Sambad
ଖୋର୍ଦ୍ଧା: ଖୋର୍ଦ୍ଧାର କାମନାବର ସାହିରେ ଥିବା ପ୍ରସିଦ୍ଧ କାମନାବର ପୀଠରେ ଆଜି ମେରୁ ସଂକ୍ରାନ୍ତି ଉପଲକ୍ଷେ ଆଜି ଧୂଳିଦଣ୍ଡ ଅନୁଷ୍ଠିତ ହୋଇ ଯାଇଛି। ଦୁଇବର୍ଷ କରୋନା କଟକଣା ଯୋଗୁଁ ଗହଳି ଉପରେ କଟକଣା ଥିଲା, ଚଳିତବର୍ଷ ଏହି ଯାତ୍ରାରେ ଭକ୍ତ ଓ ମାନସିକଧାରୀଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଖୋର୍ଦ୍ଧା ପୌରାଞ୍ଚଳର ଉପରସାହି କାମନା ମନ୍ଦିର ଠାରେ ଅନୁଷ୍ଠିତ ଏହି ଝାମୁ ବା ଦଣ୍ଡଯାତ୍ରାରେ ଚଳିତବର୍ଷ ୪୦ଜଣ ମାନସିକଧାରୀ ଦଣ୍ଡ ଧରିଛନ୍ତି। ଗତ ୨୧ ଦିନ ଧରି ଦିନ ତମାମ ଉପବାସ ଓ ଥରୁଟିଏ ଅରୁଆ ଅନ୍ନ ଖାଇ ଏହି ଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି। ଶେଷ ୭ ଦିନ କେବଳ ଦିନକୁ ଥରଟିଏ ପଣାପିଇ ଏହି ଦଣ୍ଡ ସାଧିଥାନ୍ତି। ଆଜି ଭୋରରେ ଠାକୁରଙ୍କ ଦର୍ଶନ ଲାଗି ମନ୍ଦିରରେ ସୀମିତ ଭକ୍ତ ଓ ପୂଜକଙ୍କ ଦ୍ୱାରା ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ହୋଇଥିଲା। ପରେ ମାନସିକଧାରୀ ଦଣ୍ଡୁଆମାନେ ପୂର୍ବରୁ ସଂଗ୍ରହ କରି ହରିଚନ୍ଦନ ପୋଖରୀରେ ରଖାଯାଇଥିବା କୋଇଲେଖ କଣ୍ଟା କାଣ୍ଡକୁ ମୁଣ୍ଡରେ ମୁଣ୍ଡାଇ ଆଣି ମନ୍ଦିର ସମ୍ମୁଖ ରାସ୍ତାରେ ବିଛାଇଥିଲେ।
ରାସ୍ତା ଉପରୁ ପ୍ରାୟ ଦେଢ଼ଫୁଟ ଉଚ୍ଚରେ କଣ୍ଟା ଗୁଡ଼ିକ ବିଛାଯାଇଥିଲା। ପାଟଦଣ୍ଡୁଆ ଠାକୁରଙ୍କୁ ଆଣି ଚତୁଃପାଶ୍ୱରେ ପରିକ୍ରମା କରାଇବା ସହ କଣ୍ଟାକାଣ୍ଡ ଗୁଡ଼ିକୁ ଛୁଆଁଇଥିଲେ। ପରେ ଘଣ୍ଟା, ବାଦ୍ୟ, ଝୁଣା ସହ ହରିବୋଲ ହୁଳହୁଳି ଶବ୍ଦରେ ମାନସିକଧାରୀ ଦଣ୍ଡୁଆମାନେ କଣ୍ଟାକାଣ୍ଡରେ ଗଡ଼ିଥିଲେ। ଏହାପରେ ପାଣିଦଣ୍ଡ ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ପାଟଦଣ୍ଡୁଆଙ୍କ ଓଘରତପ (ଅଘୋର ତପ) ଅନୁଷ୍ଠିତ ହୋଇଥିଲା। ଏଥିରେ ନିଆଁ ଉପରେ ମୁଣ୍ଡତଳକୁ ଓ ଗୋଡ଼ ଉପରକୁ କରି ପାଟଦଣ୍ଡୁଆ ଝୁଲି ରହିଥିଲେ। ପରେ ପାଟଦଣ୍ଡୁଆ ଦେବୀଙ୍କ ଖୁଣ୍ଟରେ ଲାଗିଥିବ ଆମ୍ବ ଗୁଡ଼ିକୁ ଭକ୍ତଙ୍କ ଉପରକୁ ଫୋପାଡ଼ିଥିଲେ। ଆସନ୍ତାକାଲି ନିର୍ଦ୍ଧାରିତ ସ୍ଥାନରେ ଦଣ୍ଡଧାରୀମାନେ ପାଟଦଣ୍ଡୁଆଙ୍କ ଆଦେଶରେ ନିଆଁରେ ଚାଲିବେ। ଏହାପରେ ବିଧିବଦ୍ଧ ଭାବେ ମେରୁଯାତ୍ରା ସମାପନ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ରହିଛି।
Follow Us