ରାୟଗଡ଼ା/ପୁରୀ: ପବିତ୍ର କାର୍ତ୍ତିକ ମାସ ଶେଷ ହେବାକୁ ଯାଉଛି। ଶୁକ୍ଲପକ୍ଷ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ଦିନ ପରେ କାର୍ତ୍ତିକ ମାସ ଶେଷ ହୋଇଯିବ। ପଞ୍ଚୁକ ଅବସରରେ ଏବେ ବିଷ୍ଣୁ ଏବଂ ଶିବ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ ମହିଳା ଶ୍ରଦ୍ଧାଳୁମାନଙ୍କର ସଂଖ୍ୟା ଅଧିକ ରହୁଛି। ଆଜି ଶ୍ରୀକ୍ଷେତ୍ର ପୁରୀରେ ୨ଜଣ ଏବଂ ରାୟଗଡ଼ାରେ ୨ ଜଣ ମହିଳା ଭିଡ଼ରେ ଫସି ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି। 

Advertisment

ପ୍ରବଳ ଭିଡ଼ରେ ଶ୍ରଦ୍ଧାଳୁ ଅଣନିଶ୍ୱାସୀ

(ରାୟଗଡ଼ା) ରାୟଗଡ଼ା ସହରସ୍ଥିତ ଜଗନ୍ନାଥ ମନ୍ଦିରରେ ଆଜି ପ୍ରବଳ ଭିଡ ଦେଖିବାକୁ ମିଳିଥିଲାI ଆଜି ସନ୍ଧ୍ୟାରେ ଆଳତି ସମୟ ପରେ ମନ୍ଦିର ଉପରେ ପତାକା ଲଗାଇବା କାର୍ଯ୍ୟକ୍ରମ ରହିଥିଲାI ଏଥି ପାଇଁ ମନ୍ଦିରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେI ପ୍ରବଳ ଭିଡ଼ରେ ୨ ଜଣ ମହିଳା ଆଚେତ ହୋଇଯାଇଥିଲେI ସେମାନଙ୍କର ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଥିବା ଜଣାପଡ଼ିଛିI ଗୁରୁତର ଥିବା ମହିଳା ଜଣଙ୍କ ହେଲେ ରାୟଗଡ଼ା ସହରସ୍ଥିତ ଉତ୍କଳମଣୀ ନଗରର ଭବାନୀ ସାହୁ (୪୫)। ସେ ପ୍ରବଳ ଭିଡ଼ରେ ଅଣନିଶ୍ୱାସୀ ହୋଇ ଅଚେତ ହୋଇ ପଡ଼ିଥିଲେ I ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା I ଗୁରୁତର ଅବସ୍ଥାରେ ସେ ଚିକିତ୍ସିତ ହେଉଥିବା ତାଙ୍କ ସ୍ୱାମୀ ଗୌରୀ ସାହୁ ପ୍ରକାଶ କରିଛନ୍ତିI 

ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ନାହିଁ

ମନ୍ଦିର ପ୍ରଶାସନ ତରଫରୁ ଭିଡ଼ ନିୟନ୍ତ୍ରଣ ପାଇଁ କୌଣସି ପ୍ରକାର ବ୍ୟବସ୍ଥା କରାଯାଇନଥିଲାI ଜଗନ୍ନାଥ ମନ୍ଦିରର ହାଇମେକ୍ସ ଲାଇଟ କିଛି ଦିନ ହେଲା ଜଳୁନାହିଁI ଏଥିପାଇଁ ମଧ୍ୟ ଶ୍ରଦ୍ଧାଳୁମାନେ ଅନ୍ଧାର ହେଉଥିବା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି  ସାମାଜିକ କର୍ମୀ ଗୋପୀନାଥ ଗୌଡ଼ ଅଭିଯୋଗ କରିଛନ୍ତିI କାର୍ତ୍ତିକ ମାସ ପଞ୍ଚୁକ ଯୋଗୁଁ ବିଭିନ୍ନ ମନ୍ଦିରରେ ପ୍ରବଳ ଭିଡ଼ ହେଉଛିI ଭିଡ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି I

ଆହୁରି ପଢ଼ନ୍ତୁ: Attack On Bull: ମରିଗଲା ମାନବିକତା: ବ୍ରେଡ୍‌ ଖାଇଲା ବୁଲା ଷଣ୍ଢ, ଛୁରୀ ଭୁସିଲା ଦୋକାନୀ

ଶ୍ରୀମନ୍ଦିରରେ ଅଘଟଣ

ଆଜି ଶ୍ରୀମନ୍ଦରିରେ ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହାପ୍ରଭୁଙ୍କର ଦର୍ଶନ ପାଇବା ପାଇଁ ଭକ୍ତମାନଙ୍କର ମନରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା। ସନ୍ଧ୍ୟା ସମୟରେ ଉତ୍ତର ଦ୍ବାର ନିକଟରେ ପ୍ରବଳ ଭିଡ଼ ଯୋଗୁଁ ୨ ଜଣ ମହିଳା ଶ୍ରଦ୍ଧାଳୁ ପଡ଼ି ଯାଇଥିଲେ। ପରେ ସେମାନେ ସୁସ୍ଥ ଅନୁଭବ କରିଥିଲେ। 

ଆହୁରି ପଢ଼ନ୍ତୁ: ICC Womens World Cup 2025 : ଦକ୍ଷିଣ ଆଫ୍ରିକା ଆଗରେ ୨୯୯ ରନର ଲକ୍ଷ୍ୟ ରଖିଲା ଭାରତ