ପଞ୍ଚାୟତ ନିର୍ବାଚନରେ ରାସ୍ତା ଓ ପାନୀୟ ଜଳ ହେବ ମୁଖ୍ୟ ପ୍ରସଙ୍ଗ

Advertisment
ପଞ୍ଚାୟତ ନିର୍ବାଚନରେ ରାସ୍ତା ଓ ପାନୀୟ ଜଳ ହେବ ମୁଖ୍ୟ ପ୍ରସଙ୍ଗ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ତିନି ପ୍ରମୁଖ ଦଳ ପଞ୍ଚାୟତ ନିର୍ବାଚନକୁ ନେଇ ସଜବାଜ ହେଉଥିବା ବେଳେ ତୃଣମୂଳସ୍ତରରୁ ରଣନୀତି ପ୍ରସ୍ତୁତି ଚାଲିଛି। ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ରହିବ ରାସ୍ତା ଓ ପାନୀୟ ଜଳ। ସ୍ବାଧୀନତାର ଅମୃତ ମହୋତ୍ସବ ଏବେ ସାରା ଦେଶରେ ପାଳନ କରାଯାଉଥିବା ବେଳେ କିନ୍ତୁ ମାଲକାନଗିରିର ବହୁ ଅଞ୍ଚଳ ଏହି ଉତ୍ସବକୁ ଏବେ ପାଳନ କରିବାକୁ ଅମଙ୍ଗ ହେଉଛନ୍ତି। ଏହାର କାରଣ ହେଲା ଆଜି ଲୋକେ ପାଦରେ ଚାଲି ଚାଲି ଡାକ୍ତରଖାନା ହେଉ ବା ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା କାର୍ଯ୍ୟାଳୟକୁ ଆସୁଛନ୍ତି। ଆଜି ଗର୍ଭବତୀ ଏବଂ ପ୍ରସୂତୀଙ୍କୁ ଭାର କିମ୍ବା ଖଟିଆରେ ବୁହା ହୋଇ ମେଡିକାଲକୁ ଅଣାଯାଉଛି। ଯାହାର ବିକଳ ଚିତ୍ର ଜିଲ୍ଲାର କୋଣ ଅନୁକୋଣରେ ଏବେ ବି ଦେଖିବାକୁ ମିଳୁଛି।

ବିଭିନ୍ନ ଗଣମାଧ୍ୟମରେ ଏହାର ଚିତ୍ର ଦେଖିବାକୁ ମିଳୁଛି।ଏନେଇ ପ୍ରଶାସନ ଏବଂ ସରକାର ଅବଗତ ରହିଥିଲେ ମଧ୍ୟ ବିକାଶ କାର୍ଯ୍ୟ ତ୍ବାରନ୍ବିତ କରାଯାଉଥିବା ଡିଣ୍ଡିମ ପିଟୁଛନ୍ତି। ଆଜି ଲୋକେ ପକ୍କା ରାସ୍ତାରେ ଚାଲିବାକୁ ସ୍ବପ୍ନ ଦେଖୁଛନ୍ତି। ଗ୍ରାମକୁ ଗ୍ରାମ ପିଚୁ ରାସ୍ତାରେ ସଂଯୋଗୀକରଣ କରାଯାଉଥିବା ନେଇ ପ୍ରଚାର କରାଯାଉଥିବା ବେଳେ ଲୋକେ ଗାଁକୁ ଲୋକେ ମଟର ସାଇକେଲ ଆସିବାର ଦେଖୁ ନାହାଁନ୍ତି। ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ରାସ୍ତା ମୁଖ୍ୟ ପ୍ରସଙ୍ଗ ହେବାକୁ ଯାଉଛି। ସେହିପରି ଜିଲ୍ଲାରେ ପାନୀୟ ଜଳର ଘୋର ସମସ୍ୟା ରହିଛି।

ଲୋକେ ଆଜି ବି ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି। ଏପରିକି ଯେଉଁ ଗାଁରେ ନଳକୂପ ରହିଛି ତାହାର ଅବସ୍ଥା ନକହିବା ଭଲ। ଯେଉଁ ଗ୍ରାମରେ ୧୦ଟି ନଳକୂପ ରହିଛି, ସେହି ଗ୍ରାମରେ ୯ଟି ନଳକୂପ ଖରାପ ହୋଇ ପଡିଛି। ଯେଉଁ ଗୋଟିଏ ନଳକୂପରୁ ପାଣି ବାହାରୁଛି ସେହି ପାଣିକୁ ୧ ହଜାରରୁ ଉର୍ଦ୍ଧ୍ବ ଲୋକ ନିର୍ଭର କରୁଛନ୍ତି। ପୁଣି ସେହି ପାଣି ପିଇବା ଯୁକ୍ତ କି ନୁହେଁ ତାହା କହିବା ମୁସକିଲ। କିନ୍ତୁ ଲୋକେ ସେହି ପାଣିକୁ ହିଁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।ପାଣି ପାଇଁ ଲୋକେ ମାଇଲ ମାଇଲ ବାଟ ଚାଲିବାକୁ ବାଧ୍ୟ ହେଉଛନ୍ତି। ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଆଦିବାସୀମାନେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ମିଥ୍ୟା ପ୍ରତିଶ୍ରୁତିରେ ହିଁ ସେମାନେ ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛନ୍ତି।

publive-image Sambad

ଏବେ ନିର୍ବାଚନ ଋତୁ ହୋଇଥିବା ବେଳେ ପୁଣି ଗାଁ ଗାଁକୁ ରାଜନେତା ଏବଂ ଲୋକ ପ୍ରତିନିଧି ମାନଙ୍କର ସୁଅ ଛୁଟିବ। ସବୁ ଗାଁକୁ ରାସ୍ତା ଏବଂ ପାନୀୟ ଜଳ ପହଞ୍ଚିବାର ଦିବା ସ୍ବପ୍ନ ଦେଖାଇବେ। କିନ୍ତୁ ଲୋକେ ଏବେ ଚାଲାକ ହେଲେଣି। ରାଜନେତାଙ୍କ ଆଉ ମିଥ୍ୟା ପ୍ରତିଶ୍ରୁତିକୁ ସେମାନେ ବିଶ୍ବାସ କରିବେ ନାହିଁ। ପ୍ରଥମେ ରାସ୍ତା ଓ ପାନୀୟ ଜଳ ପରେ ଭୋଟ ବୋଲି ଏବେ ଠାରୁ ଲୋକେ କହିବା ଆରମ୍ଭ କଲେଣି। ଏହି ପରିପ୍ରେକ୍ଷୀରେ ତିନି ପ୍ରମୁଖ ରାଜନୈତିକ ଦଳର ଚିଠା କଣ ହେବ ତାହା ଦେଖିବାକୁ ବାକି ରହିଲା। ମାଲକାନଗିରି ଜିଲ୍ଲାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ୧୫ଟି ଜିଲ୍ଲା ପରିଷଦ ଆସନରେ ଜୋରଦାର ଲଢେଇ ହେବାକୁ ଯାଉଥିବା ବେଳେ ଏଥର ବିଜେଡି ଜିଲ୍ଲା ପରିଷଦର ସମସ୍ତ ଆସନକୁ ହାତେଇବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ସେହିପରି କଂଗ୍ରେସ ଏବଂ ବିଜେପି ମଧ୍ୟ ଟକ୍କର ଦେବାକୁ ସଜବାଜ ହେଲେଣି। ଜିଲ୍ଲାରେ ୩ ଲକ୍ଷ ୯୦ ହଜାର ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ ବୋଲି ଜଣାପଡିଛି। ୧୧୧ଟି ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ ପଦ ପାଇଁ ମଧ୍ୟ ଜୋରଦାର ଲଢେଇ ହେବାର ସମ୍ଭାବନା ରହିଛି। ତିନି ପ୍ରମୁଖ ଦଳ ନିଜ ନିଜ ଦଳର ପ୍ରାର୍ଥୀ ଏବେ ଠାରୁ ଚୟନ ଆରମ୍ଭ କରି ଦେଲେଣି। ତେବେ ସରପଞ୍ଚ ଏବଂ ସମିତି ସଭ୍ୟ କୌଣସି ଦଳ ତରଫରୁ ଲଢୁନଥିଲେ ମଧ୍ୟ ଏହି ତିନି ପ୍ରମୁଖ ଦଳ କିନ୍ତୁ ଏହି ଆସନ ଗୁଡିକକୁ ନିଜ ପୋକେଟରେ ରଖିବାକୁ ଉଦ୍ୟମ କରିବେ।ଯେଉଁ ଦଳ ଲୋକଙ୍କର ଏହି ଦୁଇ ପ୍ରମୁଖ ଦାବିକୁ ପୂରଣ କରିବ, ହୁଏତ ସେହି ଦଳ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିପୁଳ ବିଜୟୀ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe