କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଜଣେ ପ୍ରସୂତିଙ୍କୁ ଘରକୁ ଫେରିବା ପାଇଁ ମିଳିଲାନି ସରକାରୀ ଗାଡି। ତେଣୁ ଗାଡି ଭଡା କରି ଅଯଥା ଖର୍ଚ୍ଚାନ୍ତ ହୋଇ ଘରକୁ ଫେରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ସରାଟି ଗାଁର ଦାନମଣି ହୁଇକା ୫ଦିନ ତଳେ ପ୍ରସବ ନିମନ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିଲେ। ପ୍ରସବ ପରେ ସେ ୫ଦିନ ଧରି ମେଡିକାଲରେ ରହି ଚିକିତ୍ସିତ ହୋଇଥିଲେ। ଆଜି ଘରକୁ ଯିବା ପାଇଁ ପରିବାର ସହ ବାହାରିଥିଲେ ପ୍ରସୂତି। ତେଣୁ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଦୀର୍ଘ ସମୟ ଧରି ଅପେକ୍ଷା କରିବା ସତ୍ୱେ ଆସିନଥିଲା ଆମ୍ବୁଲାନ୍ସ।
ତେଣୁ ବାଧ୍ୟ ହୋଇ ପରିବାର ଲୋକ ଗୋଟିଏ ଟାଟା ମେଜିକ ଗାଡିକୁ ଡକାଇଥିଲେ। ୭ଶହ ଟଙ୍କା ଭଡା ଦେବାକୁ ନିର୍ଧାରିତ ହେବାରୁ ସେଥିରେ ବସି ନବଜାତ ଶିଶୁକୁ ନେଇ ଘରକୁ ଯାଇଥିଲେ ପ୍ରସୂତି। ଗର୍ଭବତୀ ଓ ପ୍ରସୂତିଙ୍କ ପାଇଁ ସରକାର ମାଗଣା ଗାଡି ବ୍ୟବସ୍ଥା କରିଥିଲେ ହେଁ ସେଥିରେ ବ୍ୟତିକ୍ରମ ହେଉଥିବା ଏହି ଘଟଣାକୁ ଦେଖିବା ପରେ ଜଣାପଡୁଛି। ଏ ସଂପର୍କରେ ଆଶା କର୍ମୀ ସାବିତ୍ରୀ ଗରଡିଆଙ୍କୁ ପଚାରିବାରୁ ୧୦୨, ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। କିନ୍ତୁ ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ଆସି ନଥିଲା। ରାତି ହୋଇଯାଉଥିବାରୁ ବାଧ୍ୟ ହୋଇ ଗାଡି ଭଡା କରି ପ୍ରସୂତିଙ୍କୁ ନେବାକୁ ପଡିଲା ବୋଲି କହିଥିଲେ। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
  
 Follow Us