ଜନ୍ମମାଟିରେ ‘ଓୟୋ’ ପ୍ରତିଷ୍ଠାତା ରିତେଶ ଖୋଲିବେ ୫ ସ୍ବାସ୍ଥ୍ୟକେନ୍ଦ୍ର: ରାୟଗଡ଼ାରେ ଖୋଲିଲା ପ୍ରଥମ କେନ୍ଦ୍ର

Advertisment
ଜନ୍ମମାଟିରେ ‘ଓୟୋ’ ପ୍ରତିଷ୍ଠାତା ରିତେଶ ଖୋଲିବେ ୫ ସ୍ବାସ୍ଥ୍ୟକେନ୍ଦ୍ର: ରାୟଗଡ଼ାରେ ଖୋଲିଲା ପ୍ରଥମ କେନ୍ଦ୍ର

ରାୟଗଡା: ବିଷମକଟକରେ ଜନ୍ମ ହୋଇ ବଢ଼ିଥିବା ଓୟୋର ମୁଖ୍ୟ ରିତେଶ ଅଗ୍ରୱାଲ୍ ରାଜ୍ୟର ଅନଗ୍ରସର ବର୍ଗ ନିମନ୍ତେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ଲାଗି ବର୍ଷକ ଭିତରେ ପାଞ୍ଚଟି ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବେ। ପ୍ରଥମ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଜି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଉଦ୍‌ଘାଟନ କରିଛନ୍ତି। ପିତା ସ୍ବର୍ଗତ ରମେଶ ଅଗ୍ରୱାଲ ଏବଂ ମାତା ବେଲା ଅଗ୍ରୱାଲଙ୍କ ସମ୍ମାନରେ ରିତେଶ ଏହି କେନ୍ଦ୍ରର ନାମ ରଖିଛନ୍ତି ‘ରମେଶ-ବେଲା ଅଗ୍ରୱାଲ ହେଲଥ୍‌ କେୟାର ସେଣ୍ଟର’। ଲାଷ୍ଟ ମାଇଲ କେୟାର ତାହାର ପରିଚାଳନା କରିବ।

ଏହି କେନ୍ଦ୍ରରେ ପ୍ରଥମ ୩ ମାସ ସଂପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ସେହିପରି ପ୍ରଥମ ୬ମାସର ଚିକିତ୍ସାରେ ରିହାତି ମିଳିବ। ପ୍ରତିଷେଧକ ଯତ୍ନ, ନିଦାନ ସେବା, ପ୍ରାଥମିକ ସ୍ୱାସ୍ଥ୍ୟସେବା, ସାଧାରଣ ରୋଗଜନିତ ଚିକିତ୍ସା ସମେତ ବିଶେଷଜ୍ଞ ପରାମର୍ଶ ଓ ରେଫରାଲ ସେବା, ସୁଲଭ ଔଷଧ, ଡିଜିଟାଲ ସ୍ୱାସ୍ଥ୍ୟ ରେକର୍ଡ ଭଳି ସୁବିଧା ଏହି କେନ୍ଦ୍ରରେ ମିଳିବ। କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି, ଚକ୍ଷୁ, ହୃଦ୍‌ରୋଗ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଇଛି।

ଓୟୋ ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ କହିଛନ୍ତି, ମୋ ସହରରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଯୋଗଦାନ କରି ଅତ୍ୟନ୍ତ ଗର୍ବିତ। ମୋ ଜୀବନଯାତ୍ରାରେ ଯେଉଁମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କ ପ୍ରତି ଏହା ମୋର କୃତଜ୍ଞତା ଜ୍ଞାପନ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe