ଶିକ୍ଷକ ନା କୁବେର! ଦରମା ୨୧ହଜାର, ସଂପତ୍ତି ୫କୋଟି

Advertisment
ଶିକ୍ଷକ ନା କୁବେର! ଦରମା ୨୧ହଜାର, ସଂପତ୍ତି ୫କୋଟି

ବରଗଡ଼: ଦରମା ହେଲା ମାସିକ ୨୧ ହଜାର। କିନ୍ତୁ ସଂପତ୍ତି ୫ କୋଟି ଟପିଯିବ। ଜଣେ ଶିକ୍ଷକ ଏତିକି ପରିମାଣରେ ସଂପତ୍ତି ଠୁଳ କରିବା ସମସ୍ତଙ୍କୁ ତାଜୁବ୍‌ କରିଛି। ଖୋଦ୍‌ ଭିଜିଲାନ୍ସ ବିଭାଗ ମଧ୍ୟ ସଂପତ୍ତି ଆକଳନ କରି ଝାଳନାଳ ହୋଇଯାଇଛି। ବୁଧବାର ବିଜେପୁର ବ୍ଲକ୍‌ ଗଣ୍ଠିଆପାଲି ପଞ୍ଚାୟତ ହାଇସ୍କୁଲର ‌ପ୍ରଧାନଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ଉ ହୋଇଥିଲା। ଚଢ଼ଉ ବେଳେ ଯାହା ଟଙ୍କା, ଅଳଙ୍କାର ଏବଂ ସଂପତ୍ତି ମିଳିଲା, ତାହା ଅଧିକାରୀଙ୍କୁ ବି ଚକିତ କରି ଦେଇଥିଲା। ଶ୍ରୀ ପାଣିଗ୍ରାହୀଙ୍କ ପାଖରୁ ମୋଟ୍‌ ୪,୨୬,୪୪,୩୯୬ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ମିଳିଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଂଗୁରିପାଲିସ୍ଥିତ ତିନି ମହଲା କୋଠାର ମୂଲ୍ୟ ୧.୮୦ କୋଟି, ବରପାଲି ବ୍ଲକ୍‌ ତିଲେଇମାଳରେ ଥିବା ଦୁଇ ମହଲା କୋଠା ୧.୦୨ କୋଟି, ପ୍ରାୟ ୩୪ ଲକ୍ଷ ଟଙ୍କାର ଜମି, ବରପାଲି ‌କପିଳେଶ୍ବରନଗର ଠାରେ ୨୭ଲକ୍ଷ ଟଙ୍କାର ଘର, ୧୫ ଲକ୍ଷ ପାଖାପାଖି ସୁନା ଓ ରୁପା ଅଳଙ୍କାର, ନଗଦ ୧୯.୨୬ ଲକ୍ଷ ଟଙ୍କା, ପ୍ରାୟ ୮ଲକ୍ଷ ଟଙ୍କାର କାର୍‌ ଏହି ତାଲିକାରେ ରହିଛି।

ତେବେ ତାଲିକା ଆହୁରି ଲମ୍ବିବ ବୋଲି ଅନୁମାନ କରାଯାଉଛି। ଗୁରୁବାର ଭିଜିଲାନ୍ସ ବିଭାଗ ଶ୍ରୀ ପାଣିଗ୍ରାହୀଙ୍କ ସଂପତ୍ତିର ନିକିନିଖି ହିସାବ ଆରମ୍ଭ କରିଛି। ମୋଟାମୋଟି ଭାବେ ଠାବ ହୋଇଥିବା ସଂପତ୍ତି ୫କୋଟି ଉପରକୁ ଡେଇଁବ ବୋଲି କୁହାଯାଉଛି। ତେବେ ମାତ୍ର ୨୧ ହଜାର ଟଙ୍କା ଦରମା ପାଉଥିବା ଶିକ୍ଷକ କୋଟିପତି ହେଲେ କେମିତି? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଏହାର କିଛି ତଥ୍ୟ ଖୋଳତାଡ଼ କରିବାରୁ ଜଣାପଡ଼ିଛି। ସୂଚନା ମୁତାବକ, ଶ୍ରୀ ପାଣିଗ୍ରାହୀ ଜଣେ ବ୍ଲକ୍‌ ଗ୍ରାଣ୍ଟ ଶିକ୍ଷକ। ଗତ ୨୦୧୬ ମସିହା ସେପ୍ଟେମ୍ବର ଯାଏ ୫୪୪୦ ଟଙ୍କା ମାସିକ ଦରମା ପାଉଥିଲେ। ଚାକିରି ନୂଆ ସର୍ତାବଳୀ ଲାଗୁ ହେବା ପରେ ସେ ମାସିକ ୨୧,୩୩୮ ଟଙ୍କା ଦରମା ଆକାରରେ ପାଉଥିଲେ। ଅର୍ଥାତ ଗତ ୪ବର୍ଷ ହେଲା ସେ ବର୍ଦ୍ଧିତ ହାରରେ ଦରମା ପାଉଛନ୍ତି। ଏତିକି ଦରମାରେ ୫କୋଟି ଟଙ୍କାର ମାଲିକ ହେବା ନିଶ୍ଚିତ ଭାବେ ସମସ୍ତଙ୍କୁ ଚକିତ କରିବ। କିନ୍ତୁ ଶ୍ରୀ ପାଣିଗ୍ରାହୀ ନିଜ ପୋଖତ ବୁଦ୍ଧିରେ ଏତକ ସଂପତ୍ତି ଠୁଳ କରିଛନ୍ତି। ପ୍ରଥମତଃ ସେ ଧାନ କିଣା କାରବାର କରୁଥିଲେ। ଏଥିରୁ ପ୍ରତିବର୍ଷ ଉଭୟ ଖରିଫ ଏବଂ ରବି ଋତୁରେ ଲକ୍ଷାଧିକ ଟଙ୍କା ଉପାର୍ଜନ ହେଉଥିଲା। ଏହାବାଦ୍‌ ସେ ସ୍ଥାନୀୟ ଅଂଚଳରେ ସୁଧ କାରବାର ଚଳାଉଥିଲେ। ବିଶେଷକରି ଚାଷୀମାନେ ତାଙ୍କଠୁ ଚାଷ କରିବା ପାଇଁ ମୋଟା ସୁଧରେ ଟଙ୍କା ଋଣ ନେଉଥିଲେ। ଏପରିକି ସେ କମ୍‌ ଦରରେ ସୁନା ଏବଂ ଅଳଙ୍କାର ରଖି ବି ଲୋକଙ୍କୁ ଋଣ ଟଙ୍କା ଦେଉଥିଲେ। ଛେଳି ଚାଷ ସମେତ ଅନ୍ୟ ବ୍ୟବସାୟ କରି ସେ କୋଟିପତି ସାଜିଥିଲେ ବୋଲି ଜାଣିବାକୁ ମିଳିଛି। ତେବେ ମୋଟ୍‌ ସଂପତ୍ତି ଆକଳନ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବରଗଡ଼ ଭିଜଲାନ୍ସ ଡିଏସ୍‌ପି ପରମେଶ୍ବର କିସାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe