Sambad
ଗରଦପୁର: ବିଚ୍ ରାସ୍ତାରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେବା ଏବେ ସାଧାରଣ ଘଟଣା ପାଲଟିଛି। ଗହଣା ଦୋକାନରୁ ଚୋରି ଘଟଣା ବି ବୃଦ୍ଧି ପାଉଛି। ଚୋରି, ରାହାଜାନି ଘଟଣା ଲୋକଙ୍କ ନିଦ ହଜାଇ ଦେଇଛି। ଏଭଳି ସମୟରେ ରାସ୍ତାରେ ପଡ଼ିଥିବା ସୁନା ଅଳଙ୍କାର ପାଇ ମାଲିକଙ୍କୁ ଫେରାଇ ଦେବା ଭଳି ଘଟଣା ଗରଦପୁର ବ୍ଲକ୍ ତେଣ୍ଡାକୁଡ଼ା ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତ ଅରାଭୋଳ ଗ୍ରାମର ଆଶିଷ କୁମାର ଲେଙ୍କା ଭଉଣୀଙ୍କ ଏକ ସୁନା ମଙ୍ଗଳସୂତ୍ର ଓ ୨ଟି କାନଫୁଲ ନିକଟସ୍ଥ ବିଲହାଟ ବଜାରରେ ଥିବା ଗହଣା ଦୋକାନକୁ ମରାମତି ପାଇଁ ନେଉଥିଲେ। ଗହଣା ଥିବା ଛୋଟ ବ୍ୟାଗ୍ଟି ବାଟରେ କେଉଁଠି ଗଳି ପଡ଼ିଥିଲା। ଖୋଜାଖୋଜି କରି ଗହଣା ପାଇ ନ ଥିଲେ। ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ। ଆଶିଷ ଏ ସମ୍ପର୍କରେ ଗ୍ରାମର ପ୍ରତାପ ମହାନ୍ତିଙ୍କୁ କହିଥିଲେ। ପ୍ରତାପ ତୁରନ୍ତ ସୋସିଆଲ ମିଡିଆରେ ଏହି ଖବର ପୋଷ୍ଟ୍ କରି ଯିଏ ଗହଣା ପାଇଥିବେ ଫେରାଇଦେବାକୁ ନିବେଦନ କରିଥିଲେ।
ପଡ଼ୋଶୀ ବିନ୍ଧା ଗ୍ରାମର ମାନସ କୁମାର ନାୟକ ଏହା ଦେଖି ପ୍ରତାପ ଓ ଆଶିଷଙ୍କୁ ଫୋନ୍ କରି ସେ ଓ ତାଙ୍କ ମା’ ତଥା ପୂର୍ବତନ ଓ୍ୱାର୍ଡ଼ସଭ୍ୟା ରେଣୁବାଳା ନାୟକ ଔଷଧ କିଣି ବିଲହାଟରୁ ଫେରୁଥିବା ବେଳେ ରାସ୍ତାରୁ ଗହଣା ପାଇଥିବା କଥା ଜଣାଇଥିଲେ। ଆଜି ରେଣୁବାଳା ପାଇଥିବା ଅଳଙ୍କାରକୁ ଆଶିଷଙ୍କୁ ଫେରାଇଥିଲେ। ଲୋକଙ୍କୁ ମିଠା ଖୁଆଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତାପଙ୍କ ସମେତ ଶଙ୍କର ସାହୁ, ପ୍ରଫୁଲ୍ଲ ବେଉରା ଉପସ୍ଥିତ ଥିଲେ। ପ୍ରାୟ ୩ ଭରି ସୁନା ଅଳଙ୍କାରର ମୂଲ୍ୟ ୬୦ ହଜାର ଟଙ୍କା ହେବ। ମା’ ଓ ପୁଅଙ୍କ ଏତାଦୃଶ କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରସଂଶା କରାଯାଇଛି।
Follow Us