ଲାଞ୍ଜିଗଡ଼: ଟ୍ରକ୍ ଧକ୍କାରେ କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ପେଙ୍ଗସୁର ଗ୍ରାମର କରୁଣା ନାଗ (୬୦)ଙ୍କ ଶୁକ୍ରବାର ମୃତ୍ୟୁ ହୋଇଥିଲା। ଅପରାହ୍ନ ୪ଟାରେ ପରିବାର ଲୋକେ ଏବଂ ଗ୍ରାମବାସୀ ଶବରଖି ବିଜେପୁର-ବିଶ୍ୱନାଥପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଅପରାହ୍ନ ୨ଟାରେ କରୁଣା ବେନଙ୍ଗା ସାପ୍ତାହିକ ବଜାର ଯାଇ ବିଜେପୁର-ବିଶ୍ୱନାଥପୁର ମୁଖ୍ୟ ରାସ୍ତାରେ ଏକ ସାଇକଲ୍ରେ ନିଜ ଗାଁ ପେଙ୍ଗସୁରକୁ ଫେରୁଥଲେ। ଗାଁରୁ ୫ ଶହ ମିଟର ପୂର୍ବରୁ ଏକ ଟ୍ରକ୍ (ଓଡ଼ି ୦୮ ଡି ୭୩୬୫) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ କରୁଣା ଟ୍ରକ୍ ତଳେ ଚାପିହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଟ୍ରକ୍ ଡ୍ରାଇଭର ଏବଂ ହେଲ୍ପର ଟ୍ରକ୍ ଛାଡ଼ି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ।
ଖବର ଜଣାପଡ଼ିବା ପରେ ମୃତ କରୁଣାଙ୍କ ପତ୍ନୀ ୨ପୁଅ ସୁବାସ ନାଗ, ସୁରେଶ ନାଗ ଓ ପେଙ୍ଗସୁର ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ମୁଖ୍ୟ ରାସ୍ତାରେ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଏହାସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ବିଜେପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି। କିନ୍ତୁ ଗ୍ରାମବାସୀ ରାସ୍ତାରୋକରୁ ହଟିନଥିବା ଜଣାପଡ଼ିଛି। ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନାହିଁ।
Follow Us