ରାସ୍ତା ନଥିବାରୁ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe