ରେଫରାଲ୍ ସେଣ୍ଟର୍ ପାଲଟିଛି ଜିଲ୍ଲା ଚିକିତ୍ସାଳୟ

Advertisment

ନାହାନ୍ତି ବିଶେଷଜ୍ଞ, ମିଳୁନି ଚିକିତ୍ସା ସେବା, ରୋଗୀ କଲବଲ

ନାହାନ୍ତି ବିଶେଷଜ୍ଞ, ମିଳୁନି ଚିକିତ୍ସା ସେବା, ରୋଗୀ କଲବଲ

ରେଫରାଲ୍ ସେଣ୍ଟର୍ ପାଲଟିଛି ଜିଲ୍ଲା ଚିକିତ୍ସାଳୟ

. ବର୍ଷକରେ ସ୍ଥାନାନ୍ତର ହୋଇଛନ୍ତି ୩୧୭୪ ରୋଗୀ
. ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ୫୨୦ ଅସୁସ୍ଥ
. ନିଯୁକ୍ତି ନ ଦେଇ ପୁଣି ୩ ବିଶେଷଜ୍ଞଙ୍କୁ ବଦଳି ନିର୍ଦେଶ

ରାୟଗଡ଼ା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହାନ୍ତି ବିଶେଷଜ୍ଞ। ସର୍ଜନ, ଏମବିବିଏସଙ୍କୁ ନେଇ ଚାଲିଛି ରୋଗୀ ସେବା। ଭେଷଜ, ସ୍ତ୍ରୀ ଓ ପ୍ରସୂତି, ଶିଶୁ, କର୍ଣ୍ଣ ନାସା ଗଳା, ଆନେସ୍ତେସିଆ, ଚକ୍ଷୁ, ଚର୍ମ, ଯକ୍ଷ୍ମା, ପାଥୋଲୋଜି, ରେଡ଼ିଓଲୋଜି ଭଳି ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ବର୍ଷ ବର୍ଷ ଧରି ଖାଲି ପଡିଛି ପଦବି। ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ପାଇଁ ଜିଲ୍ଲାବାସୀ ଦାବି କରି ଆସୁଥିବା ବେଳେ ସରକାର ଡାକ୍ତର ନିଯୁକ୍ତି ବଦଳରେ ୩ ବିଶେଷଜ୍ଞଙ୍କୁ ରାୟଗଡ଼ାରୁ ଅନ୍ୟତ୍ର ବଦଳି କରିଛନ୍ତି।

ଆଦିବାସୀ ଅଧ୍ୟୁଷିତ ଜିଲ୍ଲାବାସୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇବାକୁ ସରକାର ଘୋଷଣା କରିଛନ୍ତି। କିନ୍ତୁ ଜିଲ୍ଲାର ୧୧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତ ଦୂରର କଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶେଷଜ୍ଞ ଓ ଡାକ୍ତରକୁ ମିଶାଇ ଖାଲି ପଡିଛି ୫୦ରୁ ଉର୍ଧ୍ବ ପଦବି। ବିଶେଷଜ୍ଞ ଓ ଡାକ୍ତର ଅଭାବ ଯୋଗୁ ନବ ନିଯୁକ୍ତ ଡାକ୍ତର ଓ ସର୍ଜନଙ୍କୁ ନେଇ ମେଡ଼ିକାଲ୍ ଚାଲିଥିବାରୁ ଗୁରୁତର ରୋଗୀ ଆସିବା କ୍ଷଣି ପ୍ରାଥମିକ ଚିକିତ୍ସା ପରେ କୋରାପୁଟ/ବ୍ରହ୍ମପୁର ମେଡ଼ିକାଲ୍ କଲେଜକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଉଛି।

ଜିଲ୍ଲାର ୬୦ରୁ ଉର୍ଧ୍ବ ପ୍ରତିଶତ ଲୋକ ଗରିବ ସୀମାରେଖା ତଳେ ବାସ କରୁଥିବା ବେଳେ ବାହାରକୁ ଚିକିତ୍ସା ପାଇଁ ଯାଇ ଶୋଷଣର ଶିକାର ହେଉଛନ୍ତି। ବିଶେଷ କରି ଉତ୍ତମ ଚିକିତ୍ସା ସେବା ପାଇଁ ଜିଲ୍ଲାବାସୀ ଆନ୍ଧ୍ର ଉପରେ ନିର୍ଭରଶୀଳ। ପ୍ରତିଦିନ ଜିଲ୍ଲା ମେଡ଼ିକାଲରୁ ସର୍ବନିମ୍ନ ଭାବେ ୧୦ ରୋଗୀ ଆନ୍ଧ୍ରକୁ ଚିକିତ୍ସା ପାଇଁ ଯାଉଛନ୍ତି। ବେସରକାରୀ ଭାବେ ଏହି ସଂଖ୍ୟା ନିଶ୍ଚିତ ଭାବେ ଅଧିକ।

ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ୨୦୨୦ ମସିହାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବାହାରକୁ ଚିକିତ୍ସା ଲାଗି ସ୍ଥାନାନ୍ତର ହୋଇଛନ୍ତି ୩ ହଜାର ୧୭୪ ରୋଗୀ। ଦୁର୍ଘଟଣା ସମେତ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଏହି ସବୁ ରୋଗୀ ବାହାରକୁ ଯାଇ ଚିକିତ୍ସା ଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କିଛି କ୍ଷେତ୍ରରେ ଚିକିତ୍ସା ସୁବିଧା ଥିବା ସତ୍ତ୍ବେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତବ୍ୟରତ ଡାକ୍ତର ଚାପମୁକ୍ତ ହେବା ଲାଗି ଅସୁସ୍ଥଙ୍କୁ ବାହାର ମେଡ଼ିକାଲକୁ ସ୍ଥାନାନ୍ତର କରି ଦେଉଛନ୍ତି।

ଯାହାର ସଦ୍ୟତମ ପ୍ରମାଣ ଗତ ୬ ତାରିଖରେ ରାୟଗଡ଼ା ବ୍ଲକ୍ ପିତାମହଲ ପଞ୍ଚାୟତ ଶ୍ରୀରାମ ନଗରର ଭାଗ୍ୟବତୀ ପାଲକାଙ୍କ କ୍ଷେତ୍ରରୁ ସ୍ପଷ୍ଟ। ଅସ୍ତ୍ରୋପ୍ରଚାର ପରେ ଭାଗ୍ୟବତୀ ସୁସ୍ଥ ଥିଲେ। ରାତିରେ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖା ଦେବା ପରେ ଚିକିତ୍ସା କରିବା ବଦଳରେ ଡାକ୍ତର ତାଙ୍କୁ କୋରାପୁଟ ମେଡ଼ିକାଲ୍ କଲେଜକୁ ସ୍ଥାନାନ୍ତର କରିଥିଲେ। ଯେଉଁଥି ପାଇଁ ମେଡ଼ିକାଲ୍ କଲେଜରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ଭାଗ୍ୟବତୀ ଆଖି ବୁଜିଥିଲେ। ଗତ ବର୍ଷକ ଭିତରେ ଏମିତି ଅନେକ ଭାଗ୍ୟବତୀଙ୍କ ଜୀବନ ଚିକିତ୍ସା ଅଭାବରୁ ଅକାଳରେ ଚାଲି ଯାଇଛି।

୨୦୨୦ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ୨୫ ହଜାର ୫୩ ରୋଗୀ ଆସିଥିବା ବେଳେ ୩୧୭୪ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ୫୨୦ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ଅଗଷ୍ଟ ମାସରେ ସର୍ବାଧିକ ୭୦ ରୋଗୀଙ୍କ ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ନଥିବା ସତ୍ତ୍ବେ ୨ ଦିନ ତଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୁଣି ୩ ବିଶେଷଜ୍ଞଙ୍କୁ ବାହାର ଜିଲ୍ଲାକୁ ବଦଳି କରାଯାଇଛି। ଶିଶୁ ବିଭାଗର ବରିଷ୍ଠ ବିଶେଷଜ୍ଞ ଡା. ପ୍ରଫୁଲ୍ଲ କୁମାର ଗୌଡ଼ଙ୍କୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପଖଣ୍ଡ ଚିକିତ୍ସାଧିକାରୀ ଭାବେ ଏବଂ ଚକ୍ଷୁ ବିଶେଷଜ୍ଞ ଡା. ସୌଦାମିନୀ ପଣ୍ଡାଙ୍କୁ ବ୍ରହ୍ମପୁର ନଗର ଚିକିତ୍ସାଳୟ, ଜେମାଦେଇପେଣ୍ଠ ମେଡ଼ିକାଲ୍ ସୁପରିଟେଣ୍ଡଣ୍ଟ୍ ଡା. ଅନୀଲ ଆଚାର୍ଯ୍ୟଙ୍କୁ ପାରଳାଖେମୁଣ୍ଡି ମେଡ଼ିକାଲକୁ ବଦଳି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe