ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ହସ୍ପିଟାଲ ମ୍ୟାନେଜର ମୋହିତ କୁମାର ଶ୍ରୀବାସ୍ତବ ଚାକିରିରୁ ବହିଷ୍କୃତ ହେବାପରେ ଦୁର୍ନୀତିଗ୍ରସ୍ତ ସମସ୍ତ ଠିକାସଂସ୍ଥାକୁ ହଟାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆର୍‌ଜିଏଚ୍‌ ସବ୍‌କମିଟିର ନିଷ୍ପତ୍ତିକ୍ରମେ ଆଜି ସିକ୍ୟୁରିଟି ସଂସ୍ଥା ପାଇଁ ଟେଣ୍ଡର ଖୋଲାଯାଇଥିଲା।

Advertisment

ଗୁରୁବାର ହାଉସ୍‌କିପିଂ ପାଇଁ ଟେଣ୍ଡର ଖୋଲାଯିବ। ସିକ୍ୟୁରିଟି କାମ ପାଇଁ ରାଉରକେଲା, ସୁନ୍ଦରଗଡ ସମେତ ଜିଲ୍ଲା ବାହାର ଠିକାସଂସ୍ଥା ଆବେଦନ କରିଛନ୍ତି। ସେମିତି ହାଉସ୍‌କିପିଂ ପାଇଁ ମଧ୍ୟ ୬ଟି ସଂସ୍ଥା ଆବେଦନ କରିଛନ୍ତି। ବର୍ତ୍ତମାନ ଆର୍‌ଜିଏଚ୍‌ର କାର୍ଯ୍ୟରତ କୌଣସି ଠିକାସଂସ୍ଥା ଆବେଦନ କରିନାହାନ୍ତି। 

ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ସିକ୍ୟୁରିଟି ଓ ହାଉସି୍‌କିପିଂ କାମ ପାଇଁ ୧୨ ଠିକାସଂସ୍ଥା ମଧ୍ୟରୁ ଦୁଇଟି ଯୋଗ୍ୟ ସଂସ୍ଥା କାମ ମିଳିବ ବୋଲି ଆର୍‌ଜିଏଚ୍‌ ପକ୍ଷରୁ ଜଣାପଡ଼ିଛି। 

 ସିକ୍ୟୁରିଟି କାମ ପାଇଁ ଟେଣ୍ଡର‌ ଖୋଲାଯାଇଥିଲା। ଆର୍‌ଜିଏଚ୍‌ ନିର୍ଦ୍ଦେଶକ ଡାକ୍ତର ମନୋଜ ଉପାଧ୍ୟାୟ, ଅଧୀକ୍ଷକ ଡାକ୍ତର ଗଣେଶ ପ୍ରସାଦ ଦାସ, ଉପଅଧୀକ୍ଷକ ଡାକ୍ତର ପଣ୍ଡିତ ସାହୁ ସମେତ ରାଉରକେଲା ତହସିଲଦାର ଓ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ଟେଣ୍ଡରକ୍ସ ଖୋଲାଯାଇଥିଲା। ଆବେଦନକାରୀ ଠିକାସଂସ୍ଥାର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ। ୬ ଠିକାସଂସ୍ଥାର ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିବାପରେ କେଉଁ ସଂସ୍ଥା ଯୋଗ୍ୟ ବିବେଚିତ ହେବ ଜଣାପଡିବ।

ଅନ୍ୟପଟେ ଆର୍‌ଜିଏଚ୍‌ର ସମସ୍ତ ବିଭାଗର କାମ ସ୍ବତନ୍ତ୍ର ଅଡିଟ୍‌ ପାଇଁ ନିର୍ଦ୍ଦେଶକଙ୍କୁ ସ୍ବାସ୍ଥ୍ୟବିଭାଗର ସ୍ବତନ୍ତ୍ର ସଚିବ ସୁପ୍ରିୟା ଜେନା ଚିଠି କରିଛନ୍ତି। ଭାଗିରଥୀ ନାୟକ ଓ ପଞ୍ଚାନନ ବାସ୍କେ ଆସନ୍ତା ୯ରୁ ଅଡିଟ୍‌ କରିବେ। ୧୫ ଦିନ ସମସ୍ତ ବିଭାଗର କାର୍ଯ୍ୟର ସ୍ବତନ୍ତ୍ର ଅଡିଟ୍‌ କରିବେ। ସିକ୍ୟୁରିଟି, ଲଣ୍ଡ୍ରି, ପରିମଳ ବ୍ୟବସ୍ଥା, ରୋଗୀଙ୍କୁ ଖାଦ୍ୟଯୋଗାଣ, ପାଥୋଲୋଜି, ସିଟି ସ୍କାନ୍‌, ଡାୟଲେସିସ୍‌, ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ କିଣାଯାଇଥିବା ପ୍ରତ୍ୟେକ ଯନ୍ତ୍ରପାତିର ଆଦିର ସ୍ବତନ୍ତ୍ର ଅଡିଟ୍‌ ହେବାକୁ ଯାଉଛି।

ଅଧିକ ପଢ଼ନ୍ତୁ: ୨ନୂଆ ରେଳଲାଇନ୍, ଗୋଟିଏ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ ମଞ୍ଜୁରି

ସ୍ବତନ୍ତ୍ର ଅଡିଟ୍‌ ପରେ ବହିସ୍କୃତ ହସ୍ପିଟାଲ ମ୍ୟାନେଜର ମୋହିତ ଶ୍ରୀବାସ୍ତବଙ୍କ ସହ ଅନ୍ୟ ‌କେଉଁମାନଙ୍କ ସମ୍ପୃକ୍ତି ରହିଛି ସାମ୍ନା ଆସିବ। ସ୍ବତନ୍ତ୍ର ଅଡିଟ୍‌ ଚିଠି ଆସିବା ପରେ ବିଭାଗ ଦାୟିତ୍ବରେ ଥିବା ଅଧିକାରୀଙ୍କ ମଧ୍ୟରେ ଛାନିଆ ପସିଛି। କେଉଁମାନଙ୍କର ନାମରେ ଦୁର୍ନୀତି ଅଭିଯୋଗ ଆସୁଛି ? ଏମାନଙ୍କ  ବିରୋଧରେ ରାଜ୍ୟ ସ୍ବାସ୍ଥ୍ୟବିଭାଗ ପକ୍ଷରୁ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତା’ ଉପରେ ସହରବାସୀଙ୍କ ନଜର ରହିଛି।

ଅଧିକ ପଢ଼ନ୍ତୁ: ଦରମା ପ୍ରତିଶ୍ରୁତି ପରେ ଧାରଣାରୁ ହଟିଲେ ଆରଜିଏଚ୍ ସଫେଇ କର୍ମଚାରୀ