ଖୋର୍ଦ୍ଧା ଜିଲ୍ଲାରେ ଧାନ ସଂଗ୍ରହରେ ଅନିୟମିତତା

ଖୋର୍ଦ୍ଧା ଜିଲ୍ଲାରେ ଧାନ ସଂଗ୍ରହରେ ଅନିୟମିତତା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ନେଇ ବିଭିନ୍ନ ପ୍ରାଥମିକ ସମବାୟ ସମିତିର ପଂଜିକୃତ ଚାଷୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଚାଷୀ ସଂଗଠନ ଅଭିଯୋଗ ଆଣିଥିଲେ। ସମସ୍ୟା ସମାଧାନରେ ଜିଲ୍ଲା ଯୋଗାଣ ବିଭାଗ ଆବଶ୍ୟକ ସହଯୋଗ କରୁନଥିବା ଓ ଦୁର୍ନୀତିଗ୍ରସ୍ତ ସମ୍ପାଦକଙ୍କ ବିରୋଧରେ ପଦକ୍ଷେପ ନେଉନଥିବା ଅଭିଯୋଗ କରୁଥିଲେ। ଏବେ ଖୋଦ୍ କେନ୍ଦ୍ର ସରକାରଙ୍କ ଖାଦ୍ୟ ନିଗମ (ଏଫ୍‌ସିଆଇ) ଅନୁରୂପ ଅଭିଯୋଗ ଖୋର୍ଦ୍ଧା ଜିଲ୍ଳା ଯୋଗାଣ ବିଭାଗ ଉପରେ ଆଣିଛି।

୨୦୧୯-୨୦ ଖରିଫ ଋତୁରେ ଡିସେମ୍ବର ୯ ତାରିଖରୁ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା। କେବଳ ଏହାନୁହେଁ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ପାଇଁ ବସିଥିବା ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକରେ ମଧ୍ୟ ୨୦୨୦ ଡିସେମ୍ବର ପ୍ରଥମ ସପ୍ତାହର ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ଡିସେମ୍ବର ଶେଷ ସପ୍ତାହରେ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା। ଅର୍ଥାତ୍ ପ୍ରାୟ ୨୦ ଦିନ ବିଳମ୍ବରେ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା। ପରବର୍ତ୍ତି ସମୟରେ ଜିଲ୍ଳାରେ ପଂଜୀକୃତ ଚାଷୀ ଓ ସେମାନଙ୍କ ଖରିଫ ଧାନ ସଂଗ୍ରହର ନିୟମାନୁସାରେ, ପ୍ରାୟ ୨୦ଲକ୍ଷ କ୍ୱିଂଟାଲରୁ ଅଧିକ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯିବା କଥା। କିନ୍ତୁ ୪ଟି ପର୍ଯ୍ୟାୟରେ ଧାନ ସଂଗ୍ରହ ଲକ୍ଷ୍ୟକୁ ସଂଶୋଧିତ କରାଗଲା। ଫଳରେ ଚାଷୀଙ୍କୁ ମିଳିଥିବା ଟୋକେଟ୍ ଓ ଧାନ ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ ମଧ୍ୟରେ କୌଣସି ସାମଞ୍ଜସ୍ୟ ରହିଲା ନାହିଁ। ତୃତୀୟରେ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକରୁ ଦୈନିକ ଚାଷୀମାନେ ଆସି ପ୍ରାଥମିକ ସମବାୟ ସମିତିରେ ଟଙ୍କା ବଦଳରେ ଟୋକେନ୍ ଦେବା, ଧାନ ସଂଗ୍ରହ ବେଳେ ଅଯଥା ପ୍ରତି କ୍ୱଂଟାଲ୍ ପିଛା ୩ରୁ ୪ କିଲୋଗ୍ରାମ ଧାନ ହ୍ରାସ କରୁଥିବା ଏପରିକି ଟୋକେନ୍ ତାଲିକାରେ ପ୍ରଥମ ରହିଥିବା ଚାଷୀଙ୍କ ଠାରୁ ଧାନ କ୍ରୟ ନକରି ଚାଷୀଙ୍କ ନାମରେ ଦଲାଲଙ୍କ ଠାରୁ ଧାନ କିଣିବା ଭଳି ସଂଗୀନ ଅଭିଯୋଗ ଆଣିଥିଲେ।

କେବଳ ଏହାନୁହେଁ ଅନେକ ପ୍ରାଥମିକ ସମବାୟ ସମିତିରେ ଜଗନ୍ନାଥଙ୍କ ଜମି, ରକ୍ଷିତ ଜମି, ଗୋଚର ଜମି ନାମରେ ପଂଜୀକରଣ କରି ଟୋକେନ୍ ପାଇଥିବା କଥା ମଧ୍ୟ ପ୍ରମାଣ ସହ ଜିଲ୍ଳାପାଳଙ୍କୁ ଅଭିଯୋଗ କରିଥିଲେ। ତେବେ ବର୍ତମାନ ଧାନ ସଂଗ୍ରହ ଧାର୍ଯ୍ୟ ସମୟ ଶେଷ ହୋଇଯିବାକୁ ବସିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ କୌଣସି ସମବାୟ ସମିତି ସମ୍ପାଦକ କିମ୍ବା ଯୋଗାଣ ବିଭାଗ କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏଭଳି ସ୍ଥିତିରେ ଧାନ ମଣ୍ଡି, ପ୍ରାଥମିକ ସମବାୟ ସମିତି ଓ ଗୋଦାମ ଗୃହର ସ୍ଥିତି ଯାଂଚ କରିବାକୁ ଆସିଥିବା ଏଫ୍ସିଆଇ ଟିମ୍କୁ ଖୋର୍ଦ୍ଧା ଜିଲ୍ଲା ଯୋଗାଣ ବିଭାଗ ସହଯୋଗ କରୁନଥିବା ନେଇ ଅଭିଯୋଗ ହୋଇଛି। ଏହିଭଳି ଅଭିଯୋଗ ଖୋଦ୍ ଏଫ୍‌ସିଆଇ କର୍ତୃପକ୍ଷ ଲଗାଇଛନ୍ତି।

ଫେବ୍ରୁଆରି ୧୯ ତାରିଖରେ ଏଫ୍‌ସିଆଇ ଓ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗର ଏକ ଯୁଗ୍ମ ଟିମ୍ ଖୋର୍ଦ୍ଧା ଜିଲ୍ଲାରେ କେତେକ ମଣ୍ଡି, ଓ ପ୍ରାଥମିକ ସମବାୟ ସମିତି ବୁଲି ସରଜମିନ ଯାଂଚ କରିବାକୁ ଗସ୍ତ କରିବା ସମ୍ପର୍କରେ ଚିଠି ଦେଇଥିଲେ। କିନ୍ତୁ ପରବର୍ତୀ ସମୟରେ ଯାଂଚ ଟିମ୍ ଜିଲ୍ଲାରେ ପହଂଚିବା ବେଳେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଓ ଅନ୍ୟ କର୍ମଚାରୀ ସେମାନଙ୍କୁ ସହଯୋଗ କରିନଥିଲେ। ଏନେଇ ୨୫ ତାରିଖରେ ଏଫ୍‌ସିଆଇ କର୍ତୃପକ୍ଷ ଓଡ଼ିଶା ସାଧାରଣ ବଂଟନ ନିଗମ (ଓଏସସିଏସ୍ସି)ଙ୍କୁ ଚିଠି ଲେଖି ଜଣାଇଥିଲେ। ବର୍ତମାନ ପୁଣି ଥରେ ଚଳିତ ମାସ ୧୬ ତାରିଖରେ ରାଜ୍ୟ ଯୋଗାଣ ବିଭାଗର ସାଧାରଣ ପରିଚାଳକ (ଧାନ ସଂଗ୍ରହ) ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଚିଠି ଲେଖି ଏଫସିଆଇ ଟିମ୍‌କୁ ସହଯୋଗ କରିବାକୁ ନିଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଜିଲ୍ଲାରେ ୧୩୮ଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ୪୪୧୨୯ଜଣ ଚାଷୀ ଧାନ ବିକ୍ରି କରିବାକୁ ପଂଜୀକୃତ ହୋଇଥିଲେ। ଆଜି ସୁଦ୍ଧା ସେମାନଙ୍କ ମଧ୍ୟରୁ ୪୦ହଜାର ୨୩୭ଜଣଙ୍କ ଠାରୁ ୧୫୦୬୫୪୩.୨୮ କୁଇଣ୍ଟାଲ୍‌ ଧାନ କିଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe