କୁହିକା: ଟମକା-ମଙ୍ଗଳପୁର ମୁଖ୍ୟ ରାସ୍ତାର ସୁକିନ୍ଦା ଥାନା ଦୁଧୁଯୋରୀ ପଞ୍ଚାୟତ ଦାମୋଦରପୁର ନିକଟରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।
ଆଜି ଭୋର ପ୍ରାୟ ସାଢ଼େ ୫ ଟାରେ କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତର କରଡ଼ଗାଡିଆ ଗ୍ରାମର ଗୋବର୍ଦ୍ଧନ ଦେହୁରୀ (୨୭) ଦୁର୍ଘଟଣାଗସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ କାରଖାନାକୁ କାମ କରିବାକୁ ଭୋର ୫ ଟାରୁ ଘରୁ ବାହାରିଥିଲେ। ମାତ୍ର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ସକାଳ ପ୍ରାୟ ସାଢ଼େ ୭ ଟାରୁ ତଦନ୍ତ ଓ କ୍ଷତିପୂରଣ ଦାବିରେ ଦେଢ଼ଘଣ୍ଟାରୁ ଅଧିକ ସମୟଧରି ରାସ୍ତାରୋକ କରିଥିଲେ। ଫଳରେ ଗାଡ଼ିମୋଟର ଚଳାଚଳ ବ୍ୟାହତ ହୋଇଥିଲା। ସୁକିନ୍ଦା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଗାଡ଼ି ଚଳାଚଳ ସ୍ବାଭାବିକ କରିଥିଲା। ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସନ୍ଧ୍ୟାରେ ଗ୍ରାମ ଶ୍ମଶାନରେ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା।
Follow Us