ପାଠକ ଓ ମେଧାବୀଙ୍କ ପାଇଁ ଖୁସି ଖବର: ଆଜିଠୁ ଖୋଲିଲା କନ୍ଧମାଳ ଇ-ପାଠାଗାର

Advertisment

କରୋନା ପାଇଁ ୮ ମାସ ହେଲା ବନ୍ଦ ଥିଲା

କରୋନା ପାଇଁ ୮ ମାସ ହେଲା ବନ୍ଦ ଥିଲା

ପାଠକ ଓ ମେଧାବୀଙ୍କ ପାଇଁ ଖୁସି ଖବର: ଆଜିଠୁ ଖୋଲିଲା କନ୍ଧମାଳ ଇ-ପାଠାଗାର

ଫୁଲବାଣୀ: କନ୍ଧମାଳର ମେଧାବୀ ଛାତ୍ରଛାତ୍ରୀ ଓ ପାଠକଙ୍କ ପାଇଁ ଖୁସି ଖବର। କରୋନା ସଂକ୍ରମଣ ପାଇଁ ୮ ମାସ ହେଲା ବନ୍ଦ ଥିବା କନ୍ଧମାଳ ଇ-ପାଠଗାର ଆଜିଠୁ ଖୋଲା ହୋଇଛି। ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବୀରେନ୍ଦ୍ର କୁମାର ଦାସ ଫିତା କାଟି ଇ-ପାଠାଗାରର ଶୁଭାରମ୍ଭ କରିଥିଲେ।

ଶୁଭାରମ୍ଭ ପରେ ବହୁ ପାଠକ ଓ ମେଧାବୀ ଛାତ୍ରଛାତ୍ରୀ ଆସି କୋଭିଡ ନିୟମ ମାନି ବିଭିନ୍ନ ବହି ପଢିଥିଲେ। ୧ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଏହି ଇ-ପାଠାଗାରରେ ୩୦ ଲକ୍ଷ ମୂଲ୍ୟର ବିଭିନ୍ନ ପୁସ୍ତକ ଓ ଆସବାବପତ୍ର ରଖାଯାଇଛି। ଚତୁରପାର୍ଶ୍ବରେ ସୌନ୍ଦଯ୍ୟକରଣ କରାଯାଇ ମନୋରମ ପରିବେଶ ସୃଷ୍ଟି କରାଯାଇଛି। କନ୍ଧମାଳ ଭଳି ଏକ ପଛୁଆ ଜିଲ୍ଲାରେ ଇ-ପାଠଗାର ନଥିଲା। ତେଣୁ ପାଠକ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଡା.ବୃନ୍ଦା ଡି ଏଠାରେ ଏକ ଇ-ପାଠଗାର ଖୋଲିବା ପରିକଳ୍ପନା କରିଥିଲେ। ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ ବିଲଡିଂ କାମ ଆରମ୍ଭ ହୋଇଥିଲା। ୩ ମହଲ ବିଶିଷ୍ଟ ଅତ୍ୟାଧୁନିକ କୋଠା ଗୃହରେ ଚାଲିଥିଲା ଇ-ପାଠାଗାର। ୧୦ ହଜାରରୁ ଉର୍ଦ୍ଧ୍ବ ବିଭିନ୍ନ ପୁସ୍ତକ ରହିଛି। ସବୁ ଓଡିଆ ଓ ଇଂରାଜୀ ଖବର କାଗଜ ସହ ବିଭିନ୍ନ ପତ୍ରପତ୍ରିକା ବି ରହିଛି।

ଇ-ପାଠାଗାର ୨୦୧୯ ଜାନଆରିରେ ଉଦଘାଟନ ହୋଇଥିଲା। ତା’ପରେ କମ୍ପ୍ୟୁଟର ଦ୍ବାରା ଇମେଲ ମାଧମରେ କଲେଜ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ସହ ଆଇଏଏସ, ଓଏଏସ ପରୀକ୍ଷା ସମ୍ପର୍କିତ ପୁସ୍ତକ ପାଠ କରିବାର ସୁଯୋଗ ପାଇଥିଲେ। ଅନ୍ୟ ପାଠକମାନେ ବି ଇ-ପାଠାଗାରକୁ ନିୟମିତ ଆସି ବିଭିନ୍ନ ବହି ପଢୁଥିଲେ। ହେଲେ କରୋନା ସଂକ୍ରମଣ ପାଇଁ ଗତ ମାର୍ଚ୍ଚ ୨୫ ତାରିଖରୁ ଇ-ପାଠାଗାରକୁ ପ୍ରଶାସନ ବନ୍ଦ କରି ଦେଇଥିଲା।

ପୂର୍ବ ଭଳି ଶୁକ୍ରବାର ଇ-ପାଠାଗାର ବନ୍ଦ ରହିବ। ବାକି ସବୁ ଦିନ ଏମିତି ରବିବାର ଛୁଟି ଦିନରେ ବି ସକାଳ ୧୦ଟାରୁ ୧ଟା ଏବଂ ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଶ୍ରୀ ଦାସ କହିଛନ୍ତି। କୋଭିଡ ନିୟମକୁ କଡାକଡି ପାଳନ କରାଯିବ। ଯେ କେହି ନିୟମ ଅମାନ୍ୟ କରନ୍ତି ସେମାନଙ୍କୁ ଇ-ପାଠାଗାରକୁ ଆସିବାକୁ ବାରଣ କରାଯିବ ବୋଲି ସେ କହିଛନ୍ତି।

ଇ-ପାଠାଗାର ଖୋଲାଯିବାରୁ ଏହାକୁ ନେଇ ମେଧାବୀ ଛାତ୍ରଛାତ୍ରୀ ଓ ପାଠକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି। ଆଜିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସ୍ବାତୀର ସମ୍ପାଦକ ଇଂ ହରିଶଙ୍କର ରାଉତ,ବୈଦ୍ୟନାଥ ଖଟୁଆ, ପ୍ରଦୀପ କୁମାର ସ୍ବାଇଁ, ସାମ୍ବାଦିକ ବଟକୃଷ୍ଣ ବିହାରୀ, ଅଶୋକ କୁମାର ମହାନ୍ତି, ସୁନିଲ କୁମାର ବିଶ୍ବାଳ, ଲାଇବ୍ରେରିଆନ ସୁର୍ଯ୍ୟମଣି ଦାସ, ସହକାରୀ ଲାଇବ୍ରେରିଆନ ଶିବସୁନ୍ଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe